ଚାନ୍ଦିପୁରରେ ମାଡ଼ ହୋଇପାରେ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଓଡ଼ିଶା ମୁଣ୍ଡରେ ମାଡ଼ ହେବ ଅତି ଭୀଷଣ ବାତ୍ୟା ‘ୟାସ୍’ । ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ପାଖାପାଖି ସ୍ଥଳଭାଗକୁ ମାଡ଼ିଯିବ । ପବନର ବେଗ ୧୫୫ରୁ ୧୬୫ କିଲୋମିଟର ଓ ଧକ୍କ୍ା ୧୮୫ କିମି ଛୁଇଁପାରେ । ବାଲେଶ୍ୱର ପରେ ମୟୂରଭଞ୍ଜରେ ତାଣ୍ଡବ ରଚାଇବ ।
ପାଣିପାଗ ବିଭାଗ (ଆଇଏମ୍ଡି) ଜାରି କରିଥିବା ବାତ୍ୟାର ସମ୍ଭାବ୍ୟ ଗତିପଥକୁ ବିଶ୍ଳେଷଣ କଲେ ଏମିତି ଆଶଙ୍କା ସୃଷ୍ଟି ହୋଇଛି । ୨୬ ତାରିଖ (ବୁଧବାର) ଅପରାହ୍ନ ୪ଟାରୁ ସାଢେ଼ ୪ଟା ଭିତରେ ମାଡ଼ ହେବ ବାତ୍ୟା ।
ୟାସ୍ ପ୍ରକୋପରେ ସର୍ବାଧିକ ପ୍ରଭାବିତ ହେବ ଓଡ଼ିଶାର ୫ଟି ଜିଲ୍ଲା । ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଭୀଷଣ ପବନ ମାଡ଼ ହେବ ।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ରାତି ଦିନ ଏକ୍ କରି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । ଜଳ ସମ୍ପଦ, ପୂର୍ତ୍ତ, ପଞ୍ଚାୟତିରାଜ, ଶକ୍ତି, ନଗର ଉନ୍ନୟନ, ସ୍ୱାସ୍ଥ୍ୟ ବିଭାଗ ସମେତ ସବୁ ବିଭାଗ ପ୍ରସ୍ତୁତିରେ ଲାଗିଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ଆଜି ବାଲେଶ୍ୱର ଓ ଭଦ୍ରକ ଜିଲ୍ଲା ଗସ୍ତ କରି ସ୍ଥାନୀୟ ପ୍ରଶାସନ ସହ ସେଠାକାର ପ୍ରସ୍ତୁତି ସମୀକ୍ଷା କରିଛନ୍ତି ।
ରବିବାର ସଂଧ୍ୟା ସାଢେ଼ ୮ଟା ବେଳେ ପାଣିପାଗ ଜାରି କରିଥିବା ସଂଭାବ୍ୟ ବାତ୍ୟା ଗତିପଥ କହୁଛି ବୁଧବାର (୨୬ ତାରିଖ) ସକାଳ ପ୍ରାୟ ସାଢେ଼ ୫ଟାବେଳେ ଭିତର କନିକାଠାରୁ ପାଖାପାଖି ୭୦ କିମି ଦୂର (ଅକ୍ଷାଂଶ ୨୦.୮ ଡିଗ୍ରୀ ଉତ୍ତର/ ଦାାଘିମା ୮୭.୬ ପୂର୍ବ) ସମୁଦ୍ରରେ ଥିବ ବାତ୍ୟା । ଅପରାହ୍ନ ସାଢେ଼ ୫ଟାବେଳେ ୟାସ୍ ଅତି ଭୀଷଣ ବାତ୍ୟା ଅବସ୍ଥାରେ ମୟୂରଭଞ୍ଜ ରାସଗୋବିନ୍ଦପୁର ପାଖାପାଖି ରହିବା ଅନୁମାନ କରାଯାଉଛି । ସେତେବେଳକୁ ବି ଏହା ଅତି ଭୀଷଣ ବାତ୍ୟା ଅବସ୍ଥାରେ ଥିବ । ଯଦିଓ ପବନ ବେଗ ସାମାନ୍ୟ କମି ଘଣ୍ଟା ପ୍ରତି ୧୨୦ରୁ ୧୩୦ କିମି ବହୁଥିବ । ପବନ ଧକ୍କା ଘଣ୍ଟା ପ୍ରତି ୧୪୫ କିମି ହୋଇପାରେ । ଅନୁମାନ କରାଯାଉଛି, ବୁଧବାର ଅପରାହ୍ନରେ ହିଁ ୟାସ୍ ଅତି ଭୀଷଣ ବାତ୍ୟା ଅବସ୍ଥାରେ ବାଲେଶ୍ୱରର ଚାନ୍ଦିପୁର ପାଖାପାଖି ସ୍ଥଳଭାଗରେ ମାଡ଼ ହୋଇପାରେ ।
ସୋଆ ସିଇସି ନିଦେ୍ର୍ଧଶକ ତଥା ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ ପୂର୍ବାନୁମାନ ହେଲା, ୨୬ ତାରିଖ (ବୁଧବାର) ମଧ୍ୟାହ୍ନ ଭିତରେ ୟାସ୍ ସ୍ଥଳଭାଗ ଛୁଇଁପାରେ । ବାଲେଶ୍ୱରରୁ ଦୀଘା ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଛି । ଭୋଗରାଇ, ବାଲିଆପାଳ, ଦୀଘା ମଧ୍ୟରେ ଏହା ଉପକୂଳକୁ ପଶିପାରେ । ସର୍ବାଧିକ ପ୍ରଭାବ (ବର୍ଷା, ପବନ) ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, ଯାଜପୁରରେ ରହିପାରେ । ୨୪ ତାରିଖ ଅପରାହ୍ନରୁ ଓଡ଼ିଶା ଉପକୂଳରେ ବର୍ଷା ଆରମ୍ଭ ହେବ ।
ଆଇଏମ୍ଡି ଜାରି କରିଥିବା ସତର୍କ ସୂଚନାରେ କୁହାଯାଇଛି, ୨୬ ତାରିଖ (ବୁଧବାର) ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁରରେ ଘଣ୍ଟା ପ୍ରତି ୧୩୦ କିମିରୁ ୧୪୦ କିମି ପବନ ହେବ । ମଝିରେ ମଝିରେ ୧୫୦ କିମି ବେଗରେ ଧକ୍କା ଦେଇପାରେ ପବନ । ଏଇ ୫ ଜିଲ୍ଲାକୁ ରେଡ୍ ଜୋନରେ ରଖାଯାଇଛି । ଅରେଞ୍ଜ ଜୋନ୍ରେ ଥିବା ପୁରୀ, ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦୁଝରରେ ୬୦ରୁ ୭୦ କିମି ପବନ ହେବ । ଏଠାରେ ପବନ ଧକ୍କା ୮୦ କିମି ପର୍ଯ୍ୟନ୍ତ ଯାଇପାରେ ।
ବାତ୍ୟାର ସମ୍ଭାବ୍ୟ ଗତିପଥ ନେଇ ଆଇଏମ୍ଡି ଜାରି କରିଥିବା ଚିତ୍ରରେ ଦର୍ଶାଯାଇଛି, ବାତ୍ୟାର କେନ୍ଦ୍ର ବଳୟ ଭିତରେ ବାଲେଶ୍ୱର, ମୟୂରଭଞ୍ଜ, ଭଦ୍ରକ, କେନ୍ଦ୍ରାପଡ଼ା ରହୁଥିବାରୁ ସେଠାରେ ସବୁଠୁ ଅଧିକ ପ୍ରଭାବ ପଡ଼ିବ । ପବନ ବେଗ ୧୨୦ କିମିରୁ ଅଧିକ ରହିବ । ବାତ୍ୟାର ଦ୍ୱିତୀୟ ବଳୟରେ ଭୁବନେଶ୍ୱର ରହୁଛି । ତେଣୁ ଭୁବନେଶ୍ୱରରୁ ୯୨ରୁ ୧୧୭ କିମି ଅଧିକ ପବନ ବହିପାରେ ।
୨୪ ତାରିଖ ସନ୍ଧ୍ୟାରୁ ଓଡ଼ିଶା ଉପକୂଳରେ ପାଗ ବଦଳିବ । ୪୦-୫୦ କିମି ପବନ ହେବ । ବେଳେବେଳେ ପବନ ୬୦ କିମି ଛୁଇଁପାରେ । ୨୫ ତାରିଖ ସନ୍ଧ୍ୟାରୁ ୫୦-୬୦ କିମି ପବନ ଓ ମଝିରେ ମଝିରେ ୭୦ କିମି ବେଗରେ ପବନ ଝଟକା ଲାଗିପାରେ । ୨୬ ତାରିଖ ସକାଳୁ ୬୦-୭୦ କିମି ବେଗରେ ପବନ ହେବ । ଝଟକା ୮୦ କିମି ରହିପାରେ । ସକାଳୁ ଦିନ ୧୨ଟା ଭିତରେ ପବନ ବେଗ ବଢ଼ି ଘଣ୍ଟା ପ୍ରତି ୯୦ରୁ ୧୦୦ କିମି ହେବ । ମଝିରେ ମଝିରେ ଧକ୍କା ମାରିପାରେ ୧୧୦ କିମି ବେଗରେ ।
ବର୍ଷା ନେଇ ଆଇଏମଡି ଜାରି କରିଥିବା ପୂର୍ବାନୁମାନ ଅନୁଯାୟୀ ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଗଞ୍ଜାମ ଓ ଢେଙ୍କାନାଳରେ ବି ବର୍ଷା ସମ୍ଭାବବନା ଅଛି ।
୨୬ରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମୟୂରଭଞ୍ଜ, କେନ୍ଦୁଝରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡ଼ାର ଗୋଟିଏ ଦୁଇଟି ଜାଗାରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ଖୋର୍ଦ୍ଧା, ସୁନ୍ଦରଗଡ଼ରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ୨୭ରେ ଉତ୍ତର ଓଡ଼ିଶାରେ କିଛି କିଛି ବର୍ଷା ହେବ । ୨୪ରୁ ୨୭ ଯାଏଁ ଓଡ଼ିଶା ଉପକୂଳରେ ସମୁଦ୍ର ଅଶାନ୍ତ ରହିବ ।
ସନ୍ଧ୍ୟା ବୁଲେଟିନରେ ଆଇଏମଡି କହିଛି, ଲଘୁଚାପ ଘନୀଭୂତ ହୋଇ ଶନିବାର ଅବପାତ ରୂପ ନେଇଛି । ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରେ କେନ୍ଦ୍ରୀଭୂତ ଅଛି । ସନ୍ଧ୍ୟା ସାଢେ଼ ୫ଟାବେଳେ ପାରାଦୀପଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବ ଦିଗରେ ୫୭୦ କିଲୋମିଟର ଓ ବାଲେଶ୍ୱରଠାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୭୦ କିମି ଏବହ ଦୀଘାରୁ ଦକ୍ଷିଣ-ଦକ୍ଷିଣ ପୂର୍ବରେ ୬୫୦ କିମି ଦୂରରେ ଥିଲା । ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ଘଣ୍ଟା ପ୍ରତି ୫ କିମି ବେଗରେ ଗତି କରୁଥିଲା ।
ସୋମବାର (୨୪ ତାରିଖ) ସକାଳ ସୁଦ୍ଧା ଏହା ବାତ୍ୟା (ୟାସ୍) ରୂପ ନେବ । ପରବର୍ତ୍ତୀ ୨୪ ଘଣ୍ଟା ଭିତରେ ଆହୁରି ବଳ ଜୁଟାଇ ଅତି ଭୀଷଣ ବାତ୍ୟା (ଭେରି ସିଭିୟର ସାଇକ୍ଲୋନ) ପାଲଟିଯିବ । ସେଇ ଉତ୍ତର-ଉତ୍ତର ପଶ୍ଚିମ ଦିଗରେ ମୁହାଁଇ ୨୬ ତାରିଖ (ବୁଧବାର) ସକାଳେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ପାଖାପାଖି ପହଞ୍ଚିବା ସମ୍ଭାବନା ଅଛି । ୨୬ ତାରିଖ ସନ୍ଧ୍ୟା ସୁଦ୍ଧା ଅତି ଭୀଷଣ ବାତ୍ୟା ରୂପରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳକୁ ପାରାଦୀପରୁ ସାଗରଦ୍ୱୀପପୁଞ୍ଜ ଭିତରେ ସ୍ଥଳଭାଗ ଅତିକ୍ରମ କରିପାରେ ।
ବାତ୍ୟା ମୁକାବିଲା ପାଇଁ ରାଜ୍ୟ ସରକାର ଆଉ ୧୦ଟି ଏନଡିଆରଏଫ ଟିମ୍ ମାଗିଛନ୍ତି । ଆସନ୍ତାକାଲି ସକାଳ ସୁଦ୍ଧା ଏହି ୧୦ଟି ଟିମ୍ ଆସି ପହଞ୍ଚିଯିବେ । ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ନିୟୋଜିତ ଏନଡିଆରଏଫ୍ ଟିମ ସଂଖ୍ୟା ୩୨କୁ ବୃଦ୍ଧି ପାଇବ । ଏନଡିଆରଏଫ, ଓଡ୍ରାଫ, ଅଗ୍ନିଶମ, ବନ ବିଭାଗ ଟିମ୍ ଆଜିଠାରୁ ବିଭିନ୍ନ ଜିଲ୍ଲାରେ ପହଞ୍ଚିବା ଆରମ୍ଭ କରିଛନ୍ତି । ଏସଆରସି ଶ୍ରୀ ଜେନା କହିଛନ୍ତି, ଏଯାବତ୍ ବାତ୍ୟା ପ୍ରଭାବର ସବିଶେଷ ତଥ୍ୟ ମିଳିନଥିଲେ ମଧ୍ୟ ୧୨୦ କିମିରୁ ୧୬୫ କିମି ପବନ ଓ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ୩ରୁ ୪ ଫୁଟ ସମୁଦ୍ର ଜୁଆର ଆଶଙ୍କାକୁ ଆଖି ଆଗରେ ରଖି ପ୍ରସ୍ତୁତି କରାଯାଇଛି । ଜିଲ୍ଲା ପ୍ରଶାସନ ଓ ସବୁ ବିଭାଗ ସଜାଗ ଅଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons