
ବାଲେଶ୍ୱର,(ବି.ବି.ନୁ୍ୟଜ): ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ବାତ୍ୟା ‘ୟାସ୍’ ଆସନ୍ତା ୨୬ ତାରିଖରେ ସ୍ଥଳଭାଗ ଛୁଇଁବ । ଏଥିରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବ । ବିଶେଷ କରି ବାଲେଶ୍ୱର ଜିଲ୍ଲା ଅଧିକ କ୍ଷୟକ୍ଷତି ହେବ ବୋଲି ଆଶଙ୍କା କରାଯାଉଛି । ଏହାର ମୁକାବିଲା ପାଇଁ ରବିବାର ସ୍ୱତନ୍ତ୍ର ରିଲିଫ କମିସନର (ଏସ୍ଆର୍ସି) ପ୍ରଦୀପ କୁମାର ଜେନା ବାଲେଶ୍ୱର ଗସ୍ତରେ ଆସି ସମୀକ୍ଷା କରିଥିଲେ ।
ବାଲେଶ୍ୱର ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଓସୱାନ ହଲ୍ରେ ଭର୍ଚୁଆଲ ମୋଡରେ ସମୀକ୍ଷା ବୈଠକ ଆୟୋଜିତ ହୋଇଥିଲା । ଏଥିରେ ଜିଲ୍ଲା ତଥା ବ୍ଲକସ୍ତରରେ ବାତ୍ୟା ମୁକାବିଲା ନେଇ ପ୍ରସ୍ତୁତି ସଂପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଥିଲା । ଏଥିରେ ବ୍ଲକ୍ସ୍ତରୀୟ ବିଭିନ୍ନ ବିଭାଗର ଅଧିକାରୀମାନେ ସାମିଲ ହୋଇଥିଲେ । ବୈଠକ ପରେ ଏସ୍ଆର୍ସି ଶ୍ରୀ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ବାତ୍ୟା ଉପରେ ଏଯାଏ ସମ୍ପୂର୍ଣ୍ଣ ତଥ୍ୟ ପାଣିପାଗ ବିଭାଗ ଆକଳନ କରିନି । ତଥାପି ବାତ୍ୟାକୁ ସାମ୍ନା କରିବା ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି । ସାମୁଦ୍ରିକ ଜୁଆର ପଶିବା, ବର୍ଷା ଜଳରେ ବୁଡ଼ି ରହିବା ସମ୍ଭାବନା ଥିବା ଗାଁ, କଚ୍ଚା ଓ ଆଜ୍ବେଷ୍ଟସ ଘର ଲୋକଙ୍କୁ ସ୍ଥାନାନ୍ତର ପାଇଁ ବହୁମୁଖୀ ବାତ୍ୟାଶ୍ରୟ, ଚିହ୍ନଟ ଅତିରିକ୍ତ ଅସ୍ଥାୟୀ ଅଶ୍ରୟସ୍ଥଳୀ ସବୁ ବିଶୋଧନ କରାଯିବା ସହ ଶୁଖିଲା ଖାଦ୍ୟ, ଜେନେରେଟର ଆଦି ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ସେ କହିଥିଲେ । ତେବେ କେତେ ଲୋକଙ୍କୁ ସ୍ଥାନାନ୍ତର କରାଯିବ, ଜିଲ୍ଲାର କେତେ ଗାଁ ପ୍ରଭାବିତ ହେବ, ସେନେଇ ସେ କୌଣସି ସୂଚନା ଦେଇ ନ ଥିଲେ ।
ସେ ଆହୁରି କହିଥିଲେ, ବାତ୍ୟା ଯୋଗୁଁ ୧୨୦ରୁ ୧୬୫ କିମି ବେଗର ପବନ, ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ବାତ୍ୟା ସମୟରେ ଜନଜୀବନ ଉଦ୍ଧାର ପାଇଁ ୪ଟି ଓଡ୍ରାଫ ଟିମ୍, ୭ଟି ଏନ୍ଡିଆରଏଫ, ୯ଟି ଅଗ୍ନିଶମ ଟିମ୍ ପ୍ରସ୍ତୁତ ରଖାଯାଇଛି । ବାତ୍ୟାର ଠିକ ଆକଳନ କରାଯିବା ପରେ ଆବଶ୍ୟକ ହେଲେ ଅଧିକ ଏନ୍ଡିଆରଏଫ ଟିମ୍ ଅଣାଯିବ । ବାତ୍ୟା ହେଲେ ପାନୀୟ ଜଳ, ବିଦୁ୍ୟତ, ଟେଲିକମ ବ୍ୟବସ୍ଥା କ୍ଷତିଗ୍ରସ୍ତ ହେବାର ସମ୍ଭାବନା ଥିବାରୁ ତାର ବିକଳ୍ପ ପ୍ରସ୍ତୁତି କରାଯାଇଥିବା ଶ୍ରୀ ଜେନା ପ୍ରକାଶ କରିଥିଲେ । ସେହିଭଳି ବାତ୍ୟାକୁ ନେଇ ଜନସାଧାରଣଙ୍କ ସଚେତନତା ପାଇଁ ସେ ନିବେଦନ କରିଥିଲେ । ବିଶେଷ କରି ବାତ୍ୟା ସମ୍ପର୍କରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମାଇକରେ ଘୋଷଣା ହେବା ମାତ୍ରେ ଯଥାଶୀଘ୍ର ଆଶ୍ରୟସ୍ଥଳୀକୁ ଆସିବାକୁ ପରାମର୍ଶ ଦେଇଥିଲେ । ନିରାପଦ ଜାଗାରେ ରହିଥିବା ଲୋକେ ବାତ୍ୟା ଦିନ ଘରୁ ନବାହାରିବାକୁ ସେ ପରାମର୍ଶ ଦେଇଥିଲେ । ଏପରିକି ପବନ ବୋହିବା ବେଳେ ଆମ୍ବ, ନଡ଼ିଆ ଲୋଭରେ କି ପାଣି ଆଣିବା ଉଦେ୍ଧଶ୍ୟରେ ବାହାରକୁ ନ ବାହାରିବା ସେ ଚେତାବନୀ ଦେଇଥିଲେ ।
ସେହିପରି ବାତ୍ୟା ବେଳେ ଅମାନିଆମାନେ ବାହାରେ ଗାଡ଼ି ଚଳାଇବାକୁ ସେ ବାରଣ କରିଥିଲେ । ପ୍ରତି ଆଶ୍ରୟସ୍ଥଳରେ ଅଳ୍ପ ଅଳ୍ପ ଲୋକଙ୍କୁ ରଖାଯିବ । ସମସ୍ତଙ୍କୁ ମାସ୍କ ଦିଆଯିବ । ସାନିଟାଇଜର, ସାବୁନ ଆଦି ରଖାଯିବ । ଆଶା ଦିଦି, ଅଙ୍ଗନବାଡି ୱାର୍କର ରହିବେ । ଜ୍ୱର, ଥଣ୍ଡା ଲକ୍ଷଣ ଥିବା ଲୋକଙ୍କୁ ଅଲଗା ରଖାଯିବ । ବାତ୍ୟା ଆଶ୍ରୟସ୍ଥଳୀ ବ୍ୟତୀତ ଅନ୍ୟ କୋଠାଘର ସ୍କୁଲ, କଲେଜ ଆଦି ଚିହ୍ନଟ କରାଯାଇଛି । କୋଭିଡ୍ ସଂକ୍ରମିତ ରୋଗୀଙ୍କ ପାଇଁ ୪୦ଟି ସ୍ୱତନ୍ତ୍ର ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଥିବା ଶ୍ରୀ ଜେନା ସୂଚନା ଦେଇଥିଲେ ।


Comments are closed, but trackbacks and pingbacks are open.