୧୧ ପ୍ରସ୍ତାବରେ କ୍ୟାବିନେଟ୍ ମୋହର

Get real time updates directly on you device, subscribe now.

ଭୁବନେଶ୍ୱର: କଳାହାଣ୍ଡି ଓ ନୂଆପଡା ଜିଲ୍ଲାବାସୀଙ୍କ ପାଇଁ ଖୁସି ଖବର । ଏବେ ଦୁଇ ଥାକିଆ ନୁହେଁ, ଚାରି ଥଳକିଆ ହେବ ବିଜୁ ଏକ୍ସପ୍ରେସ୍ ୱେ । ବର୍ତ୍ତମାନ କଳାହାଣ୍ଡି ଓ ନୂଆପଡ଼ାରେ ବିଜୁ ଏକ୍ସପ୍ରେସ୍ ୱେକୁ ଚାରି ଥାକିଆ କରିବାକୁ ନୀତିଗତ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କଳାହାଣ୍ଡିର ଆମ୍ବପାଣିରୁ ନୂଆପଡ଼ାର ଘାଟିପଡ଼ା ଯାଏ ୧୭୪ କିମି ରାସ୍ତାର ଚେହେରା ବଦଳିବ । ଏହାକୁ ଚାରି ଥାକିଆ ରାସ୍ତା କରିବାକୁ ୪୪୮ କୋଟି ଟଙ୍କା ଅଧିକ ଖର୍ଚ୍ଚ ହେବ । ଏ ପ୍ରସ୍ତାବରେ ଆଜି ମୋହର ମାରିଛି ରାଜ୍ୟ କ୍ୟାବିନେଟ୍ । ଏହାଛଡ଼ା କଟକ ଜାଇକା ପ୍ରକଳ୍ପର ମୁଖ୍ୟ କେନାଲରେ ବକ୍ସ କଲଭର୍ଟ ନିର୍ମାଣ କରାଯିବ । ଏ ବାବଦରେ ୪୫୦ କୋଟି ଟଙ୍କାର ଟେଣ୍ଡରକୁ ମଧ୍ୟ କ୍ୟାବିନେଟର ମଞ୍ଜୁରି ମିଳିଛି । ଏହାଛଡ଼ା ରାଜ୍ୟର ସରକାରୀ କର୍ମଚାରୀମାନେ ଏଣିକି ନିଜର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଓ ତା’ର ମୂଲ୍ୟ ସଂପର୍କରେ ସରକାରଙ୍କୁ ଅବଗତ କରାଇବେ । ଏହାର ନକଲ ଲୋକାୟୁକ୍ତଙ୍କ ପରଖକୁ ସରକାର ପଠାଇବେ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଲୋକସେବା ଭବନରେ ବସିଥିଲା । ଏ ବୈଠକରେ ୧୧ଟି ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ୍ । କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଲେ, ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ ୱେ ହେଉଛି ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ରାସ୍ତା । ଏବେ ଏହାର ସିନାପାଲି ଭାୟା ଧର୍ମଗଡ଼ ଦେଇ ଆମ୍ବପାଣି ଯାଏ ରାସ୍ତାକୁ ଚାରି ଥାକିଆ କରାଯିବ । ଏ ରାସ୍ତା ଚାରି ଥାକିଆ ହେବା ଦ୍ୱାରା କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାରେ ଶିଳ୍ପର ବିକାଶ ସହ ଆର୍ଥିକ ବିକାଶ ମଧ୍ୟ ହେବ । ଏ ଦୁଇ ଜିଲ୍ଲାର ବିକାଶରେ ଏହା ବଡ଼ ମାଧ୍ୟମ ସାଜିବ । ଇପିସି ଚୁକ୍ତିନାମାରେ ଏହାର ନିର୍ମାଣ କାମ ହେବ । ୧୭ କ୍ଷୁଦ୍ରପୋଲ, ୮ ଟି ବୃହତ୍ ପୋଲ ନିର୍ମାଣ କରାଯିବ । ନୂଆପଡ଼ାର ଘାଟିପଡ଼ାରୁ ସିନାପାଲ୍ଲୀ ଯାଏ ୧୦୪ କିମି ରାସ୍ତାରେ ୬ କ୍ଷୁଦ୍ର ପୋଲ ଓ ୬ ବୃହତ୍ ପୋଲ ନିର୍ମାଣ ହେବ । ସେହିଭଳି କଳାହାଣ୍ଡି ଜିଲ୍ଲାର ୬୯ କିମି ରାସ୍ତାରେ ୧୧ କ୍ଷୁଦ୍ରପୋଲ ଓ ୨ ବୃହତ୍ ପୋଲ ନିର୍ମାଣ କରାଯିବ ।
ଉଲ୍ଳେଖଯୋଗ୍ୟ, ରାଉରକେଲାରୁ କୋରାପୁଟ ଚାନ୍ଦିଲିକୁ ସଂଯୋଗ କରୁଥିବା ବିଜୁ ଏକ୍ସପ୍ରେସ୍ ୱେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ମଧ୍ୟରେ ଯାତାୟତକୁ ଅଧିକ ସୁଗମ କରିପାରିଛି । ପ୍ରାୟ ୩୭୦୦ କୋଟି ଟଙ୍କା ବ୍ୟୟରେ ୬୫୦ କିମିର ଏ ଏକ୍ସପ୍ରେସ ୱେ ପଶ୍ଚିମ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶା ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଉଛି । ଏହି ରାସ୍ତାର ୩୦୭ କିମି ରାସ୍ତାକୁ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ୪ ଲେନ୍ କରିବାକୁ ପ୍ରସ୍ତାବ ରଖିଛନ୍ତି । ରାଉରକେଲାରୁ ସମ୍ବଲପୁର ୧୬୦ କିମି ରାସ୍ତାକୁ ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ପିପିପି ମୋଡରେ ୪ ଥାକିଆ ହେବ । ଏହିକ୍ରମରେ କ୍ୟାବିନେଟ୍ ଆଜି ୧୭୪ କିମି ରାସ୍ତା ପାଇଁ ଟେଣ୍ଡରକୁ ଅନୁମୋଦନ କରିଛି ।
ସେହିଭଳି କଟକ ଜାଇକା ପ୍ରକଳ୍ପର ମୁଖ୍ୟ ନାଳର ପଟାପୋଲ ଠାରୁ ମାତୃଭବନ ଯାଏ ବକ୍ସ କଲଭର୍ଟ ନିର୍ମାଣ କରାଯିବ । ଏ ବାବଦକୁ ୪୫୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏ ସଂପର୍କିତ ଟେଣ୍ଡରକୁ ମଞ୍ଜୁରି ଦେଇଛି କ୍ୟାବିନେଟ୍ । ଆସନ୍ତା ଜୁଲାଇରୁ ଏହାର କାମ ଆରମ୍ଭ ହୋଇ ୨୦୨୨ ଡିସେମ୍ବର ସୁଦ୍ଧା ଏହାର ନିର୍ମାଣ କାମ ଶେଷ ହେବ ବୋଲି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି । ଏହାଦ୍ୱାରା କଟକ ସହରର ମୁଖ୍ୟ ଜନଗହଳି ରାସ୍ତାରେ ବର୍ଷା ସମୟରେ ଅତିରିକ୍ତ ଜଳର ନିଷ୍କାସନ ସହ ଟ୍ରାଫିକ ସମସ୍ୟାର ସମଧାନ ହେବ । ସେହିଭଳି ଓଡ଼ିଶା ଟିକସ ଓ ହିସାବ ସେବା ନିୟମାବଳୀରେ ସଂଶୋଧନ କରାଯିବ । ଏବେ ତାଲିମରେ ଆଧୁନିକ ଜ୍ଞାନ କୌଶଳ ପ୍ରୟୋଗ କରାଯାଉଛି । ତେଣୁ ଓଡ଼ିଶା ଲୋକସେବା ଆୟୋଗ ଜରିଆରେ ନିଯୁକ୍ତି ପାଇଥିବା ସେବାଧାରୀ ଏଣିକି ମଧୁସୂଦନ ଦାସ ଆଞ୍ଚଳିକ ଆର୍ଥିକ ପରିଚାଳନା ପ୍ରତିÂାନରେ ବର୍ଷିକିଆ ପ୍ରଶିକ୍ଷଣ ବଦଳରେ ୧ ମାସ ପ୍ରଶିକ୍ଷଣ ନେବେ । ଇଡକଲକୁ ଶିଳ୍ପ ବିଭାଗରୁ ଇସ୍ପାତ ଓ ଖଣି ବିଭାଗକୁ ସ୍ଥାନାନ୍ତର କରାଯାଇଛି ।
ରାଜ୍ୟ ସରକାରୀ କର୍ମଚାରୀମାନେ ନିଜ ନାମରେ ଥିବା ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସଂପର୍କରେ ସମ୍ପୂର୍ଣ୍ଣ ସତ୍ୟ ଘୋଷଣା କରିବେ । ଏହାର ନକଲ ଲୋକାୟୁକ୍ତଙ୍କ ପାଖକୁ ପଠାଯିବ । ଏଥିପାଇଁ ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି । ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) କ୍ୟାଡରରେ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ କରିଛି । ନୂଆ ଯୋଜନା ଓ କାର୍ଯ୍ୟକ୍ରମ ସରକାର ହାତକୁ ନେଇଥିବାରୁ ଏଥିପାଇଁ ୨୨୦ ନୂଆ ଓଏଏସ୍ ପଦବି ସୃଷ୍ଟି କରାଯିବ । ୧୯୦୩ ଓଏଏସ୍ ପଦବି ୨୧୨୩ରେ ପହଞ୍ଚିବ । ୬୫ ବର୍ଷ ତଳର ଓଡ଼ିଶା ଟାଉନପ୍ଲାନିଂ ଆଣ୍ଡ ଇମ୍ପ୍ରୁଭମେଣ୍ଟ ଟ୍ରଷ୍ଟ ଆଇନରେ ସଂଶୋଧନ କରାଯିବ । ସହରାଞ୍ଚଳ ଯୋଜନା ତଥା ଉନ୍ନତିକରଣ ପାଇଁ ଏ ଅଧିନିୟମରେ ସଂଶୋଧନ କରାଯିବ । ସହରାଞ୍ଚଳରେ ଛୋଟ କୋଠାବାଡ଼ିର ଅନୁମୋଦନ ପ୍ରକ୍ରିୟାକୁ କୋହଳ କରାଯିବ । ରାଜ୍ୟର ସମସ୍ତ ସହରରେ ଅନଲାଇନ୍ କୋଠାବାଡ଼ି ପ୍ଲାନ ଅନୁମୋଦନ କାର୍ଯ୍ୟକାରୀ ହେବ । ବେଆଇନ ନିର୍ମାଣ ପାଇଁ ଆବଶ୍ୟକୀୟ ଦଣ୍ଡବିଧାନ ମଧ୍ୟ ରହିବ । ପ୍ରସ୍ତାବିତ ଓଡ଼ିଶା ପ୍ରାଣୀ ଚିକିତ୍ସା ବୈଷୟିକ ସେବା ଗ୍ରୁପ୍ -ଗ ନିଯୁକ୍ତି ସର୍ତ୍ତାବଳୀରେ ସଂଶୋଧନ ହୋଇଛି । ଏଣିକି ପ୍ରାଣୀଧନ ନିରୀକ୍ଷକ ପଦବି ପାଇଁ ମଞ୍ଜୁରୀପ୍ରାପ୍ତ ପଦବୀର ୯୦ଧ ସିଧାସଳଖ ନିଯୁକ୍ତି ଓ ୧୦ଧ ଯୋଗ୍ୟ ବିବେଚିତ ଗ୍ରୁପ୍ ଘ ପ୍ରାର୍ଥୀଙ୍କ ଦ୍ୱାରା ପୂରଣ ହେବ ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons