ଭୁବନେଶ୍ୱର: ପ୍ରାୟ ୪ ମାସ ବାହାରେ ରହିବା ପରେ ଦନ୍ତା “ରାମୁ’ ଭରତପୁର ଜଙ୍ଗଲକୁ ମୁହାଁଇଛି । ତେବେ ଭରତପୁର ଜଙ୍ଗଲରେ ୧୩ ସଦସ୍ୟ ବିଶିଷ୍ଟ ଏକ ହାତୀ ଦଳ ଡେରା ପକାଇଥିବାରୁ ରାମୁ ଦନ୍ତାର ଅଡ଼ୁଆ ବଢ଼ିଛି । ସେ ଜଙ୍ଗଲ ଭିତରେ ନ ରହି ଆଖପାଖ ଜନବସତି, ଶସ୍ୟକ୍ଷେତ୍ର, ଜଙ୍ଗଲରେ ବୁଲୁଛି । ଆଜି ରାମୁ ଅନ୍ଧାରୁଆ ଅଞ୍ଚଳରେ ପଶିଛି । ଏଠାରେ ଥିବା ଶନି ମନ୍ଦିର ବଗିଚାରେ ପଶି ଗଛରୁ ପଣସ, ଆମ୍ବ ଭାଙ୍ଗି ଖାଉଥିବା ଖବର ମିଳିଛି । ସ୍ଥାନୀୟ ଲୋକେ ପୂର୍ବରୁ ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ କରିଥିବାରୁ ହାତୀକୁ ଘଉଡ଼ାଇବା ଲାଗି କୌଣସି କର୍ମଚାରୀ ଅନ୍ଧାରୁଆ ଯିବାକୁ ରାଜି ହେଉନାହାନ୍ତି ।
ରାମୁ ହାତୀ ଭରତପୁର ଜଙ୍ଗଲରେ ଘର କରିଥିଲା । ତେବେ ତା’ର ଘନିÂ ସାଥୀ ଖଣ୍ଡି ନାମକ ଅନ୍ୟ ଏକ ଦନ୍ତା ଖୋର୍ଦ୍ଧା ରେଞ୍ଜ ଅଞ୍ଚଳକୁ ଯାଇ ଆଉ ଫେରି ନଥିଲା । ଜଙ୍କିଆ ନିକଟରେ ଖଣ୍ଡିର ମୃତ ଦେହ ଠାବ କରାଯାଇଥିଲା । ଦିନ ଥିଲା ରାମୁ ଭରତପୁର ଜଙ୍ଗଲରୁ ପଦାକୁ ବାହାରୁ ନଥିଲା । ହେଲେ ଖଣ୍ଡି ନ ଫେରିବାରୁ ରାମୁ ତାକୁ ଖୋଜିବାକୁ ଯାଇ ଖୋର୍ଦ୍ଧା, ନୟାଗଡ଼ ଜିଲ୍ଲା ଜଙ୍ଗଲକୁ ଯାଏ । ନ ପାଇ ପୁଣି ଫେରିଆସେ । ଇତିମଧ୍ୟରେ ଭରତପୁର ଜଙ୍ଗଲରେ ଏକ ହାତୀ ଦଳ ଦୀର୍ଘ ୨ ବର୍ଷ ଧରି ଡେରା ପକାଇଛନ୍ତି । ରାମୁ ଭରତପୁର ଜଙ୍ଗଲରେ ପହଞ୍ଚିଲେ ସ୍ୱାଭାବିକ ଭାବେ ବୁଲି ପାରୁନି । ତେଣୁ ରାତିରେ ଆଖପାଖ ଗ୍ରାମାଞ୍ଚଳରେ ପଶି ଫସଲ, ବାରିବଗିଚାରେ ପଶି ନଷ୍ଟ କରୁଛି । କିଛି ଦିନ ତଳେ ରାମୁ ଖୋର୍ଦ୍ଧା ଅଞ୍ଚଳରୁ ଫେରି ଆସିଛି । ଭରତପୁର ଜଙ୍ଗଲରୁ ବାହାରି ବାଡ଼ିବଗିଚାରୁ ଫଳମୂଳ, ଫସଲ ଖାଇ ଯାଉଛି । ଆଜି ସନ୍ଧ୍ୟାରେ ମାଳିମା’ ଠାକୁରାଣୀ ଛକରେ ଭରତପୁର ଜଙ୍ଗଲରୁ ବାହାରି ଅନ୍ଧାରୁଆ ଶନି ମନ୍ଦିର ବଗିଚାରେ ପଶିଛି । ଏପଟେ ହାତୀ ଘଉଡ଼ାଇବାକୁ ବନ ବିଭାଗ କର୍ମଚାରୀ ନାରାଜ । କାରଣ ଗତ ବର୍ଷ ସେପ୍ଟେମ୍ବର ୪ ତାରିଖ ରାତିରେ ଅନ୍ଧାରୁଆ ଅଞ୍ଚଳରେ ରାମୁ ହାତୀ ପଶିଥିଲା । ତାକୁ ଘଉଡ଼ାଇ ଭରତପୁର ଜଙ୍ଗଲ ମୁହାଁ କରିବାକୁ କିଛି ବନ କର୍ମଚାରୀ ଯାଇଥିଲେ । ଏହି ସମୟରେ କିଛି ସ୍ଥାନୀୟ ଯୁବକ ସଂଘବଦ୍ଧ ହୋଇ ବନ ବିଭାଗ କର୍ମଚାରୀଙ୍କ ଉପରେ ଆକ୍ରମଣ କରିଥିଲେ । ବିଭାଗୀୟ ଜିପ୍କୁ ଭଙ୍ଗାରୁଜା କରିଥିଲେ । ଏଥିରେ ୪ ଜଣ କର୍ମଚାରୀ ଆହତ ହୋଇଥିଲେ । ବନ ବିଭାଗ ପକ୍ଷରୁ ଚନ୍ଦକା ଥାନାରେ ଏତଲା ଦିଆ ଯାଇଥିଲେ ମଧ୍ୟ ଏଯାଏ ପୁଲିସ କାହାକୁ ଗିରଫ କରିନାହିଁ । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ବିଭାଗୀୟ କର୍ମଚାରୀ ଅସୁରକ୍ଷିତ ମଣି ସେଠାକୁ ଯାଉନାହାନ୍ତି । ଫଳରେ ରାମୁ ହାତୀ ସେଠାରେ ନିରଙ୍କୁଶ ଭାବେ ଫସଲ ନଷ୍ଟ କରି ଚାଲିଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.