କଟକ: ବିଶିଷ୍ଟ ଓଲିଉଡ୍ କଣ୍ଠଶିଳ୍ପୀ ଧ୍ରୁତିତପା ମିଶ୍ର(ତପୁ)ଙ୍କର ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲ୍ରେ ଶନିବାର ରାତି ପ୍ରାୟ ୧୧ଟାରେ ପରଲୋକ ହୋଇଯାଇଛି । ତାଙ୍କୁ ୩୬ ବର୍ଷ ହୋଇଥିଲା । ତାଙ୍କ ଶେଷଶଯ୍ୟା ନିକଟରେ ସ୍ୱାମୀ ଦୀପକ ପୂଜାହାରୀ, ଭଉଣୀ ଧ୍ରୁତିଦୀପା ଉପସ୍ଥିତ ଥିଲେ । ରାତି ପ୍ରାୟ ୧୧ଟାରେ ତାଙ୍କର ପରଲୋକ ହୋଇଥିବା ମେଡିକାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦୀର୍ଘଦିନ ଧରି ତପୁ ଅସୁସ୍ଥ ଥାଇ ଚିକିତ୍ସିତ ହେଉଥିଲେ । ପ୍ରଥମେ କରୋନାରୁ ମୁକ୍ତ ହେବା ପରେ ସେ ଅଧିକ ଗୁରୁତର ହୋଇପଡ଼ିଥିବାରୁ ତାଙ୍କୁ ଆଇସିୟୁରେ ରଖାଯାଇଥିଲା ।
ତପୁ ସମ୍ବଲପୁର ମୋଦିପଡ଼ାଠାରେ ୧୯୮୫ ମସିହା ଜାନୁଆରୀ ୧୧ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ କ୍ଷେତ୍ରମୋହନ ମିଶ୍ର । କ୍ଷେତ୍ରମୋହନଙ୍କ ତିନି ଝିଅ ମଧ୍ୟରେ ତପୁ ଥିଲେ ସାନ ଝିଅ । ସଙ୍ଗୀତ ପ୍ରତି ତାଙ୍କର ପିଲାବେଳୁ ଦୁର୍ବଳତା ତାଙ୍କୁ ଟାଣି ଆଣିଥିଲା ଓଡ଼ିଆ ସିନେ ଜଗତକୁ । ହିନ୍ଦୀ, ଓଡ଼ିଆ, ବେଙ୍ଗଲି, ଛତିଶଗଡ଼ି, ସମ୍ବଲପୁରୀ ସବୁ ପ୍ରକାର ପିଲାଦିନରୁ ସେ ବେଶ ସ୍ୱର, ତାଳ ଏବଂ ଲୟରେ ଗାଇ ପାରୁଥିଲେ । ଏସବୁ ତାଙ୍କୁ ଗୀତ ଶିଖାଉଥିବା ଗୁରୁମାନଙ୍କୁ ମଧ୍ୟ ଅଧିକ ଉତ୍ସାହିତ କରିଥିଲା । ତାଙ୍କ ଗୁରୁ ଜ୍ଞାନଞ୍ଜନ ମହାପାତ୍ରଙ୍କଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷାଲାଭ କରିଥିଲେ । ପରେ ସେ ଆଗକୁ ଆଗକୁ ମାଡ଼ି ଚାଲିଥିଲେ । ସମ୍ବଲପୁରୀ ଗୀତ ମନ ଯମୁନାର କୂଳେ ଗୀତ ଗାଇ ଲୋକପ୍ରିୟ ହୋଇଥିଲେ । ଏହା ପରେ ଗୀତ ପାଇଁ ଭୁବନେଶ୍ୱର ଚାଲି ଆସିଥିଲେ । ‘ଆଇ ଲଭ ୟୁ’ ଚଳଚିତ୍ର ତାଙ୍କ ପାଇଁ ଏକ ମାଇଲ୍ଷ୍ଟୋନ୍ ପାଲଟିଥିଲା । କିନ୍ତୁ ବିଶିଷ୍ଟ ସଙ୍ଗୀତ ନିଦେ୍ର୍ଧଶକ ସ୍ୱରୂପ ନାୟକ ତପୁଙ୍କୁ ପ୍ରଥମଥର ଚଳଚିତ୍ରରେ ବ୍ରେକ ଦେଇଥିଲେ । କୁଳନନ୍ଦନ ସିନେମାରେ ତପୁ ପ୍ରଥମେ କଣ୍ଠଦାନ କରିଥିଲେ । ଏଥିରେ ନାୟକ ଭାବେ ସୁପରଷ୍ଟାର ସିଦ୍ଧାନ୍ତ ମହାପାତ୍ର ଏବଂ ମେଘନା ମିଶ୍ର ନାୟିକା ଭାବେ ଅଭିନୟ କରିଥିଲେ । ଏହାର ନିଦେ୍ର୍ଧଶକ ଥିଲେ ଚଣ୍ଡୀ ପରିଜା । ଏଥିରେ ତପୁଙ୍କ ଗୀତ ଶ୍ରୋତାଙ୍କୁ ବିମୋହିତ କରିଥିଲା । ଏହା ପରେ ୨୦୦୫ରେ ଅର୍ଜୁନ ଚଳଚିତ୍ରରେ ଗାଇଥିବା ଗୀତ ମୁଁ ତୁମକୁ ଭଲ ପାଏ ଲୋକପ୍ରିୟତା ଆଣି ଦେଇଥିଲା ।
ଏହା ପରେ ଲେଖିଛି ନାଁ ତୋର, ସାଲୋନି ସାଲୋନି, ଦିଲ୍ ଜାନିୟା, ମୁଁ ଖାଣ୍ଟି ଓଡ଼ିଆ ଝିଅ, ଧିରେ ଧିରେ ଭଳି ବହୁ ସୁପରହିଟ୍ ଗୀତ ଗାଇ ଓଡଲିଉ୍ରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ଚଳଚିତ୍ର ଚକୋଲେଟ, ଲୋଫର୍, ସ୍ୱୟଂସିଦ୍ଧା, ଆଖି ପଲକରେ ତୁ, ଧିରେ ଧିରେ ପ୍ରେମ ହେଲା, ଆଉ ଲଭ୍ ୟୁ, ଟୋପାଏ ସିନ୍ଦୂୂର ଦିଟୋପା ଲୁହ ପ୍ରଭୃତି ପ୍ରାୟ ୧୫୦ରୁ ଊଦ୍ଧ୍ୱର୍ ଚଳଚିତ୍ରରେ କଣ୍ଠଦାନ କରି ଓଲିଉଡ୍ରେ ବେଶ୍ ଲୋକପ୍ରିୟ ହୋଇପାରିଥିଲେ । ରକତ ଚିହ୍ନିଛି ନିଜର କିଏ, ବର୍ଷା ମାଇଁ ଡାର୍ଲିଂ, ଓ ମାଇ ଲଭ୍, ପ୍ରିୟା ମୋ ପ୍ରିୟା, ଶାଶୂ ଘର ଚାଲିଯିବି, ମୁଁ ତତେ ଲଭ୍ କରୁଛି, ପାଗଳପ୍ରେମୀ, ଏ ଯୁଗର କୃଷ୍ଣ ସୁଦାମା, ଲାଲ ଟୁକୁଟୁକୁ ସାଧବ ବୋହୂ, ମତେ ଆଣିଦେଲ ଲକ୍ଷେ ଫଗୁଣ, ନନ୍ଦିନୀ ଆଇ ଲଭ୍ ୟୁ, ପ୍ରେମରୋଗୀ, ତୋ ପାଇଁ, ସଞ୍ଜୁ ଆଉ ସଞ୍ଜନା, ମୋଷ୍ଟ ୱାଣ୍ଟେଡ୍ ପ୍ରଭୃତି ସିନେମାରେ ଗୀତ ଗାଇଥିବା ତପୁ ଦୀର୍ଘ ୨୦ ବର୍ଷରୁ ଊଦ୍ଧ୍ୱର୍ ଓଲିଉଡ୍ରେ ରାଜ୍ କରି ଆସୁଥିଲେ । କେବଳ ଚଳଚିତ୍ର ଗୀତ ନୁହେଁ ବହୁ ଆଲ୍ବମ୍ରେ ମଧ୍ୟ ତାଙ୍କ ସ୍ୱରର ଯାଦୁ ଶୁଣିବାକୁ ମିଳିଥିଲା । ୨ ହଜାରରୁ ଅଧିକ ଗୀତରେ ତପୁ କଣ୍ଠଦାନ କରିଛନ୍ତି । ସେ ତାଙ୍କର ସୁମଧୁର କଣ୍ଠସ୍ୱର ପାଇଁ ଅନେକଥର ରାଜ୍ୟ ଚଳଚିତ୍ର ପୁରସ୍କାର ମଧ୍ୟ ପାଇଛନ୍ତି । ଏହାଛଡ଼ା ତପୁ ଓଡ଼ିଆ ଦୂରଦର୍ଶନ କାର୍ଯ୍ୟକ୍ରମରେ ଜଣେ ବିଚାରକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତରଙ୍ଗ ଟିଭିରେ ପ୍ରସାରିତ ଭଏଏସ୍ ଅଫ ଓଡ଼ିଶାରେ ଜଣେ ବିଚାରକ ଭାବରେ କାର୍ଯ୍ୟ କରିଥିଲେ । ଯେଉଁଥିରେ ତାଙ୍କ ସହିତ ଗୁଡ୍ଲୀ ରଥ ଏବଂ ପମି ଅନ୍ୟ ବିଚାରକ ଭାବେ କାର୍ଯ୍ୟ କରିଥିଲେ । ୨୦୧୮ ମସିହା ଡିସେମ୍ବରରେ ତପୁ ବିବାହ କରିଥିଲେ । ଏହା ପରେ କିଛି ଦିନର ବିରତି ପରେ ପୁଣି ଥରେ ଓଲିଉଡ୍କୁ କମ୍ବ୍ୟାକ୍ କରିଥିଲେ । ଏବେ ବି ତପୁ ଗାଇଥିବା ୧୦ରୁ ଊଦ୍ଧ୍ୱର୍ ଚଳଚିତ୍ର ରିଲିଜ୍ ଅପେକ୍ଷାରେ ଅଛି । ଆଜି ତାଙ୍କ ପରଲୋକରେ ଓଡ଼ିଆ ଚଳଚିତ୍ର ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟିହୋଇଛି । ତାଙ୍କ ପରଲୋକରେ ଓଲିଉଡ୍ରେ ଗଭୀର ଶୋକପ୍ରକାଶ ପାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.