ସଫା ହେଉନି ନୂଆସାହି ମୁଖ୍ୟ ନାଳ

Get real time updates directly on you device, subscribe now.

ଜୟପୁର,(ବାସୁଦେବ ଜେନାଙ୍କ ରିପୋର୍ଟ): ଆଉ ଦିନ ୨ଟା ପରେ କେରଳ ଛୁଇଁବ ମୌସୁମୀ ବାୟୁ । ଜୁନ୍ ପ୍ରଥମ ସପ୍ତାହରେ ଓଡିଶାରେ ପହଞ୍ଚିବା ଲାଗି ଆକଳନ କରୁଛି ପାଣିପାଗ ବିଭାଗ । ମୌସୁମୀ ପହଞ୍ଚିବା ପୂର୍ବରୁ ଆରମ୍ଭ ହୋଇଯିବ ପ୍ରାକ୍ ମୌସୁମୀ ବର୍ଷା । ପରିତାପର ବିଷୟ, ଏ ପର୍ଯ୍ୟନ୍ତ ପୌର ପ୍ରଶାସନ ପକ୍ଷରୁ ସଫେଇ ଏବଂ ପଙ୍କୋଦ୍ଧାର କାମ ଆରମ୍ଭ ହୋଇନି । ସହରର ମୁଖ୍ୟ ନାଳଗୁଡିକ ଆବର୍ଜନାରେ ଭର୍ତ୍ତି ହୋଇ ରହିଛି । ସେ ଭିତରେ ରହିଛି ନୂଆସାହି-ପଞ୍ଚାନନମନ୍ଦିର ଛକ ବାଇପାସ୍ ଡ୍ରେନ୍ । ନାଳ ସଫା ନକରି ଅଚିନ୍ତାରେ ରହିଛି ପୌର ପ୍ରଶାସନ । ପଙ୍କୋଦ୍ଧାର କରାନଗଲେ ଆଗାମୀ ଦିନରେ ଜଳ ନିଷ୍କାସନରେ ସମସ୍ୟା ସୃଷ୍ଟି ହେବ । ଯାହାକୁ ନେଇ ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ଚିନ୍ତା ବଢିଯାଇଛି ।
ବର୍ଷା ଆରମ୍ଭ ପୂର୍ବରୁ ପୌର ପ୍ରଶାସନ ପକ୍ଷରୁ ସହରର ସମସ୍ତ ନାଳ ସଫା କରାଯିବା କଥା । ବିଶେଷକରି ମୁଖ୍ୟ ନାଳଗୁଡିକରୁ ଅଳିଆ ଆବର୍ଜନା ସଫା ସହ ପଙ୍କ ଉଠାଯିବା ଦରକାର । ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । ଅଧିକଂଶ ମୁଖ୍ୟ ନାଳ ସଫା କରାଯାଇନି । ସହରର ମୁଖ୍ୟ ଡ୍ରେନ୍ ମଧ୍ୟରୁ ଚିକିଟି ନାଳ, ନୂଆସାହି-ପଞ୍ଚାନନ ମନ୍ଦିର ବାଇପାସ ଡ୍ରେନ୍, ମହାରଣୀପେଟାରୁ ପ୍ରଥମ ଦୈନିକ ବଜାର ଦେଇ ଯାଇଥିବା ନାଳରେ ଅଳିଆ ଜମି ରହିଛି । ନିୟମିତ ସଫା ହେଉନଥିବାରୁ ପଙ୍କ ଭର୍ତ୍ତି ହୋଇଗଲାଣି । ଚିକିଟି ନାଳ ଏବଂ ନୂଆସାହି ବାଇପାସ ଡ୍ରେନ୍ରେ ଅନାବନା ଗଛ ଉଠି ବଣ ପରି ଦେଖାଯାଉଛି । ପଙ୍କ, ପଲିଥିନ୍, ପ୍ଲାଷ୍ଟିକ ବୋତଲ ଜମି ଡ୍ରେନ୍ ପାଣି ଯିବାରେ ସମସ୍ୟା ସୃଷ୍ଟି କରୁଛି । ପୌର ପରିଷଦ ପକ୍ଷରୁ ଘର ଘର ବୁଲି ଅଳିଆ ସଂଗ୍ରହ କରାଯାଉଥିଲେ ବି କେତେକ ଅମାନିଆ ଆବର୍ଜନା ଡ୍ରେନ୍ରେ ପକାଉଛନ୍ତି । ଯଦ୍ୱାରା ନାଳ ଚୁଣ୍ଟି ହୋଇଯାଉଛି । ଲଗାଣ ବର୍ଷା ଆରମ୍ଭ ପୂର୍ବରୁ ଡ୍ରେନ ସଫାନହେଲେ ସହରରେ ୱାଟର ଲଗିଂ ସମସ୍ୟାର ସମ୍ଭାବନା ରହିଛି । ନାଳ ଜାମ୍ ହେଲେ ବର୍ଷାପାଣି ନିଷ୍କାସନ ନହୋଇ ତଳିଆ ଅଞ୍ଚଳରେ ପଶିଯିବ । ସେଠାରେ ଅଧିକାଂଶ ଲୋକ ଝାଟିମାଟି ଘର କରି ରହୁଛନ୍ତି । ଗତ ବର୍ଷା ଋତୁରେ ନୂଆସାହି ପଞ୍ଚମ ଗଳି ସହ ଆଖ ପାଖ ବସ୍ତିରେ ଡ୍ରେନ୍ ପାଣି ପଶିଯାଇଥିଲା । ଉତ୍ତ୍ୟକ୍ତ ଲୋକେ ଜଗନ୍ନାଥ ସାଗରକୁ ସଂଯୋଗ କରୁଥିବା ଡ୍ରେନ୍ କାଟି ଦେବା ସହ ଜରି, ବୋତଲ ରୋକିବା ଲାଗି ସାହି ମୁଣ୍ଡ ପୋଲରେ ଥିବା ଲୁହା ଜାଲି ବାହାର କରିଦେଇଥିଲେ । ମେସିନ୍ ପହଞ୍ଚି ଆବର୍ଜନା କାଢିବା ପରେ ଜଳସ୍ତର ଖସିଥିଲା । ଏପର୍ଯ୍ୟନ୍ତ ନାଳ ସଫା ସହ ପଙ୍କ କଢାଯାଇ ନଥିବାରୁ ବସ୍ତିବାସିନ୍ଦା ଚିନ୍ତାରେ ଅଛନ୍ତି । ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ବର୍ଷା ଆରମ୍ଭ ପୂର୍ବରୁ ଡ୍ରେନ ସଫା କାମ ସାରିବାକୁ ଦାବି ହେଉଛି ।
ଏ ସମ୍ପର୍କରେ ଜଣେ ପୌର କର୍ମଚାରୀ କହିଛନ୍ତି, ସହରର ମୁଖ୍ୟ ନାଳଗୁଡିକରୁ ପଙ୍କ ଏବଂ ଅନାବନା ଗଛ ଘାସ ହଟାଯିବ । ମେସିନ ଲଗାଇ ପଙ୍କ ସଫା କରାଯିବ । ଏଥିଲାଗି ନିଷ୍ପତ୍ତି ନିଆଯାଇଛି । ବିଭାଗୀୟ ଅନୁମତି ମିଳିବା ପରେ ଖୁବ୍ ଶୀଘ୍ର କାମ ଆରମ୍ଭ ହେବ । ବର୍ଷା ଋତୁ ଆରମ୍ଭ ପୂର୍ବରୁ ଡ୍ରେନ ସଫା କାମ ସରିବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons