
ଭୁବନେଶ୍ୱର,(ବି.ବି.ବୁ୍ୟରୋ): ବାତ୍ୟା ୟାସ୍ ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ । ସବୁ ବିଭାଗ ସଜାଗ ଓ ଜିଲ୍ଲା ପ୍ରଶାସନ ସତର୍କ । ଯାହା ପଦକ୍ଷେପ ନେବା କଥା, ଯୁଦ୍ଧକାଳୀନ ଭିତ୍ତିରେ ନିଆଯାଉଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶକ୍ରମେ ଶୂନ୍ୟ ଜୀବନ ହାନି ଲକ୍ଷ୍ୟ ନେଇ କାମ କରୁଛି ପ୍ରଶାସନ ।
ଆଜିଠୁ ଉପକୂଳ ଓଡ଼ିଶାରେ ପାଗ ବଦଳିଥିବାବେଳେ ବିଭିନ୍ନ ଜିଲ୍ଲାରେ ତଳି ଅଞ୍ଚଳ, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ଓ କଚ୍ଚା ଘରେ ଥିବା ଲୋକଙ୍କୁ ସୁରକ୍ଷିତ ଭାବେ ଆଶ୍ରୟସ୍ଥଳୀକୁ ନେବା ପ୍ରକ୍ରିୟା ଆରମ୍ଭ ହୋଇଛି । ଆସନ୍ତାକାଲି ଅପରାହ୍ନ ସୁଦ୍ଧା ଏହି ସ୍ଥାନାନ୍ତରଣ କାମ ସାରିବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଧଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା । ଆଶ୍ରୟସ୍ଥଳୀରେ ସଭିଙ୍କୁ ମାସ୍କ ଦେବା ସହ ରନ୍ଧା ଖାଦ୍ୟ, ଛତୁଆ ଏବଂ ପିଲାଙ୍କୁ ବିସ୍କୁଟ ଦିଆଯିବ । ଅଧିକ ପ୍ରଭାବିତ ହେବାକୁ ଥିବା ୫ ଜିଲ୍ଲାରେ ସାଢେ଼ ୩ ଲକ୍ଷରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବାକୁ ଲକ୍ଷ୍ୟ ରଖାଯାଇଛି । ବାଲେଶ୍ୱର ଜିଲ୍ଲାରେ ୧ ଲକ୍ଷ ୩୦ ହଜାର, ଭଦ୍ରକରେ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । କେନ୍ଦ୍ରାପଡ଼ାରେ ୧୩୫ଟି ପଞ୍ଚାୟତରେ ପ୍ରାୟ ୭୦ ହଜାର ଲୋକଙ୍କୁ ଆଶ୍ରୟସ୍ଥଳୀକୁ ନିଆଯିବ । ରାଜନଗର, ମହାକାଳପଡ଼ାର ୬୪ଟି ଗାଁ ସମୁଦ୍ର ଜୁଆର ମାଡ଼ିଯିବା ଆଶଙ୍କା ରହିଛି । ଜଗତସିଂହପୁର ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ପ୍ରଶାସନ ସ୍ଥାନାନ୍ତର କରିବାକୁ ପ୍ରସ୍ତୁତି କରିଛି । ତେବେ ଜଗତସିଂହପୁରରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପ୍ରାୟ ୫୦ ହଜାରରୁ ଅଧିକ ଲୋକେ ଅଛନ୍ତି । ମୟୂରଭଞ୍ଜରେ ୨୦ ହଜାରରୁ ଅଧିକ ଲୋକଙ୍କୁ ନିରାପଦ ସ୍ଥାନକୁ ନେବାକୁ ବ୍ୟବସ୍ଥା ହୋଇଛି ।
ଉଦ୍ଧାର କାର୍ଯ୍ୟ ପାଇଁ ପୂର୍ବରୁ ୨୨ଟି ଏନଡିଆରଏଫ ଟିମ୍ ଥିବାବେଳେ ଆଉ ୩୦ଟି ଟିମ୍ ସାମିଲ ହୋଇଯିବେ ମଙ୍ଗଳବାର ସକାଳ ସୁଦ୍ଧା । ୫୨ଟି ଓଡ୍ରାଫ୍ ଟିମ୍ ଓ ୧୭୫ଟି ଅଗ୍ନିଶମ ଟିମକୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ସବୁଠୁ ଅଧିକ ପ୍ରଭାବିତ ଜିଲ୍ଲା ତାଲିକାଭୁକ୍ତ ଅଛି । ଏହାବାଦ୍ ଯାଜପୁର, କେନ୍ଦୁଝର ଓ ମୟୂରଭଞ୍ଜର କେତେକ ଅଞ୍ଚଳକୁ ଅଧିକ ବିପଦ ପ୍ରବଣ ତାଲିକାରେ ରଖାଯାଇଛି । ପୁରୀ, ଖୋର୍ଦ୍ଧା, କଟକରେ ମଧ୍ୟ ୬୦ରୁ ୯୦ କିମି ପବନ ହୋଇପାରେ । ସହରାଞ୍ଚଳର ତଳି ଇଲାକାରେ ପାଣି ଜମିବା ଆଶଙ୍କା ଥିବାରୁ ପୌର ପ୍ରଶାସନକୁ ଏ ଦିଗରେ ପଦକ୍ଷେପ ନେବାକୁ କୁହାଯାଇଛି । ଉଦ୍ଧାର କାର୍ଯ୍ୟ ପାଇଁ ସବୁ ବିଭାଗ ତୟାର ଅଛନ୍ତି । ବନ ବିଭାଗ ପୂର୍ବରୁ ୩୫ଟି ଗଛ କଟାଳି ଟିମ୍ ପଠାଇଥିବାବେଳେ ଆଉ ୬୦ରୁ ୭୦ ଗ୍ରୁପ ପଠାଇବେ । ପୂର୍ତ୍ତ ବିଭାଗ ୧୬୫ଟି ଇଞ୍ଜିନିୟରିଂ ଟିମ୍, ଗ୍ରାମ୍ୟ ଉନ୍ନୟନ ବିଭାଗ ୩୧୩ଟି ଟିମ୍, ଜଳ ସମ୍ପଦ ବିଭାଗ ୧୦୦ ଟିମ୍ ମୁତୟନ କରିଛନ୍ତି । ରାସ୍ତାରୁ ଗଛ ସଫା କରିବାକୁ ବିଭିନ୍ନ ଯନ୍ତ୍ରପାତି, ଗାଡ଼ି ପ୍ରସ୍ତୁତ ରଖାଯାଇଛି । ବିଦୁ୍ୟତ ପୁନରୁଦ୍ଧାର ପାଇଁ ଶକ୍ତି ବିଭାଗ ସବୁ ପ୍ରସ୍ତୁତି ସାରିଛି । ବାତ୍ୟା ପରେ କୌଣସି ବ୍ୟକ୍ତି ନିଜ ଘରେ ତୁରନ୍ତ ଜେନେରେଟର ନ ଲଗାଇବାକୁ ଶ୍ରୀ ଜେନା ଅନୁରୋଧ କରିଛନ୍ତି । ଏହାଦ୍ୱାରା ବ୍ୟାକ୍ କରେଣ୍ଟ ଯାଇ ବିଦୁ୍ୟତ୍ କର୍ମଚାରୀ ମୃତାହତ ହେବା ଆଶଙ୍କା ରହିଛି । ୨୭ ତାରିଖ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜେନେରେଟର ନ ଲଗାଇବାକୁ ସେ ଅନୁରୋଧ କରିଛନ୍ତି । ବାତ୍ୟା ପୂର୍ବରୁ ଘରେ ପର୍ଯ୍ୟାପ୍ତ ପରିମାଣରେ ପିଇବା ଓ ବ୍ୟବହାର ଯୋଗ୍ୟ ପାଣି ଗଚ୍ଛିତ ରଖିବାକୁ ସେ ପରାମର୍ଶ ଦେଇଛନ୍ତି । ଅପରପକ୍ଷରେ ବାତ୍ୟା ପ୍ରଭାବିତ ଲୋକଙ୍କୁ ଯେଭଳି ପାଣି ଯୋଗାଣ ହୋଇପାରିବ, ସେ ଦିଗରେ ନଗର ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି ।
ବାତ୍ୟା ସମୟରେ କେହି ଘରୁ ପଦାକୁ ବାହାରନ୍ତୁ ନାହିଁ । ବାତ୍ୟାବେଳେ ନଡ଼ିଆ, ଆମ୍ବ ଗୋଟାଇବା କିମ୍ବା ପିଇବା ପାଣି ପାଇଁ ନଳକୂପ ବା କୂଅକୁ ନ ଯିବା ପାଇଁ ସେ ପରାମର୍ଶ ଦେଇଛନ୍ତି ।
Comments are closed, but trackbacks and pingbacks are open.