୨୨ ପଞ୍ଚାୟତରେ ନାହାନ୍ତି କୃଷି ଅଧିକାରୀ

Get real time updates directly on you device, subscribe now.

ଲମତାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): କୃଷି ଓ କୃଷକ ସବୁବେଳେ ଅବହେଳିତ । ଏହାର ଉଦାହରଣ ସାଜିଛି ନନ୍ଦପୁର ବ୍ଲକ । ଏଠାରେ ଗୋଟିଏ କି ଦୁଇଟି ପଞ୍ଚାୟତ ନୁହେଁ ୨୨ଟି ପଞ୍ଚାୟତରେ ଜଣେ ହେଲେ କୃଷି ଅଧିକାରୀ ନାହାନ୍ତି । ଫଳରେ ସ୍ଥାନୀୟ ଚାଷୀ ଠିକ୍ ସମୟରେ ଚାଷବାସ ସମ୍ପର୍କରେ ପରାମର୍ଶ ପାଇପାରୁ ନଥିବା ବେଳେ ସରକାରୀ ସହାୟତାରୁ ବଞ୍ଚିତ ହେଉଛନ୍ତି । କୌଣସି କ୍ଷୟକ୍ଷତି ହେଲେ ଆକଳନ ମଧ୍ୟ କରାଯାଇପାରୁନି । ଏଭଳି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀକୁଳ ।
ଅଞ୍ଚଳର ଚାଷୀଙ୍କ କହିବା ପ୍ରକାରେ, ନନ୍ଦପୁର ବ୍ଲକରେ ଥିବା ଜିଲ୍ଲା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ଉପରେ ନନ୍ଦପୁର ସମେତ ଲମତାପୁଟ ଓ ପଟ୍ଟାଙ୍ଗି ବ୍ଲକର ସମୁଦାୟ ୫୨ଟି ପଞ୍ଚାୟତବାସୀ କୃଷିଭିତ୍ତିକ ସମସ୍ୟା ପାଇଁ ନିର୍ଭର କରିଆସୁଛନ୍ତି । ଫସଲ କ୍ଷୟକ୍ଷତି ଠାରୁ ଆରମ୍ଭ କରି ନୂତନ ଜ୍ଞନକୌଶଳ, ପ୍ରଶିକ୍ଷଣ, ପ୍ରଦର୍ଶନୀ ନିମନ୍ତେ ଚାଷୀମାନେ ଏଠାକୁ ଆସି ଅଧିକାରୀଙ୍କ ପରାମର୍ଶ ନେଉଛନ୍ତି । ହେଲେ ଦୁର୍ଭାଗ୍ୟର ବିଷୟ କାର୍ଯ୍ୟାଳୟକୁ ଆସିଲେ ଅଧିକାରୀଙ୍କୁ ଖୋଜିଲେ ମଧ୍ୟ ମିଳୁ ନାହାନ୍ତି । ଯୋଉଁମାନେ ଅଛନ୍ତି, କରୋନା କଟକଣା ଆଳରେ ଆସୁ ନାହାନ୍ତି । ଅନ୍ୟପକ୍ଷେ ପ୍ରତି ପଞ୍ଚାୟରେ ଜଣେ କୃଷି ଅଧିକାରୀ(ଭିଏଡବ୍ଲୁ) ରହିବା କଥା । ହେଲେ ତିନୋଟି ବ୍ଲକର ୫୨ଟି ପଞ୍ଚାୟତରୁ ୨୨ଟିରେ ଅଧିକାରୀ ନାହାନ୍ତି । ଫୋନ୍ କଲେ କୌଣସି ଉତ୍ତର ମିଳୁନି । ପଞ୍ଚାୟତସ୍ତରରେ କୃଷି ପରାମର୍ଶକେନ୍ଦ୍ର ଥିଲେ ମଧ୍ୟ ସେଗୁଡିକ ଅପନ୍ତରିଆ ଅବସ୍ଥାରେ ପଡିରହିଛି । କୃଷି ବିଭାଗର ଆତ୍ମା ପକ୍ଷରୁ ପ୍ରଦର୍ଶନୀ, ବୈଠକ, ପରାମର୍ଶ ପାଇଁ ବ୍ଲକରେ ବିରାଟ କୋଠାବାଡି ନିର୍ମାଣ କରାଯାଇଛି । ହେଲେ ଅଧିକାରୀ ନଥିବାରୁ କୌଣସି କାର୍ଯ୍ୟକ୍ରମ ହୋଇପାରୁନି । ନିକଟରେ ଅକ୍ଷୟ ତୃତୀୟା ଅବସରରେ ସବୁ ପଞ୍ଚାୟତରେ କୃଷିଭିତ୍ତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ଏଠାରେ କେହି ଅଧିକାରୀଙ୍କ ଦେଖାଦର୍ଶନ ମିଳି ନଥିଲା । ବର୍ଷାଧିକ କାଳ ହେଲା ବିଭିନ୍ନ ଗଣମାଧ୍ୟମର ବକେୟା ପ୍ରାପ୍ୟ ମଧ୍ୟ ଅଧିକାରୀ ପ୍ରଦାନ କରି ନାହାନ୍ତି । ୨୦୧୯ରୁ ଆତ୍ମା ଚେୟାରମେନ୍ ରଜତ ଡେଳିଆଙ୍କ କାର୍ଯ୍ୟକାଳ ସରିବା ପରେ ନୂତନ ଚେୟାରମେନ୍ ଚୟନ କରାଯାଇ ନାହିଁ । ଫଳରେ ବୈଠକ, ଶିବିର ହୋଇପାରୁ ନଥିବା ଅଭିଯୋଗ କରିଛନ୍ତି ପୂର୍ବତନ ଆତ୍ମା ଚେୟାରମ୍ୟାନ୍ ତଥା ବର୍ତ୍ତମାନର ଚାଷୀ କମିଟି ସଦସ୍ୟ ମଧୁସୂଦନ ଦୋରା । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons