
ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଚିକିତ୍ସାଧୀନ ଅବସ୍ଥାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ଜୀବନ ଯାଇଛି । ସ୍ଥାନୀୟ କୋଭିଡ୍ ହସପିଟାଲରେ ମୃତୁ୍ୟ ହୋଇଥିବା ଏହି ବ୍ୟକ୍ତିମାନେ ହେଲେ ଲକ୍ଷ୍ମୀପୁର ବ୍ଲକ ଅଞ୍ଚଳର ଜଣେ ୮୮ ବର୍ଷୀୟ ବୃଦ୍ଧ, ଜୟପୁର ସହରର ଜଣେ ୬୦ ବର୍ଷୀୟା ମହିଳା ଏବଂ ଅନ୍ୟ ଜଣେ ୫୦ ବର୍ଷୀୟ ପୁରୁଷ । ପ୍ରଶାସନ ପକ୍ଷରୁ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ମୃତଦେହ ସକ୍ରାର କରାଯାଇଛି । ଏ ସମ୍ପର୍କରେ ପ୍ରଶାସନ ପକ୍ଷରୁ କୌଣସି ବିଧିବଦ୍ଧ ଘୋଷଣା କରାଯାଇନି । ଆଜିର ମୃତକଙ୍କୁ ମିଶାଇଲେ ବେସରକାରୀ ଭାବେ ଏ ବର୍ଷ ଏଠାକାର କୋଭିଡ୍ ହସପିଟାଲରେ ୪୯ ଜଣଙ୍କ ମୃତୁ୍ୟ ହୋଇଥିବା ଜଣାପଡିଛି ।
ମୃତକଙ୍କ ସମ୍ପର୍କୀୟଙ୍କ ସୂଚନା ଅନୁଯାୟୀ, ସହରର ମହିଳା ଜଣଙ୍କ ପ୍ରାୟ ୧୦ ଦିନ ତଳେ ଅସୁସ୍ଥ ହୋଇ ପଡିଥିଲେ । ସେ ଅନ୍ୟାନ୍ୟ ରୋଗରେ ପୀଡ଼ିତା ଥିଲେ । ତାଙ୍କୁ ଏଠାକାର କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଗତ ୨୨ ତାରିଖ ରାତିରେ ସେ ଗୁରୁତର ହୋଇ ପଡ଼ିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଆଜି ସକାଳେ ତାଙ୍କ ଦେହାନ୍ତ ହୋଇଥିଲା । ସହରର ୫୦ ବର୍ଷୀୟ ପୁରୁଷ ଜଣଙ୍କ ସ୍ୱାସ୍ଥ୍ୟ ବିଗିଡ଼ିବାରୁ ଗତ ୨୨ ତାରିଖରେ ପରିବାର ଲୋକେ ସ୍ଥାନୀୟ ଜିଲ୍ଲା ହସପିଟାଲକୁ ନେଇଥିଲେ । ସେଠାରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ସଙ୍କଟାପନ୍ନ ଅବସ୍ଥାରେ ରାତିରେ ତାଙ୍କୁ କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇ ଆଇସିୟୁ ଏବଂ ଭେଣ୍ଟିଲେଟର ସପୋର୍ଟ ଦିଆଯାଇଥିଲା । ଶରୀରରେ ଅକ୍ସିଜେନ୍ ସ୍ତର କମି ଯିବାରୁ ଶ୍ୱାସକ୍ରିୟାରେ ସମସ୍ୟା ଦେଖା ଦେଇଥିଲା । ଆଜି ଅପରାହ୍ନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଲକ୍ଷ୍ମୀପୁର ବ୍ଲକର ବୃଦ୍ଧ ଜଣକଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଗତ ୧୫ ତାରିଖରେ ଗୁରୁତର ଅବସ୍ଥାରେ ତାଙ୍କୁ ଏଠାକାର କୋଭିଡ୍ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ବାର୍ଦ୍ଧକ୍ୟଜନିତ ସହ ଅନ୍ୟାନ୍ୟ ରୋଗରେ ସେ ପୀଡ଼ିତ ଥିଲେ । ଅବସ୍ଥା ସଙ୍ଗୀନ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଆଜି ଅପରାହ୍ନରେ ତାଙ୍କ ଦେହାନ୍ତ ହୋଇଥିଲା । ଏ ସମ୍ପର୍କରେ ମୃତକଙ୍କ ପରିବାରକୁ ଅବଗତ କରାଯାଇଥିଲା । ସ୍ଥାନୀୟ ଚମ୍ପାକୁପୁଲି କୋଭିଡ୍ ଶ୍ମଶାନରେ ଅନ୍ତିମ ସଂସ୍କାର କରାଯାଇଥିଲା ।


Comments are closed, but trackbacks and pingbacks are open.