ଦୂତିଙ୍କ ନୂଆ ଜାତୀୟ ରେକର୍ଡ

Get real time updates directly on you device, subscribe now.

ଭୁବନେଶ୍ୱର: କଠିନ ପରିଶ୍ରମ ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ଓଡ଼ିଆ ଅଲିମ୍ପିଆନ ଦୂତି ଚାନ୍ଦ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଚଢ଼ି ଚାଲିଛନ୍ତି । ଆଜି ପଟିଆଲାରେ ଆୟୋଜିତ ଚତୁର୍ଥ ଇଣ୍ଡିଆନ ଗ୍ରାଁପ୍ରି ମହିଳା ୧୦୦ ମିଟର ଦୌଡ଼ ଇଭେଣ୍ଟରେ ଆକର୍ଷଣୀୟ ଟାଇମିଂ ସହ ନୂଆ ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି । ନିର୍ଦ୍ଧାରିତ ଦୂରତାକୁ ସେ ୧୧.୧୭ ସେକେଣ୍ଡରେ ଅତିକ୍ରମ କରିଥିଲେ । କିନ୍ତୁ ଟୋକିଓ ଅଲିମ୍ପିକ୍ସ ଯୋଗ୍ୟତା ଠାରୁ ମାତ୍ର ୦.୦୨ ମାଇକ୍ରୋ ସେକେଣ୍ଡ ପଛରେ ପଡ଼ି ଯାଇଥିଲେ । ଟୋକିଓ ପାଇଁ ଯୋଗ୍ୟତା ଟାଇମିଂ ରହିଛି ୧୧.୧୫ ସେକେଣ୍ଡ ।
୨୦୧୬ ମସିହାରୁ ଦୂତିଙ୍କ ନାମରେ ଜାତୀୟ ରେକର୍ଡ ରହିଛି । ପୂର୍ବରୁ ରଚିତା ମିସ୍ତ୍ରୀଙ୍କ (୧୧.୩୮) ନାମରେ ୧୦୦ ମିଟରରେ ଜାତୀୟ ରେକର୍ଡ ରହିଥିଲା । ୧୬ ବର୍ଷ ପରେ ଦୂତି (୧୧.୩୩) ନୂଆଦିଲ୍ଲୀରେ ଆୟୋଜିତ ଜାତୀୟ ଫେଡେରେସନ କପ୍ରେ ଏହି ରେକର୍ଡ ଭଙ୍ଗ କରିଥିଲେ । ୨୦୧୬ ଜୁନ ୨୫ ତାରିଖରେ ସେ କାଜାଖସ୍ତାନର ଆଲମାଟିରେ ଗୋଟିଏ ଦିନରେ ଦୁଇ ଥର ଜାତୀୟ ରେକର୍ଡ ଭଙ୍ଗ କରିଥିଲେ । ୧୧.୨୪ ସେକେଣ୍ଡ ସହ ସେ ରିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବାରେ ସଫଳ ହୋଇଥିଲେ । ଏହା ତାଙ୍କ କ୍ୟାରିୟରର ପ୍ରଥମ ଅଲିମ୍ପିକ୍ସ ଥିଲା । ଦୀର୍ଘ ୩୬ ବର୍ଷ ବ୍ୟବଧାନ ପରେ ଦୂତି ତୃତୀୟ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସର ୧୦୦ ମିଟରରେ ଅଂଶ ଗ୍ରହଣ କରିଥିଲେ । ମାତ୍ର ହିଟ୍ରେ ୧୧.୬୯ ସେକେଣ୍ଡ ସହ ତାଙ୍କର ଅଭିଯାନ ଶେଷ ହୋଇଥିଲା । ପୁଣି ୧୧-୧୦-୨୦୧୯ରେ ଦୂତି ନିଜର ପୂର୍ବ ଜାତୀୟ ରେକର୍ଡ ଭଙ୍ଗ କରି ନୂଆ ରେକର୍ଡ ପ୍ରତିÂା କରିଥିଲେ । ରାଞ୍ଚିରେ ସେ ୧୧.୨୨ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରିଥିଲେ ।
ପୁଣି ଦେଢ଼ ବର୍ଷ ପରେ ଦୂତି ନିଜ ଟାଇମିଂରେ ସୁଧାର ଆଣି ପୂର୍ବ ଜାତୀୟ ରେକର୍ଡ ଭଙ୍ଗ କରିଛନ୍ତି । ଚତୁର୍ଥ ଇଣ୍ଡିଆନ୍ ଗ୍ରାଁପ୍ରିର ଫାଇନାଲରେ ଦୁଇ ଜଣ ଅଯୋଗ୍ୟ ବିବେଚିତ ହେବା ପରେ ୪ ଜଣଙ୍କ ସହ ସେ ଦୌଡ଼ିଥିଲେ । ୧୧.୧୭ ସେକେଣ୍ଡରେ ନିର୍ଦ୍ଧାରିତ ଦୂରତାକୁ ଅତିକ୍ରମ କରି ପ୍ରଥମ ସ୍ଥାନ ହାସଲ କରିଥିଲେ । ଦ୍ୱିତୀୟ ସ୍ଥାନରେ କର୍ଣ୍ଣାଟକର ଏ.ଟି. ଧନେଶ୍ୱରୀ (୧୧.୪୮ ସେକେଣ୍ଡ) ଏବଂ ପଶ୍ଚିମ ବଙ୍ଗର ହିମାଶ୍ରୀ ରୟ (୧୧.୭୧) ତୃତୀୟ ସ୍ଥାନରେ ରହିଥିଲେ । ଆଉ ୦.୦୨ ମାଇକ୍ରୋ ସେକେଣ୍ଡ ହୋଇଥିଲେ ଦୂତି ସିଧାସଳଖ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରିପାରିଥାନ୍ତେ ।
ସେ କହିଛନ୍ତି, ନିଜ ପ୍ରଦର୍ଶନକୁ ନେଇ ବହୁ ଖୁସି ରହିଛି । ଟାଇମିଂରେ ସୁଧାର ଆସିବା ସହ ନୂଆ ଜାତୀୟ ରେକର୍ଡ କରିଛି । ମୋର ଲକ୍ଷ୍ୟ ହେଉଛି ୧୧.୧୦ ସେକେଣ୍ଡ । ଏହି ଲକ୍ଷ୍ୟ ହାସଲ କରିବି । ଅଳ୍ପକେ ଅଲିମ୍ପିକ୍ସ ଯୋଗ୍ୟତା ହାସଲରୁ ବଞ୍ଚିତ ହୋଇଛି । ଆଶା ଆଗାମୀ ଜାତୀୟ ଅନ୍ତଃ ରାଜ୍ୟ ଆଥଲେଟିକ୍ ଚାମ୍ପିଅନସିପ୍ରେ ଅଲିମ୍ପିକ୍ସ ଯୋଗ୍ୟତା ଟାଇମିଂ ହାସଲ କରିବି । ଯଦି ସିଧାସଳଖ ଟାଇମିଂ ହାସଲ କରିନପାରେ ତେବେ ବିଶ୍ୱ ମାନ୍ୟତା ଅନୁସାରେ ଯୋଗ୍ୟତା ହାସଲ କରିପାରିବି ବୋଲି ମୋର ବିଶ୍ୱାସ ରହିଛି ।
ପୋଲାଣ୍ଡ ଗସ୍ତ ବାତିଲ ହେବା ପରେ ଦୀର୍ଘ ୩ ମାସ ଧରି କଠିନ ପରିଶ୍ରମ କରିଥିଲି । ଦିନକୁ ୬ରୁ ୭ ଘଣ୍ଟା ଅଭ୍ୟାସ କରୁଥିଲି । ଫଳରେ ମୋର ଟାଇମିଂରେ ଉନ୍ନତି ହୋଇ ପାରିଛି । ଏଥିପାଇଁ ମୋ କୋଚ୍ଙ୍କୁ ମଧ୍ୟ ଶ୍ରେୟ ଦେବି ।’
ବିଶ୍ୱ ଆଥଲେଟିକ୍ସ ମାନ୍ୟତାରେ ଦୂତି ଏବେ ମହିଳା ୧୦୦ ମିଟରରେ ୧୨୧୨ ପଏଣ୍ଟ ସହ ୪୭ତମ ସ୍ଥାନରେ ରହିଛନ୍ତି । ଆଜି ଜାତୀୟ ରେକର୍ଡ ପ୍ରତିÂା କରିବା ପରେ ଆଉ ୧୦୦ ପଏଣ୍ଟ ପୂର୍ବ ପଏଣ୍ଟ ତାଲିକାରେ ମିଶିବ । ଏହାପରେ ତାଙ୍କର ମୋଟ୍ ପଏଣ୍ଟ ୧୩୧୨ ପଏଣ୍ଟ ହେବା ସହ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିବ ଏବଂ ଟୋକିଓ ଯିବାର ଯାତ୍ରା ଅଧିକ ସହଜ ହୋଇଯିବ ।
ମହିଳା ୪ ଗୁଣା ୧୦୦ ମିଟରରେ ଦୂତିଙ୍କ ରିଲେ ଦଳ ନୂଆ ଜାତୀୟ ରେକର୍ଡ କରିଛି । ଏ.ସୁଶୀନ୍ଦ୍ରନ, ହିମା ଦାସ, ଧନଲକ୍ଷ୍ମୀ, ଦୂତି ଚାନ୍ଦଙ୍କୁ ନେଇ ଗଠିତ ରିଲେ ଦଳ ନିର୍ଦ୍ଧାରିତ ଦୂରତାକୁ ୪୩.୩୭ ସେକେଣ୍ଡରେ ଅତିକ୍ରମ କରିଥିଲେ । ୪-୭-୨୦୧୬ରେ ଭାରତୀୟ ଦଳ ଆଲମାଟିରେ ୪୩.୪୨ ସେକେଣ୍ଡ ସହ ନୂଆ ଜାତୀୟ ରେକର୍ଡ ପ୍ରତିÂା କରିଥିଲା । ଆଜି ଏହି ରେକର୍ଡକୁ ଦୂତିଙ୍କ ରିଲେ ଦଳ ଭଙ୍ଗ କରିଛନ୍ତି ।
ଦୂତି ପ୍ରଥମ ଭାରତୀୟ ମହିଳା ଭାବେ ୨୦୧୯ରେ ବିଶ୍ୱ ବିଶ୍ୱବିଦ୍ୟାଳୟ କ୍ରୀଡ଼ା (ନାପୋଲି)ରେ ୧୦୦ ମିଟରରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୧୮ ଏସୀୟ କ୍ରୀଡ଼ାରେ ଉଭୟ ୧୦୦ ଓ ୨୦୦ ମିଟରରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ଏସିଆନ୍ ଆଥଲେଟିକ୍ ଚାମ୍ପିଅନସିପ୍ରେ ସେ ୪ଟି ବ୍ରୋଞ୍ଜ ପଦକ ଜିତିବାରେ ସଫଳ ରହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons