
ବାଲିକୁଦା,(ବି.ବି.ନୁ୍ୟଜ): ଦେଢ ଦିନରେ ପରିବାରର ତିନି ଜଣ ସଦସ୍ୟଙ୍କ ପରକୁପର ବିୟୋଗ । ବଡ଼ଗାଁ ପଞ୍ଚାୟତ ବିଜେଡି ସଭାପତି ତଥା ପୂର୍ବତନ ସରପଞ୍ଚ ଉପେନ୍ଦ୍ର ବିଶ୍ୱାଳଙ୍କ ସମେତ ତାଙ୍କ ପୁଅ, ବୋହୂ ତିନି ଜଣ କରୋନାରେ ଆଖି ବୁଜିଛନ୍ତି । ଆଗ ପଛ ହୋଇ ୩୬ ଘଣ୍ଟା ମଧ୍ୟରେ ବାପା, ପୁଅ, ବୋହୂ ଆରପାରିକୁ ଚାଲିଯିବା ଘଟଣା ସମଗ୍ର ଅଞ୍ଚଳରେ ଶୋକ ଖେଳାଇଛି । ବୋହୂଙ୍କ ମୃତୁ୍ୟର ୨୪ ଘଣ୍ଟା ମଧ୍ୟରେ ପୁଅଙ୍କର ଓ ପୁଅ ମୃତୁ୍ୟର ୧୨ ଘଣ୍ଟା ଭିତରେ ବାପାଙ୍କ ମୃତୁ୍ୟ ପରିବାର ଲୋକଙ୍କୁ ସ୍ତବ୍ଧ କରିଦେଇଛି ।
ଗତ ୨୩ ତାରିଖରେ ଶ୍ରୀ ବିଶ୍ୱାଳଙ୍କ ବୋହୂ ରଶ୍ମିରେଖା(୩୦)ଙ୍କଠାରେ ପ୍ରଥମେ କରୋନା ଲକ୍ଷଣ ଦେଖା ଦେବାରୁ ବାଲିକୁଦା ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉଭୟ ବୋହୂ ରଶ୍ମିରେଖା ଓ ପୁଅ କାଳିଆ ଓରଫ ଅଭିଷେକ(୩୫) କରୋନା ପରୀକ୍ଷା କରାଇଥିଲେ । ବୋହୂ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ପୁଅ କାଳିଆଙ୍କର ରିପୋର୍ଟ ସ୍ପଷ୍ଟ ହୋଇ ନଥିଲା । ତେବେ ରଶ୍ମିରେଖାଙ୍କୁ ସ୍ୱତନ୍ତ୍ର କୋଭିଡ୍ ଆମ୍ୱୁଲାନ୍ସ ଯୋଗେ କଟକ ନିଆଯିବା ବେଳେ କେହି ଜଣେ ଆଟେଣ୍ଡାଣ୍ଟ ସାଥୀରେ ଯିବାର ଆବଶ୍ୟକତା ଥିବା ଆମ୍ୱୁଲାନ୍ସ କର୍ମଚାରୀ କହିବାରୁ ସ୍ତ୍ରୀଙ୍କ ସହିତ ସ୍ୱାମୀ କାଳିଆ ଯାଇଥିଲେ । ସେଠାରେ ଦୁଇ ଦିନର ରହଣି ପରେ କାଳିଆ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇ ସେଠାରେ ଚିକିତ୍ସିତ ହେଉଥିଲେ । ମାତ୍ର ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ଏକ ଘରୋଇ୍ ହସ୍ପିଟାଲକୁ ନିଆଯାଇଥିଲା । ବୋହୂ ରଶ୍ମିରେଖାଙ୍କର ୨୬ ତାରିଖ ରାତି ସାଢେ ୧୦ଟାରେ କଟକ କୋଭିଡ୍ ହସ୍ପିଟାଲ୍ରେ ମୃତୁ୍ୟ ଘଟିଥିବା ବେଳେ ୨୮ ତାରିଖ ଦିନ ସାଢେ ୯ ଟାରେ ପୁଅ କାଳିଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତୁ୍ୟ ଘଟିଥିଲା । ସେପଟେ ବାପା ଉପେନ୍ଦ୍ର କୋଭିଡ୍ ଆକ୍ରାନ୍ତ ହୋଇ ପାରାଦୀପରେ ଚିକିତ୍ସିତ ହେଉଥିବା ବେଳେ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଗତକାଲି କଟକ ସ୍ଥାନାନ୍ତରିତ କରାଯାଉଥିଲା । ରାତି ସାଢେ ୯ଟାରେ ତାଙ୍କର ବି ମୃତୁ୍ୟ ଘଟିଛି । ଶ୍ରୀ ବିଶ୍ୱାଳ ହେଉଛନ୍ତି ପୂର୍ବତନ ସରପଞ୍ଚ ସ୍ୱର୍ଗତ ଉଦୟନାଥ ବିଶ୍ୱାଳଙ୍କ ପୁଅ । ୨୦୦୭ରେ ସେ ସରପଞ୍ଚ ଭାବେ ନିର୍ବାଚିତ ହୋଇ ପଞ୍ଚାୟତର ନାନା ବିକାଶମୂଳକ କାର୍ଯ୍ୟ କରିଥିଲେ ।
Comments are closed, but trackbacks and pingbacks are open.