ନୂଆଦିଲ୍ଲୀ:ସମଗ୍ର ଦେଶରେ ଟମାଟୋ ଦର ପୁଣି ଥରେ ଆକାଶ ଛୁଇଁଛି । ଦିଲ୍ଲୀ ଏବଂ ଏହାର ଆଖ ପାଖ ଅଞ୍ଚଳରେ ଟମାଟୋ ଦର କିଲୋ ପିଛା ୬୦ରୁ ୮୦ ଟଙ୍କାରେ ପହଞ୍ଚିଛି । ଏସବୁ ମଧ୍ୟରେ କେନ୍ଦ୍ର ସରକାର ଏହାର ଦର ଉପରେ ଅଙ୍କୁଶ ଲଗାଇବା ପାଇଁ ଯୋଗାଣ ବୃଦ୍ଧି ପାଇଁ ପଦକ୍ଷେପ ନେଉଛନ୍ତି । ଲୋକଙ୍କ ନିକଟରେ ଏହା ଯେପରି ପ୍ରଚୁର ମାତ୍ରାରେ ପହଞ୍ଚିବ ତାହା ଉପରେ ଗୁରୁତ୍ୱ ଦିଆଯାଉଛି । କିଲୋ ପିଛା ଟମାଟୋକୁ ୪୦ ଟଙ୍କାରେ ବିକ୍ରି କରିବା ପାଇଁ ସରକାରୀ କମ୍ପାନି ମଦର ଡାଏରିକୁ ନିର୍ଦ୍ଦେଶ ଦିଆଯାଇଛି । ହଠାତ୍ ଟମାଟୋ ଦରରେ ବଡ଼ ଧରଣ ବୃଦ୍ଧି ପଛରେ ଅନେକ କାରଣ ରହିଛି ।
ମହାରାଷ୍ଟ୍ରରେ କିଲୋ ପିଛା ଟମାଟୋ ଦର ୫୦ରୁ ୬୦ ଟଙ୍କା ରହିଛି । ବଜାର ବିଶେଷଜ୍ଞଙ୍କ ଅନୁସାରେ, ମରୁଡି ସ୍ଥିତି ଯୋଗୁ ଚାଷୀ ଟମାଟୋ ଚାଷ କରିପାରିନାହାନ୍ତି । ଫଳରେ ଯୋଗାଣରେ ସମସ୍ୟା ଦେଖାଦେଇଛି । ମହାରାଷ୍ଟ୍ରକୁ ଟମାଟୋ ଯୋଗାଣ ଏବେ ଗୁଜରାଟ ଏବଂ କର୍ଣ୍ଣାଟକରୁ ହେଉଛି ।
ଉତ୍ତର ପ୍ରଦେଶ ଏବଂ ବିହାରରେ ମଧ୍ୟ ଟମାଟୋ ଦର ଭାରି ରହିଛି । ଗତ କିଛି ଦିନ ହେବ ବିପୁଳ ବର୍ଷା ଯୋଗୁ ଏହି ରାଜ୍ୟଗୁଡିକରେ ଟମାଟୋ ଚାଷ ପ୍ରଭାବିତ ହୋଇଛି । ଏହି ରାଜ୍ୟଗୁଡିକ ଦିଲ୍ଲୀକୁ ଟମାଟୋ ଯୋଗାଇ ଥାଆନ୍ତି । ଫଳରେ ଏବେ ଦିଲ୍ଲୀ-ଏନ୍ସିଆର୍ରେ ବି ଟମାଟୋ ଦର ଆକାଶଛୁଆଁ ହୋଇଛି । ମହାରାଷ୍ଟ୍ରର ନାରାୟଣଗାଓଁରେ ପାଖାପାଖି ୧୮,୦୦୦ ଏକର ଜମିରେ ଟମାଟୋ ଚାଷ କରାଯାଇଥାଏ । ଦିନକରେ ଏଥିରୁ ପାଖାପାଖି ୧୪୦୦ ଟନ୍ ଟମାଟୋ ଆସିଥାଏ । ହେକ୍ଟର ପିଛା ଏଠାରେ ୧୨ରୁ ୧୫ ଟନ୍ ଟମାଟୋ ବାହାରେ । ଏବେ ହେକ୍ଟର ପିଛା ଟମାଟୋ ଉତ୍ପାଦନ ୭ରୁ ୮ ଟନ୍କୁ କମିଯାଇଛି । ଉତ୍ପାଦନ ହ୍ରାସ ଫଳରେ ପରିସ୍ଥିତି ଆଗକୁ ଅଧିକ ଖରାପ ହେବ ବୋଲି ବଜାର ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି ।
Comments are closed, but trackbacks and pingbacks are open.