କଟାଗଲା ଆନ୍ଧ୍ର ସଂଯୋଗ ରାସ୍ତା

Get real time updates directly on you device, subscribe now.

ନନ୍ଦପୁର,(ବି.ବି.ନୁ୍ୟଜ): ସୀମାନ୍ତ ଆନ୍ଧ୍ରପ୍ରଦେଶରୁ ରାତିରେ ବ୍ଲକ୍ ଭିତରକୁ ପ୍ରବେଶ କରୁଛନ୍ତି ପ୍ରବାସୀ ଶ୍ରମିକ ଏବଂ ବ୍ୟବସାୟୀ । ସେମାନଙ୍କ ଏଭଳି ଅବାଧ ପ୍ରବେଶ ଯୋଗୁ ବ୍ଲକ୍ରେ କରୋନା ସଂକ୍ରମଣ ବଢିବା ଆଶଙ୍କା ରହିଛି । ଏହି କାରଣରୁ ଶୋଭାପୁଟ ପୋଲକୁ ସଂଯୋଗ କରୁଥିବା ଆନ୍ଧ୍ର ରାସ୍ତାକୁ ଆଜି ପ୍ରଶାସନ ପକ୍ଷରୁ ଜେସିବି ଲଗାଇ କାଟି ଦିଆଯାଇଛି । ରାସ୍ତା କଟାଯିବା ସମୟରେ ତହସିଲଦାର ନରସିଂହ ଗାଦବା, ଏସ୍ଡିପିଓ ସଞ୍ଜୟ କୁମାର ମହାପାତ୍ର, ପାଡୁଆ ଥାନା ଅଧିକାରୀ ସରୋଜ କୁମାର ମଲ୍ଲିକ, ପାନ୍ଥଲୁଙ୍ଗ ସରପଞ୍ଚ ଧବଲୁ ପାଙ୍ଗି ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଥାଉକି, ଆନ୍ଧ୍ର ସୀମାକୁ ଲାଗି ରହିଛି ବ୍ଲକ୍ର ପାନ୍ଥଲୁଙ୍ଗ, ଚାଟୁଆ, ହାତୀବାରୀ ଓ ଗୋଲୁର ଆଦି ପଞ୍ଚାୟତ । ବେଆଇନ ଭାବେ ପଡେ଼ାଶୀ ରାଜ୍ୟରୁ ଆସୁଥିବା ପ୍ରବାସୀ ଏବଂ ବ୍ୟବସାୟୀଙ୍କୁ ରୋକିବା ଲାଗି ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ ବିଭିନ୍ନ ପଦକ୍ଷେପ ନିଆଯାଇଥିଲା । ଜୟପୁର-ବିଶାଖାପାଟଣା ରାଜ୍ୟ ରାଜପଥର ଚାଟୁଆଠାରେ ୨୪ ଘଣ୍ଟିଆ ଯାଞ୍ଚ ବ୍ୟବସ୍ଥା କରାଯାଇଥିଲା । ଏଥିସହ ପାନ୍ଥଲୁଙ୍ଗ ପଞ୍ଚାୟତର ସୁଡୁବ୍ଠାରେ ରାସ୍ତାକୁ ସମ୍ପୂର୍ଣ୍ଣ କାଟି ଦିଆଯାଇଥିଲା । ଏଥିଯୋଗୁ ନନ୍ଦପୁର ଏବଂ ଆନ୍ଧ୍ର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା । ସେହିପରି ପାନ୍ଥଲୁଙ୍ଗ ପଞ୍ଚାୟତରୁ ଆନ୍ଧ୍ରର ପେଦାବାଇଲିକୁ ସଂଯୋଗ କରୁଥିବା ନୂତନ ଶୋଭାପୁଟ ପୋଲ ନିକଟରେ ବ୍ୟାରିକେଡ୍ କରାଯାଇଥିଲା । ଚାଟୁଆଠାରେ ପୁଲିସ୍ ଏବଂ ପ୍ରଶାସନ ତରଫରୁ ୨୪ ଘଣ୍ଟିଆ ଯାଞ୍ଚ ପ୍ରକ୍ରିୟା ଚାଲୁ ରହିଥିଲା । ତେବେ ସୁଡୁବ୍ଠାରେ ରାସ୍ତା ଖୋଳିଦିଆଯିବା ପରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା । ଏଥିଯୋଗୁ ପ୍ରବାସୀ ଓ ଅସାଧୁ ବ୍ୟବସାୟୀମାନେ ରାତିରେ ଜୋରଜବରଦସ୍ତ ଶୋଭାପୁଟ ପୋଲ ନିକଟରେ କରାଯାଇଥିବା ବ୍ୟାରିକେଡ୍ ଭାଙ୍ଗି ଅବାଧ ପ୍ରବେଶ କରୁଥିଲେ । ଏ ସମ୍ପର୍କରେ ସେଠାକାର ଲୋକେ ବାରମ୍ବାର ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ଆଜି ଉପରୋକ୍ତ ପଦକ୍ଷେପ ନିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons