ନୀଳଗିରି,(ବି.ବି.ନୁ୍ୟଜ): ବାଘ ଭଳି ଦେଖାଯାଉଥିବା ଜନ୍ତୁ ଗଛରେ ଝୁଲୁଛି । ଏ ଘଟଣା ପ୍ରଚାର ପରେ ଦେଖିବାକୁ ସମ୍ପୃକ୍ତ ସ୍ଥାନ ଲୋକାରଣ୍ୟ ହୋଇଯାଇଥିଲା । ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧୀନ ତେଲିପାଳ ପଞ୍ଚାୟତ ତୁଟାସାହି ଗାଁରେ ସୋମବାର ଦେଖିବାକୁ ମିଳିଛି । ତୁଟାସାହି ଗ୍ରାମ ନିକଟ ଏକ ଗଛ ଉପରେ ବାଘ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡ଼ିଥିଲେ । ଲୋକେ ପ୍ରଥମେ ବାଘଟି ବଞ୍ଚିଥିବା ଭାବିଥିଲେ । ପରେ ଜଣାପଡ଼ିଥିଲା ବାଘଟି ମୃତ ଅବସ୍ଥାରେ ରହିଛି । ଜନ୍ତୁର ମୁହଁରେ ଗଭୀର କ୍ଷତ ହୋଇଛି । ଶିକାରୀମାନେ ବାଘଟିକୁ ମାରିଥିବା କେତେକ ଲୋକ କହୁଥିବା ବେଳେ କେତେକ ଲୋକ କହୁଛନ୍ତି ଯେ ଗଛକୁ ଜନ୍ତୁଟି ଚଢ଼ିଥିବାବେଳେ ଦୁଇ ଗଣ୍ଡି ମଝିରେ ଚାପି ହୋଇ ମରିଛି । ନିକଟରେ କୁଲଡିହା ଅଭୟାରଣ୍ୟ ଅଛି । ଏଣୁ ଅଭୟାରଣ୍ୟରୁ ଜନ୍ତୁଟି ଖାଦ୍ୟ ଅନ୍ୱେଷଣରେ ଆସି ଗଛ ଉପରକୁ ଚଢ଼ି ଓହ୍ଲାଇବା ବେଳେ ଗଛର ଦୁଇ ଗଣ୍ଡି ମଧ୍ୟରେ ଚାପିହୋଇ ମରିଥିବା ଅନୁମାନ କରାଯାଉଛି । କିଛିଦିନ ଧରି ଆଖପାଖ ଅଞ୍ଚଳରେ କୁକୁଡ଼ା, ବତକଗୁଡ଼ିକୁ ଅଜଣା ଜନ୍ତୁ ମାରି ଖାଉଥିଲା । ହୁଏତ ଏହି ବାଘ ଭଳି ଜନ୍ତୁଟି କୁକୁଡ଼ା, ବତକଗୁଡ଼ିକୁ ମାରି ଖାଉଥିଲା ବୋଲି ସନେ୍ଦହ କରାଯାଉଛି । ମୃତ ଜନ୍ତୁଟିର ଶରୀରରେ କଲରାପତରିଆ ଭଳି ଚିହ୍ନଥିବାରୁ କେହି କେହି ଏହା ବାଘ ଛୁଆ ବୋଲି କହିଛନ୍ତି । କୁଲଡିହା ରେଞ୍ଜର ବିଜୟ କୁମାର ମହାପାତ୍ର, ଫରେଷ୍ଟର ଉମାକାନ୍ତ ଜେନା ଓ ଅନ୍ୟ କର୍ମଚାରୀମାନେ ମୃତ ଜନ୍ତୁଟିକୁ ଗଛରୁ ଓହ୍ଲାଇଥିଲେ । ତେବେ ବନ ବିଭାଗ ସୂଚନା ଦେଇଛି ଉକ୍ତ ମୃତ ଜନ୍ତୁଟି ଜଙ୍ଗଲୀ କ୍ୟାଟ୍ ଜାତୀୟ । ଏହାକୁ ଅଭୟାରଣ୍ୟ ସୀମାନ୍ତରେ ପୋତି ଦିଆଯାଇଛି ।
Comments are closed, but trackbacks and pingbacks are open.