ଡ୍ରୋନ ଖସାଇବାକୁ ନେଇ ଦ୍ୱନ୍ଦ୍ୱ

Get real time updates directly on you device, subscribe now.

ୱାଶିଂଟନ: ଉପସାଗର ଅଞ୍ଚଳର ହୋରମୁଜ ପ୍ରଣାଳୀକୁ ବେଆଇନ ଭବେ ପଶିଆସିଥିବା ଇରାନର ଏକ ଡ୍ରୋନକୁ ଆମେରିକା ନୌସେନା ଖସାଇ ଦେବା ଘଟଣାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ସେହି ଅଞ୍ଚଳ ଦେଇ ଯାତାୟତ କରୁଥିବା ଆମେରିକାର ପଣ୍ୟବାହୀ ଜାହାଜ ଓ ସେଥିରେ ଥିବା ନାବିକଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଛି ବୋଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ତାଙ୍କ ଦେଶର କୌଣସି ଡ୍ରୋନ ଆମେରିକା ଖସାଇ ନାହିଁ ବୋଲି ଇରାନ ଯୁକ୍ତି ଦର୍ଶାଇଛି ।
ହ୍ୱାଇଟ୍ ହାଉସ ଠାରେ ସୂଚନା ଦେଇ ଟ୍ରମ୍ପ କହିଛନ୍ତି ଗୁରୁବାର ଇରାନର ଏକ ଡ୍ରୋନ ତାଙ୍କ ଦେଶର ଏକ ପଣ୍ୟବାହୀ ଜାହାଜର ଅତି ପାଖାପାଖି ହୋଇଥିଲା । ଉକ୍ତ ଡ୍ରୋନଟି ପ୍ରାୟ ୯୦୦ ମିଟର ପାଖାପାଖି ଚାଲିଆସିଥିଲା । ତାକୁ ବାରମ୍ବାର ଦୂରେଇବା ପାଇଁ କୁହାଯିବା ସତ୍ତେ୍ୱ ମଧ୍ୟ ତାହା ସେଠାରୁ ହଟିନଥିଲା । ତେଣୁ ଆମେରିକୀୟ ଯୁଦ୍ଧ ଜାହାଜ ୟୁଏସ୍ଏସ୍ ବକ୍ସର ତାକୁ ଖସାଇ ଦେଇଛି । ଆନ୍ତର୍ଜାତିକ ଜଳରାଶୀ ଦେଇ ଚଳାଚଳ କରୁଥିବା ଜାହାଜ ପ୍ରତି ଇରାନ ସବୁବେଳେ ବିପଦ ସୃଷ୍ଟି କରିଆସୁଛି । ତେଣୁ ଆତ୍ମରକ୍ଷା ପାଇଁ ତାଙ୍କ ଦେଶର ଏଭଳି ଅଧିକାର ରହିଛି । ଯେଉଁଥି ପାଇଁ ଇଲେକ୍ଟ୍ରୋନିକ ଜାମିଂ ଉପକରଣ ସହାୟତାରେ ତାକୁ ତଳକୁ ଖସାଇ ଦିଆଯାଇଥିଲା । ଅନ୍ୟପକ୍ଷରେ ଟ୍ରମ୍ପଙ୍କ ଏଭଳି ବୟାନକୁ ଖଣ୍ଡନ କରିଛି ଇରାନ । ଇରାନ ବିଦେଶ ମନ୍ତ୍ରୀ ମହମ୍ମଦ ଜାଭେଦ ଜାରିଫ କହିଛନ୍ତି ଯେ ତାଙ୍କ ଦେଶର କୌଣସି ଡ୍ରୋନକୁ ଆମେରିକା ଖସାଇଥିବାର ଖବର ତାଙ୍କ ପାଖରେ ନାହିଁ । ବୋଧହୁଏ ଆମେରିକା ନିଜର କୌଣସି ଡ୍ରୋନକୁ ଖସାଇ ଏହା ଇରାନର ବୋଲି ଦାବି କରୁଛି ।
ସୂଚନାଯୋଗ୍ୟ ଯେ ଗତ ଜୁନ୍ରେ ଆମେରିକାର ଏକ ସାମରିକ ଡ୍ରୋନକୁ ହରମୁଜ ପ୍ରଣାଳୀରେ ଇରାନ ମିସାଇଲ ମାଡ଼ କରି ଖସାଇ ଦେଇଥିଲା । ଯାହାକୁ ନେଇ ଦୁଇଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହେବା ସହିତ ଉପସାଗର ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ଇରାନ ଗତ ରବିବାର ଦାବି କରିଥିଲା ଯେ ଉପସାଗର ଅଞ୍ଚଳ ଦେଇ ବେଆଇନ ଭାବେ ତେଲ ଚାଲାଣ କରୁଥିବା ଏକ ଟ୍ୟାଙ୍କର ଓ ସେଥିରେ ଥିବା ୧୨ ଜଣ ନାବିକଙ୍କୁ ତାଙ୍କ ଦେଶ ଧରିଛି । ଇରାନର କିଛି ବୋଟରୁ ଏହି ଟ୍ୟାଙ୍କର ବେଆଇନ ଭାବେ ତେଲ ଭରୁଥିବା ବେଳେ ତାହା ଧରାପଡିଥିଲା । ପୂର୍ବରୁ ଗତ ମେ’ରେ ଉପସାଗର ଅଞ୍ଚଳରେ ଚଳାଚଳ କରୁଥିବା କେତେକ ତୈଳବାହୀ ଟ୍ୟାଙ୍କର ଉପରେ ଘଟିଥିବା ଆକ୍ରମଣ ପାଇଁ ଇରାନକୁ ଆମେରିକା ଦାୟୀ କରିଥିଲା । ମାତ୍ର ଆମେରିକାର ଏଭଳି ଅଭିଯୋଗକୁ ଇରାନ୍ ଖଣ୍ଡନ କରିଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons