
ଦଶମନ୍ତପୁର,(ବି.ବି.ନୁ୍ୟଜ): ପାନୀୟଜଳ କି ପକ୍କା ରାସ୍ତା ସୁବିଧା ନାହିଁ । ଗାଁରେ ନଳକୂଅଟିଏ ବି ନାହିଁ । ଫଳରେ ବିପଦପୂର୍ଣ୍ଣ ଭାବେ ନଦୀ ପାରି ହୋଇ ବାଲିପଠାରୁ ଚୁଆ ପାଣି ସଂଗ୍ରହ ପାଇଁ ବାଜି ଲାଗୁଛି ଜୀବନ । ରାସ୍ତା ନଥିବାରୁ ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ପାଦଚଲା ରାସ୍ତାରେ ଭାରରେ ବୋହି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡୁଛି । ଜନପ୍ରତିନିଧିଙ୍କ ଆନ୍ତରିକତା ଏବଂ ପ୍ରଶାସନର ଅବହେଳା ଯୋଗୁ ବର୍ଷ ବର୍ଷ ଧରି ଗ୍ରାମବାସୀ ଏଭଳି ଦୁର୍ଦ୍ଧଶା ଭୋଗୁଛନ୍ତି । ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରାଯାଇଛି । ତଥାପି ଆଜିପର୍ଯ୍ୟନ୍ତ ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛି ବ୍ଲକ୍ ପ୍ରଶାସନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତ ପଦୁଗୁଡାରେ । ଏହାକୁ ନେଇ ଗାଁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ରାସ୍ତା ଓ ପାଣି ସୁବିଧା ଯୋଗାଇ ଦିଆ ନଗଲେ ଆନେ୍ଦାଳନ କରିବା ସହ ଆଗାମୀଦିନରେ ଭୋଟ ବର୍ଜନ କରିବେ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।
ଗ୍ରାମବାସୀ କହିଛନ୍ତି ଯେ, ପାହାଡ ଘେରରେ ରହିଛି ପଦୁଗୁଡା ଗାଁ । କନ୍ଧ ସଂପ୍ରଦାୟର ୮୦ ପରିବାର ଏଠାରେ ବସବାସ କରୁଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରୁ ଗାଁର ଦୂରତା ୩ କିମି ଥିବା ବେଳେ ବ୍ଲକ୍ କାର୍ଯ୍ୟାଳୟରୁ ୧୩ କିମି ଦୂରରେ ରହିଛି । ଗାଁର ମୁଖ୍ୟ ସମସ୍ୟା ହେଲା ପାନୀୟଜଳ ଓ ରାସ୍ତା । ଆଜିପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ଗାଁରେ ପଡିନାହିଁ । ଏଥିଯୋଗୁ ଗାଁର ବିକାଶ ହୋଇପାରୁନି । ଏବେ ସୁଦ୍ଧା ଗାଁରେ ନଳକୂଅଟିଏ ଖୋଳାଯାଇ ନାହିଁ । ବିକଳ୍ପ ନଥିବାରୁ ଗାଁର ମହିଳାମାନେ ମିଳିତ ହୋଇ ୧କିମି ଦୂର ମୁରାନ ନଦୀକୁ ଯାଉଛନ୍ତି । ବିପଦପୂର୍ଣ୍ଣ ଭାବେ ଜୀବନକୁ ବାଜି ଲଗାଇ ନଦୀ ପାରି ହୋଇ ଆରପଟେ ଥିବା ବାଲିପଠାରେ ଚୁଆ ଖୋଳି ଦୂଷିତ ପାଣିରେ ଶୋଷ ମେଣ୍ଟାଉଛନ୍ତି ।
ସେହିପରି ଗାଁକୁ ଆଜିଯାଏଁ ପକ୍କା ରାସ୍ତା ନିର୍ମାଣ କରାଯାଇ ନାହିଁ । ଫଳରେ ଗାଁ ଲୋକେ ପାହାଡିଆ ପାଦଚଲା ରାସ୍ତାରେ ଯାତାୟାତ କରୁଛନ୍ତି । ଜରୁରୀ ସମୟରେ ଗାଁକୁ ଆସିପାରୁନି ଆମ୍ବୁଲାନ୍ସ କିମ୍ବା ଅନ୍ୟ କୌଣସି ଗାଡି । ଗୁରୁତର ରୋଗୀ ଓ ଗର୍ଭବତୀଙ୍କୁ ଭାରରେ ବୋହି ୩ କିଲୋମିଟର ଦୂର ଲୁଲାଗାଁ ଛକ ପର୍ଯ୍ୟନ୍ତ ନେବାକୁ ପଡୁଛି । ସେଠାରୁ ଅନ୍ୟ କୌଣସି ଗାଡି ଭଡ଼ା କରି ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ପଡୁଛି । ରାସ୍ତା ଓ ପାନୀୟଜଳ ସମସ୍ୟା ସମ୍ପର୍କରେ ବହୁବାର ପଞ୍ଚାୟତ ଓ ବ୍ଲକ୍ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି । ଦଳୀୟ ନେତାଙ୍କ ମଧ୍ୟ ବାରମ୍ବାର ଦୃଷ୍ଟି ଆକର୍ଷଣ କରାଯାଇଛି । ପଲ୍ଲୀସଭା ଓ ଗ୍ରାମସଭାରେ ପ୍ରସ୍ତାବ ଦିଆଯାଇଛି । ତଥାପି କୌଣସି ସୁଫଳ ମିଳି ନଥିବା ଗାଁର ୱାର୍ଡସଭ୍ୟ ଭୁଜ ନାୟକ, ଧନୁ ସାଉନ୍ତା, ସୋମନାଥ ଗରଡା, ପୀତ ସାଉନ୍ତାଙ୍କ ସମେତ ଗ୍ରାମବାସୀ କ୍ଷୋଭ ପ୍ରକାଶ କରିଛନ୍ତି ।
ଏ ସମ୍ପର୍କରେ କନିÂ ଯନ୍ତ୍ରୀ ସଞ୍ଜୀବକୁମାର ଅଲ୍ଲୀଙ୍କୁ ପଚାରିବାରୁ ପଦୁଗୁଡା ଗାଁର ପାନୀୟଜଳ ସମସ୍ୟାକୁ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ହାତରେ କୌଣସି ଉପାୟ ନାହିଁ । ବିଡିଓ କିମ୍ବା ପଞ୍ଚାୟତ ଚାହିଁଲେ ଗାଁରେ ପାନୀୟଜଳ ବ୍ୟବସ୍ଥା କରାଯାଇପାରିବ । ନଳକୂଅ ପାଇଁ ଗାଁକୁ ଗାଡି ଯିବା ଲାଗି ରାସ୍ତା ନାହିଁ । ତେଣୁ ଗାଁ ମୁଣ୍ଡରେ ଜଟିଆ ଝରଣା ନିକଟରେ ସ୍ପ୍ରିଙ୍ଗ ବେଶ କାମ କରି ପାଇପ୍ ଦ୍ୱାରା ଗାଁକୁ ଜଳଯୋଗାଣ ବ୍ୟବସ୍ଥା କରାଯାଇପାରିବ । ଜିଲ୍ଲା ପ୍ରଶାସନ ପଦୁଗୁଡା ଗାଁର ସମସ୍ୟାକୁ ଗମ୍ଭୀରତାର ସହ ବିଚାରକୁ ନେଇ ଚଳିତବର୍ଷ ରାସ୍ତା ଓ ପାନୀୟଜଳ ବ୍ୟବସ୍ଥା ଦିଗରେ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ନଚେତ୍ ଆନେ୍ଦାଳନ କରିବା ସହ ଭୋଟ ବର୍ଜନ କରାଯିବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି ।


Comments are closed, but trackbacks and pingbacks are open.