
ବନ୍ଧୁଗାଁ,(ବି.ବି.ନୁ୍ୟଜ): ଗାଁରେ ଥିବା ୬ଟି ନଳକୂଅ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି । ବାରମ୍ବାର ଅଭିଯୋଗ ପରେ ବି ମରାମତି କରାଯାଉନି । କେବଳ ଗୋଟିଏ ନଳକୂଅ ଉପରେ ହଜାରେରୁ ଅଧିକ ଲୋକଙ୍କୁ ନିର୍ଭର କରିବାକୁ ପଡୁଛି । ଅନ୍ୟପକ୍ଷେ ଏବେ ପ୍ରଚଣ୍ଡ ଖରା । ବିଶୁଦ୍ଧ ପାଣି ମୁନ୍ଦିଏ ପାଇଁ ବନ୍ଧୁଗାଁ ବ୍ଲକ୍ ତୁରୁକପେଟା ଗାଁରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ତୁରନ୍ତ ଅଚଳ ନଳକୂଅଗୁଡିକୁ ଯୁଦ୍ଧକାଳୀନ ଭିତ୍ତିରେ ମରାମତି କରିବା ଲାଗି ଗ୍ରାମବାସୀ ଦାବି କରିଛନ୍ତି । ନଚେତ୍ କରୋନା କଟକଣା ସମୟରେ ବାଧ୍ୟହୋଇ ଗାଁ ଲୋକେ ଆନେ୍ଦାଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ତୁରୁକପେଟା ଗାଁର ୬ଟି ସାହିରେ ବିଭିନ୍ନ ସଂପ୍ରଦାୟର ୨ ହଜାରରୁ ଅଧିକ ବସବାସ କରୁଛନ୍ତି । ଗ୍ରାମବାସୀଙ୍କୁ ବିଶୁଦ୍ଧ ପାଣି ଯୋଗାଇ ଦେବା ଲାଗି ପ୍ରଶାସନ ପକ୍ଷରୁ ୭ଟି ନଳକୂଅ ଖୋଳାଯାଇଛି । ସେଥିମଧ୍ୟରୁ ଦୀର୍ଘଦିନ ହେଲା ୬ଟି ନଳକୂଅ ଅଚଳ ହୋଇପଡିଛି । ଏଥିଯୋଗୁ ଗାଁରେ ଜଳକଷ୍ଟ ବଢିଚାଲିଛି । କେବଳ ଗୋଟିଏ ନଳକୂଅ ଉପରେ ପୂରା ଗ୍ରାମବାସୀ ନିର୍ଭର କରୁଛନ୍ତି । ରାତି ପାହିଲେ ନଳକୂଅ ନିକଟରେ ମହିଳାଙ୍କ ଭିଡ଼ ଜମୁଛି । ପାଣି ପାଇଁ ବିଭିନ୍ନ ସମୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହେଉଛି । ଏଥିଯୋଗୁ ଗାଁର ଶାନ୍ତ ପରିବେଶ ଅଶାନ୍ତ ହେବାରେ ଲାଗିଛି । ନଳକୂଅଗୁଡିକୁ ମରାମତି କରିବା ଲାଗି ଗାଁ ଲୋକେ ବହୁବାର ପଞ୍ଚାୟତ ଓ ବ୍ଲକ୍ ପ୍ରଶାସନ ପାଖରେ ଗୁହାରି କରିଛନ୍ତି । କିନ୍ତୁ ମରାମତି ଦିଗରେ ଆଜିପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀ କ୍ଷୋଭର ସହ କହିଛନ୍ତି ।
ଅନ୍ୟପକ୍ଷରେ ତୁରୁକପେଟା ପଞ୍ଚାୟତରେ ଦୁଇଜଣ ପିଇଓ ଦାୟିତ୍ୱରେ ରହିଛନ୍ତି । ଜଣଙ୍କ ବଦଳି ହୋଇଥିଲେ ମଧ୍ୟ ସେ ଏଠାରୁ ରିଲିଭ୍ ହେଉନାହାନ୍ତି କି ଗାଁ ଲୋକଙ୍କ ସମସ୍ୟାର ସମାଧାନ କରୁନାହାନ୍ତି । ଅନ୍ୟ ଜଣେ ପିଇଓ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ସେ ମଧ୍ୟ ଗାଁ ଲୋକଙ୍କ ସମସ୍ୟା ସମାଧାନ କରିବା ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି । ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ଯନ୍ତ୍ରୀ ଓ କର୍ମଚାରୀ ଥିଲେ ବି ସବୁ ଦୋଷ ପଞ୍ଚାୟତର କହି ହାତ ଟେକି ଦେଉଛନ୍ତି । ବିଭାଗର ଏଭଳି ଦୋଷାରୋପରେ ବିଚରା ଗ୍ରାମବାସୀ ବଳି ପଡୁଛନ୍ତି । ଜିଲ୍ଲା ପ୍ରଶାସନ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତୁରୁକପେଟା ଗାଁର ଅଚଳ ନଳକୂଅଗୁଡିକୁ ମରାମତି କରିବା ଦିଗରେ ପଦକ୍ଷେପ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।


Comments are closed, but trackbacks and pingbacks are open.