ରାୟଗଡ଼ା: ରାୟଗଡ଼ା ବ୍ଲକ ହାଲୁଆ ପଞ୍ଚାୟତର ହାଲୁଆ ଗାଁ । ଖରା ଆରମ୍ଭରୁ ଗାଁରେ ଲାଗି ରହିଛି ଜଳକଷ୍ଟ । ଗାଁର ୪୦୦ ଲୋକଙ୍କ ପାଇଁ ଝଞ୍ଜାବତି ନଦୀ ପାଣି ହିଁ ଭରସା ପାଲଟିଛି । ସହରଠାରୁ ମାତ୍ର ୪ କିଲୋମିଟର ଦୂରରେ ଏହି ଗାଁ ରହିଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହାର ସମାଧାନ ଦିଗରେ କୌଣସି ପଦକ୍ଷେପ ନିଆଯାଇନି । ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତିି ଗ୍ରାମବାସୀ । ଜଳଯୋଗାଣ ନିମନ୍ତେ ସରକାରଙ୍କ ସମସ୍ତ ଯୋଜନା ଏଠି ଫେଲ୍ ମାରିଛି । ରାତି ପାହିଲେ ମୁନ୍ଦିଏ ପାଣି ପାଇଁ ଲୋକେ ଡହଳବିକଳ ହେଉଛନ୍ତି । ନଦୀର ଦୂଷିତ ପାଣିରେ ସେମାନଙ୍କ ଶୋଷ ମେଣ୍ଟୁଛି ।
ଅନୁସନ୍ଧାନରୁ ଜଣାପଡ଼ିଛି, ହାଲୁଆ ଗାଁରେ ୫୨ ପରିବାର ବାସ କରୁଛନ୍ତି । ଜନସଂଖ୍ୟା ପାଖାପାଖି ୪୦୦ । ଏତେ ଲୋକଙ୍କ ପାଇଁ ଗୋଟିଏ ମଧ୍ୟ ନଳକୂପ କାର୍ଯ୍ୟ କରୁନି । ୩ ମାସ ତଳେ ଗାଁରେ ୨ଟି ନଳକୂଅ ଖୋଳାଯାଇଥିଲା । ସେଗୁଡ଼ିକ ଏବେ ଅଚଳ ହୋଇପଡ଼ିଛି । ସମସ୍ତ ନଳକୂଅ ଖନନ ସମୟରେ ୧୦୦ ଫୁଟରୁ ଅଧିକ ଖୋଳାଯାଇଛି । କିନ୍ତୁ ଠିକାକାମ ନେଇଥିବା ଠିକାଦାର ସେଥିରେ ଚଞ୍ଚକତା କରି ମାତ୍ର ୬୦ ଫୁଟ ଲମ୍ବର ପାଇପ ବସାଇ ବଳକା ୪୦ ଫୁଟ ଖାଲି ଛାଡ଼ିଦେଇଛନ୍ତି । ଫଳରେ ଜଳସ୍ତର କମି ଆଉ ନଳକୂପ କାମରେ ଆସୁନି । ଯେତେବେଳେ ପାଣି ବାହାରୁଛି, ଦୀର୍ଘ ସମୟ ଅପେକ୍ଷା କଲେ ହାଣ୍ଡିଏ ମିଳୁଛି । ସେଥିରୁ ଗୋଳିଆ ଏବଂ ଆବର୍ଜନା ପାଣି ବାହାରୁଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି । ଗାଁରେ ସୋଲାର ଜଳଯୋଗାଣ ପ୍ରକଳ୍ପ ଅଦ୍ୟାବଧି କାର୍ଯ୍ୟକାରୀ ହୋଇନାହିଁ । ଅଚଳ ନଳକୂପଗୁଡ଼ିକ ସଚଳ କରିବା ନିମନ୍ତେ ଗ୍ରାମବାସୀ ପ୍ରାୟ ୧୦ ଥର ରାୟଗଡ଼ା ବ୍ଲକ କାର୍ଯ୍ୟାଳୟ ଏବଂ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ କାର୍ଯ୍ୟାଳୟରେ ଜଣାଇଛନ୍ତି । ଲିଖିତ ଭାବେ ନିଜର ଅଭିଯୋଗ ଦାଖଲ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିନଥିବା କହିଛନ୍ତି । ସୋମବାର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ପୁନର୍ବାର ଅବଗତ କରିଛନ୍ତିି । କେଉଁ କାରଣରୁ ସହରତଳି ହାଲୁଆ ଗ୍ରାମରେ ପାନୀୟଜଳ ସମସ୍ୟାର ସମାଧାନ ହେଉନାହିଁ, ତାହା ତଦନ୍ତ ସାପେକ୍ଷ ।
ଅପରପକ୍ଷରେ ନିଜର ଶୋଷ ମେଂଟାଇବା ଲାଗି ଗାଁ ଲୋକେ ପାଖରେ ବୋହିଯାଉଥିବା ଝଞ୍ଜାବତି ନଦୀ ଉପରେ ନିର୍ଭର କରୁଛନ୍ତିି । ରାତି ପାହିଲେ ମହିଳାମାନେ ଧାଡ଼ିବାନ୍ଧି ନଦୀକୁ ଯାଇ ଦୂଷିତ ଜଳ ସଂଗ୍ରହ କରୁଛନ୍ତି । ଏହାକୁ ପିଇବା ଦ୍ୱାରା ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛନ୍ତି । ଗାଁର ୯୦ ପ୍ରତିଶତ ଲୋକ ଦିନ ମଜୁରିଆ ହୋଇଥିବାରୁ ଜଳଯାତନା ସେମାନଙ୍କ ଜୀବନ ଜୀବିକା ଉପରେ ପ୍ରଭାବ ପକାଉଛି । କେତେକ ପରିବାର ଜଳଯାତନା ଦୂର ଲାଗି ପାଳିକରି ମଜୁରି ଖଟିବା ପାଇଁ ଯାଉଛନ୍ତି । ସ୍ୱଚ୍ଛ ପାଣି ପାଇଁ ସେମାନଙ୍କୁ ଗୋଟିଏ ଗୋଟିଏ ଦିନ ଅପେକ୍ଷା କରିବାକୁ ପଡ଼ୁଥିବା ଗ୍ରାମର ମହିଳାମାନେ ସୂଚନା ଦେଇଛନ୍ତି । ତୁରନ୍ତ ଜଳଯାତନା ଦୂରନହଲେ ଜାତୀୟ ରାଜପଥ ଅବରୋଧ କରିବେ ବୋଲି ଧମକ ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.