
କୋରାପୁଟ,(ସତ୍ୟ ନାରାୟଣ ସାହୁଙ୍କ ରିପୋର୍ଟ): ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ତିଆରି କରାଗଲା ବଡ଼ ବଡ଼ ସିମେଣ୍ଟ କୁଣ୍ଡ । କିନ୍ତୁ ଏସବୁ କୁଣ୍ଡ ଲୋକଙ୍କ କୌଣସି କାମରେ ଆସୁନି । ବ୍ୟବହାର ନହୋଇ ପଡ଼ିରହିଛି । ଘରୁ ବାହାରୁଥିବା ବର୍ଜ୍ୟବସ୍ତୁକୁ କୁଣ୍ଡ ବଦଳରେ ବାହାରେ ପକାଯାଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଅନ୍ତା ପଞ୍ଚାୟତର ଭାରତ ନିର୍ମାଣ କୋଠା ନିକଟରେ । ସ୍ୱଚ୍ଛଭାରତ ଅଭିଯାନରେ ଏସବୁ କୁଣ୍ଡ ନିର୍ମାଣ କରାଯାଇଛି । ହଜାର ହଜାର ଟଙ୍କା ବ୍ୟୟ କରାଯାଇଛି । ଲୋକେ ଏହାକୁ ବ୍ୟବହାର କରୁନଥିବାରୁ ଅଯଥାରେ ସରକାରୀ ଟଙ୍କା ବରବାଦ କରାଗଲା ବୋଲି କହିଛନ୍ତି ପଞ୍ଚାୟତବାସୀ ।
ପଞ୍ଚାୟତବାସୀ କହିଛନ୍ତି, ଗାଁରେ ବାହାରୁଥିବା ବର୍ଜ୍ୟବସ୍ତୁକୁ ଏସବୁ କୁଣ୍ଡରେ ପକାଇବାକୁ କୁହାଯାଇଥିଲା । ଗୁହାଳରୁ ବାହାରୁଥିବା ମଳକୁ ଲୋକେ ନିଜ ନିଜ ବାଡ଼ରେ ପକାଉଛନ୍ତି । ଏହାକୁ ଖତ କରାଯାଉଛି । ଏଭଳି ବ୍ୟବସ୍ଥା ଥାଉଣୁ ଜଣେ କାହିଁକି ନେଇ ସେହି କୁଣ୍ଡରେ ପକାଇବ । ଯାହାର ଗୁହାଳ ନାହିଁ କି ଖତ କରିବାର ନାହିଁ, ସେ ବା କାହିଁକି ଘରୁ ଦୂରରେ ଥିବା ଏହି କୁଣ୍ଡରେ ଆବର୍ଜନା ପକାଇବ । ଏଥିପାଇଁ ଗାଁରେ କେହି ସେଠାରେ ଆବର୍ଜନା ପକାଉନାହାନ୍ତି । ଏହାର ଉଦେ୍ଧଶ୍ୟ ସମ୍ପର୍କରେ ମଧ୍ୟ ଲୋକଙ୍କୁ ସଚେତନ କରାଗଲା ନାହିଁ । ଏହି କୁଣ୍ଡ କେଉଁଠି କରିଥିଲେ ଲୋକଙ୍କ କାମରେ ଆସିଥାନ୍ତା, ସେ ସମ୍ପର୍କରେ ଅଧିକାରୀମାନେ ଆଲୋଚନା କଲେ ନାହିଁ । କେବଳ ଯୋଜନା ରହିଛି, ଏଥିପାଇଁ ଟଙ୍କା ଅଛି କହି ଦରକାର ନଥିବା ସ୍ଥାନରେ ଏଭଳି କୁଣ୍ଡ କରି ପକାଇଲେ । ଯାହା କାହାରି କାମରେ ଆସିଲାନି । ଅନ୍ୟପକ୍ଷରେ ପଞ୍ଚାୟତ ପକ୍ଷରୁ ଗାଁରେ ସଫେଇ କର୍ମଚାରୀ ନିଯୁକ୍ତ କରାଯାଇନି । ଯଦି ସଫେଇ କର୍ମଚାରୀ ନିଯୁକ୍ତ ହୋଇଥାନ୍ତେ, ତାହେଲେ ଗାଁରୁ ବାହାରୁଥିବା ଆବର୍ଜନାକୁ ସେଠାରେ ନେଇ ପକାଯାଇପାରିଥାନ୍ତା ।
ଏ ସମ୍ପର୍କରେ ନିର୍ବାହୀ ଅଧିକାରୀ ସଞ୍ଜୀବ କୁମାର ମିଶ୍ର୍ର କହିଛନ୍ତି, ଆରଡବ୍ଲୁ୍ୟଏସ୍ଏସ୍ ପକ୍ଷରୁ ଏଗୁଡ଼ିକୁ ନିର୍ମାଣ କରାଯାଇଛି । ଏଥିରେ ପଞ୍ଚାୟତର କୌଣସି ଭୂମିକା ନାହିଁ । କେବଳ ଅନ୍ତା ନୁହେଁ, ଜୟପୁର ବ୍ଲକର ସମସ୍ତ ପଞ୍ଚାୟତରେ ଏଭଳି କୁଣ୍ଡ କରାଯାଇଛି । ଗୋଟିଏ ବି ସ୍ଥାନରେ ଏହାର ଉପଯୋଗ କରାଯାଉନି । ଏ ସମ୍ପର୍କରେ ବ୍ଲକ ଆରଡବ୍ଲୁ୍ୟଏସ୍ଏସ୍ ଯନ୍ତ୍ରୀ ରଞ୍ଜିତା ପଣ୍ଡା କହିଛନ୍ତି, ଗୋଟିଏ ଗୋଟଏ କୁଣ୍ଡ ପାଇଁ ୭ରୁ ୮ ହଜାର ଟଙ୍କା ଲେଖାଏଁ ଖର୍ଚ୍ଚକରାଯାଇଛି । ଗାଁରୁ ବାହାରୁଥିବା ବର୍ଜ୍ୟବସ୍ତୁ ଏଠାରେ ପକାଇ ଖତ କରିବାର ଯୋଜନା ଥିଲା । ଏହି ଖତକୁ ଗାଁ ଲୋକେ ବ୍ୟବହାର କରିଥାନ୍ତେ । କିନ୍ତୁ ଅନେକ ସ୍ଥାନରେ ଗାଁ ଲୋକେ କୁଣ୍ଡରେ ଆବର୍ଜନ ପକାଉନାହାନ୍ତି । ଲୋକଙ୍କୁ ଏ ସମ୍ପର୍କରେ ସଚେତନ କରାଯିବ ବୋଲି ଶ୍ରୀମତୀ ପଣ୍ଡା କହିଛନ୍ତି ।


Comments are closed, but trackbacks and pingbacks are open.