ଅଧାରେ ଅଟକିଗଲା ମେଡିକାଲ କଲେଜ ଲିଫ୍ଟ:ଫସିଗଲେ ୨ ଜଣ, ଅଧାଘଣ୍ଟା ଝାଳନାଳ

Get real time updates directly on you device, subscribe now.

କୋରାପୁଟ,(ବି.ବି.ନ୍ୟୁଜ୍): ଲିଫ୍ଟରେ ଫସିଗଲେ ରୋଗୀ ସମ୍ପର୍କୀୟ । ଗରମରେ ଝାଳନାଳ ହୋଇଗଲେ । ଅଣନିଃଶ୍ୱାସୀ ହୋଇପଡ଼ିଲେ । ଦୀର୍ଘ ଅଧଘଣ୍ଟା ପରେ ଉଦ୍ଧାର କରାଗଲା । ତା ପରେ ଯାଇ ସେମାନଙ୍କ ପିଣ୍ଡରେ ପ୍ରାଣ ପଶିଥିଲା । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ । ଗୋଟିଏ ପରେ ଗୋଟିଏ ଅବ୍ୟବସ୍ଥାକୁ ନେଇ ଗତ କିଛିଦିନ ହେଲା ଚର୍ଚ୍ଚାରେ ରହିଆସୁଛି ଏହି କଲେଜ । ଆଜିର ଘଟଣା ପରେ ମେଡିକାଲ କଲେଜ ଭଳି ଏକ ଦାୟିତ୍ୱସମ୍ପନ୍ନ ଅନୁଷ୍ଠାନର ଏଭଳି ଅବ୍ୟବସ୍ଥାକୁ ଲୋକେ ନିନ୍ଦା କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ନବରଙ୍ଗପୁର ଜିଲ୍ଲାର ହରିବନ୍ଧୁ ମଣ୍ଡଳ ଏବଂ ବିପୁଲ ପାଳ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ସେମାନଙ୍କ ସମ୍ପର୍କୀୟଙ୍କୁ ଦେଖା କରିବାକୁ ଆସିଥିଲେ । ଭେଷଜ ୱାର୍ଡ଼କୁ ଯିବା ଲାଗି ଲିଫ୍ଟରେ ଚଢିଥିଲେ । ଲିଫ୍ଟଟି ଅଳ୍ପ ବାଟ ଯିବା ପରେ ହଠାତ୍ ମଝିରେ ଅଟକି ଯାଇଥିଲା । ହରିବନ୍ଧୁ ଓ ବିପୁଳ ଲିଫ୍ଟର ସୁଇଚଗୁଡିକୁ ଚିପାଚିପି କରି ଯେତେ ଚେଷ୍ଟା କରିଥିଲେ ବି ତଳକୁ କିମ୍ବା ଉପରକୁ ଯାଇନଥିଲା । କୌଣସି ଅଘଟଣ ଆଶଙ୍କା କରି ପ୍ରଥମେ ସେମାନେ ଲିଫ୍ଟକୁ ଖୋଲିବାକୁ ପ୍ରଥମେ ଉଦ୍ୟମ କରିଥିଲେ । ବିଫଳ ହେବାରୁ ତୁରନ୍ତ ଲିଫ୍ଟ ଭିତରେ ଥିବା ସାଇରନ୍ ବଜାଇଥିଲେ । ତଥାପି କେହି ଉଦ୍ଧାର କରିବାକୁ ନ ପହଞ୍ଚିବାରୁ ସଂପୂର୍ଣ୍ଣ ଭୟଭୀତ ହୋଇପଡିଥିଲେ । ଲିଫ୍ଟ ଭିତରେ ଅନ୍ୟ କେହି ନଥିବା ବେଳେ ସମୟ ବଢିବା ସହ ଦୁହେଁ ଅସୁରକ୍ଷିତ ଅନୁଭବ କରୁଥିଲେ । ଅଧ ଘଣ୍ଟା ପରେ ଜୟପୁର ଜିଲ୍ଲା ମେଡିକାଲରେ କାର୍ଯ୍ୟରତ ଜଣେ ଟେକ୍ନିସିଆନ ପହଞ୍ଚିଥିଲେ । ଲିଫ୍ଟକୁ ଭିଡାଭିଡି କରି ଖୋଲିବା ପରେ ଦୁହେଁ ବାହାରକୁ ଆସିଥିଲେ ।
ଏଭଳି ଅବ୍ୟବସ୍ଥା ସମ୍ପର୍କରେ ମେଡିକାଲ କଲେଜ ଅଧୀକ୍ଷକ ଏଚ୍. ଦଳେଇଙ୍କୁ ପଚାରିବାରୁ ସେ କହିଛନ୍ତିି ତାଙ୍କ ପାଖରେ ଏଭଳି ଖବର ନାହିଁ । ବିଦ୍ୟୁତ୍ ଚାଲି ଯାଇଥିଲେ ସମସ୍ୟା ହୋଇଥାଇପାରେ । ଏଠାରେ ଲିଫ୍ଟ ପାଇଁ କୌଣସି ଟେକନିସିଆନ ନାହାନ୍ତି । ତେଣୁ କାଁଭାଁ କେତେବେଳେ କେମିତି ଏଭଳି ତ୍ରୁଟି ହୋଇଥାଏ ବୋଲି ସେ ସଫେଇ ଦେଇଛନ୍ତି । ଟେକନିସିଆନ ନିଯୁକ୍ତି ପାଇଁ ଟେଣ୍ଡର ପ୍ରକ୍ରିଆ ଚାଲିଛି ଏବଂ ଅତିଶୀଘ୍ର ସମସ୍ୟା ଦୂର ହେବ ବୋଲି ମଧ୍ୟ ସୂଚନା ଦେଇଛନ୍ତି । ପ୍ରଶ୍ନ ଉଠୁଛି, ଯଦି ଲିଫ୍ଟ ଭିତରେ କିଛି ଅଘଟଣ ଘଟିଥାନ୍ତା, ତାହେଲେ ଦାୟୀ ହୋଇଥାନ୍ତା କିଏ ।
ଏହି ଘଟଣା ପରେ ଲିଫ୍ଟର ପ୍ରବେଶ ପଥ ସମ୍ମୁଖରେ ଚେୟାର ପକାଯାଇ ବନ୍ଦ କରାଯାଇଛି । ଆଜିର ଏଭଳି ଘଟଣାକୁ ଲୋକେ ସହଜରେ ଗ୍ରହଣ କରିପାରି ନାହାନ୍ତି । ଲିଫ୍ଟରେ ଅଧିକ ଲୋକ ଥିଲେ ଅବସ୍ଥା ସାଂଘାତିକ ହୋଇଥାନ୍ତା ବୋଲି କେତେଜଣ କହିଛନ୍ତି । ଲିଫ୍ଟ କାମ କରୁଥିଲେ କର୍ତ୍ତୃପକ୍ଷ ଏହା ପାଖରେ ନୋଟିସ୍ ଲେଖି ଲୋକଙ୍କୁ ଜଣାଇବା ଦରକାର ବୋଲି ସେମାନେ କହିଛନ୍ତି । କର୍ତ୍ତୃପକ୍ଷଙ୍କ ଅବହେଳାକୁ ସାଧାରଣ ଲୋକେ ଦାୟୀ କରିଛନ୍ତି । ଲିଫ୍ଟ ନିରୀକ୍ଷଣ କରିବାକୁ କର୍ମଚାରୀ ନିଯୁକ୍ତି ଜରୁରୀ ଥିବା ବେଳେ କର୍ତ୍ତୃପକ୍ଷ ଲୋକଙ୍କ ଜୀବନକୁ ଏଭଳି ବିପଦ ମୁହଁକୁ ଠେଲିବା ଉଚିତ ନୁହେଁ ବୋଲି ସ୍ଥାନୀୟ ପ୍ରେସ୍ କ୍ଲବ ସଭାପତି ଭବାନୀ ଶଙ୍କର ମିଶ୍ର କହିଛନ୍ତି । ଅଳ୍ପକେ ଜୀବନ ରହିଗଲା ବୋଲି କହିଛନ୍ତି ହରିବନ୍ଧୁ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons