
ଲକ୍ଷ୍ମୀପୁର,(ବି.ବି.ନୁ୍ୟଜ): କରୋନା କାଳରେ ଚାରିଆଡେ଼ ହାଟବଜାର ବନ୍ଦ ହୋଇଯାଇଛି । ଏଥିସହ ବନ୍ଦ ହୋଇଯାଇଛି ଲୋକଙ୍କ ଜୀବିକା । ଏଭଳି ବିପର୍ଯ୍ୟୟ ସମୟରେ ସବୁଠୁ ଅଧିକ ଦୁର୍ଦ୍ଧଶା ଭୋଗୁଛନ୍ତି କୌଳିକ ବୃତ୍ତି ଉପରେ ନିର୍ଭର କରୁଥିବା କୁମ୍ଭାର ପରିବାର । ହାଟରେ ହାଣ୍ଡିମାଠିଆ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ଏହି ସମ୍ପ୍ରଦାୟ ଏବେ ଭୋକଉପାସରେ ଦିନ ବିତାଉଛନ୍ତି । ଏଭଳି ଦେଖିବାକୁ ମିଳିଛି ଲକ୍ଷ୍ମୀପୁର ବ୍ଲକ ପର୍ଡିଗୁଡା, ନୂଆଗାଁ ଓ ଗୌଡଗୁଡାଗାଁର କୁମ୍ଭାର ପରିବାରରେ । କୁଲିଭୁତି କରି ପରିବାର ଚଳାଉଛନ୍ତି । ଓଳିଏ ଖାଇଲେ ଆର ଓଳି ଉପାସରେ ରହୁଥିବା କହିଛନ୍ତି ।
ଗ୍ରାମବାସୀଙ୍କ କହିବା ପ୍ରକାରେ ପର୍ଡିଗୁଡା, ନୂଆଗାଁ ଓ ଗୌଡଗୁଡାରେ ୧୦୦ରୁ ଅଧିକ କୁମ୍ଭାର ପରିବାର ବସବାସ କରୁଛନ୍ତି । କରୋନା କଟକଣା ଯୋଗୁ ସେମାନଙ୍କ କୌଳିକ ବୃତ୍ତି ଠପ୍ ହୋଇଯାଇଛି । ଗାଁରେ ମଧ୍ୟ ବିକ୍ରିବଟା ନାହିଁ । ଫଳରେ ସମ୍ପ୍ରଦାୟର ଲୋକେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଭଳିକି ଭଳି ମାଟିପାତ୍ର ତିଆରି କରି ବଜାରରେ ବିକ୍ରି କରି ପରିବାର ଚଳାଇଆସୁଥିଲେ । କରୋନା ମହାମାରୀ ସେମାନଙ୍କ ପେଟରେ ଲାତ ମାରିଥିବା କହିଛନ୍ତି । ପରିବାର ଚଳାଇବା ଏବେ କଷ୍ଟକର ହୋଇପଡିଛି । ଆଗରୁ ଯାହାଯେମିତି ହାଟବଜାରକୁ ଯାଇ ମାଟିପାତ୍ର ବିକ୍ରି କରି ଦୁଇପଇସା ରୋଜଗାର କରୁଥିଲେ । ସେଥିରେ ଯେନତେନ ପ୍ରକାରେ ଚଳିଯାଉଥିଲେ । ଏବେ କରୋନା ତାହା ମଧ୍ୟ ଛଡାଇ ନେଇଥିବା ଗ୍ରାମବାସୀ ଦୁଃଖର ସହ କହିଛନ୍ତି । ଏବେ ପେଟକୁ ମୁଠାଏ ଭାତ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ମହାମାରୀକୁ ଦୃଷ୍ଟିରେ ରଖି ସରକାର ମାତ୍ର ୪ଘଣ୍ଟା ହାଟବଜାର ଖୋଲାରଖିବାକୁ ନିଦେ୍ର୍ଧଶ ଦେଇଛନ୍ତି । କେବଳ ଅତ୍ୟାବଶ୍ୟକ ସାମଗ୍ରୀ କିଣାବିକା ପାଇଁ ବଜାର ଖୋଲୁଛି । ଏଭଳି ସ୍ଥିତିରେ ମାଟିପାତ୍ର ନେଇ ଦୀର୍ଘଦୂର ଯିବା ଅସମ୍ଭବ ହେଉଥିବାରୁ ସେମାନେ ଘରେ ରହିଯାଇଥିବା କହିଛନ୍ତି । ଲକଡାଉନ୍ କେବେ ଖୋଲିବ ଅନାଇ ବସିଛନ୍ତି । ଅନ୍ୟପକ୍ଷେ ପରିବାର ଚଳାଇବା ପାଇଁ ସମ୍ପ୍ରଦାୟର କେତେକ ଲୋକ କୁଲିଭୁତି କରୁଛନ୍ତି । ଯେମିତି ହେଉ ପେଟକୁ ଦାନା ଯୋଗାଡ କରିବାକୁ ପଡିବ । ନହେଲେ ଛଟପଟ ହୋଇ ମରିବା ଛଡା ଅନ୍ୟ କିଛି ପନ୍ଥା ନାହିଁ ବୋଲି ଗ୍ରାମବାସୀ କହିଛନ୍ତି । ଏହି ଅସୁବିଧା ସମୟରେ ସରକାର ସେମାନଙ୍କୁ ସହାୟତାର ହାତ ବଢାଇଲେ ଉପକୃତ ହୋଇପାରନ୍ତେ ବୋଲି କହିଛନ୍ତି । ପର୍ବପର୍ବାଣି ଆସିଲେ ମାଟି ସାମଗ୍ରୀ ବିକ୍ରି କରି ଦୁଇପଇସା ରୋଜଗାର କରୁଛନ୍ତି । ସେଥିରେ ବର୍ଷସାରା ଦୁଃଖକଷ୍ଟରେ ଚଳିବାକୁ ପଡୁଛି ବୋଲି ପର୍ଡିଗୁଡା ଗାଁର ଜନ୍ମ କୁମ୍ଭାର, ଅନୀଲ କୁମ୍ଭାର, କୃଷ୍ଣ କୁମ୍ଭାର ପ୍ରମୁଖଙ୍କ ସହ ଅନ୍ୟମାନେ କହିଛନ୍ତି । ସେମାନେ କହିଛନ୍ତି, ଲକ୍ଷ୍ମୀପୁର ବ୍ଲକଠାରୁ ସେମାନଙ୍କ ଗାଁ ବହୁଦୂରରେ ରହିଛି । ପ୍ରତି ଶନିବାର ଲକ୍ଷ୍ମୀପୁର ଓ ସୋମବାର କାକିରିଗୁମ୍ମା ସାପ୍ତାହିକ ହାଟକୁ ଯାଇ ମାଟି ସାମଗ୍ରୀ ବିକ୍ରି କରୁଥିଲେ । ସେଥିରେ ତେଲଲୁଣ ସଂସାର ଚଳାଇ ଆସୁଥିଲେ । ବର୍ତ୍ତମାନ ଖରାଦିନେ ମାଟିପାତ୍ର ବିକ୍ରି କରି ବେଶ୍ ଦୁଇପଇସା ବେପାର କରିପାରୁଥିଲେ । ହେଲେ କରୋନା କଟକଣା ଯୋଗୁ ସେମାନେ ହାଟବଜାରକୁ ଆସିପାରୁ ନାହାନ୍ତି । ଜିଲ୍ଲା ପ୍ରଶାସନ ଏହି କୁମ୍ଭାର ସମ୍ପ୍ରଦାୟଙ୍କ ଦୁର୍ଦ୍ଧଶାକୁ ଦୃଷ୍ଟିରେ ରଖି ସହାୟତା କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି ।


Comments are closed, but trackbacks and pingbacks are open.