ବିଜେଡି ଇଭିଏମ୍ ଟାମ୍ପରିଂ କରିଛି: ବିଜେପି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବ୍ୟୁରୋ): ପାଟକୁରା ଭୋଟ ଜିତିବାକୁ ଶାସକ ବିଜୁ ଜନତା ଦଳ ସମସ୍ତ ପ୍ରକାର କଳ, ବଳ ଓ କୌଶଳକୁ ଲଗାଇଛି । ନିର୍ବାଚନ ହାରିବା ଭୟରେ ବିଜେଡି ପ୍ରତି ବୁଥରେ ହେରଫେର କରିଛି । ପ୍ରିଜାଇଡିଂ ଅଫିସରଙ୍କୁ ଧରି ଇଭିଏମ୍ ମେସିନ ଟାମ୍ପରିଂଠୁ ଆରମ୍ଭ କରି ମେସିନ ବଦଳାଇବା ଆଦି କାର୍ଯ୍ୟ କରାଯାଇଛି । ଏମିତି ଅଭିଯୋଗ ଆଣିଛି ବିଜେପି ।
ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ବିଜେପି ସଂପାଦିକା ଡ.ଲେଖାଶ୍ରୀ ସାମନ୍ତସିଂହାର ଅଭିଯୋଗ କରିଛନ୍ତି, ପାଟକୁରାରେ ପରାଜୟ ଆଶଙ୍କାରେ ବିଜେଡି ଆଇନକୁ ଉଲ୍ଲଂଘନ କରିଛି । ସରକାରୀ କଳକୁ ନିଜ ସପକ୍ଷରେ ବିନିଯୋଗ କରିଛି । ବୁଥ୍ ଭିତରେ ବିଜେପି ଏଜେଣ୍ଟଙ୍କୁ ପୂରାଇ ନଦେବା, ଜଙ୍ଗଲ ଭିତରେ ଇଭିଏମ୍ ବଦଳାଇବା, ଇଭିଏମ୍ ଭାଙ୍ଗିବା, ଇଭିଏମ୍ ଖୋଲା ସ୍ଥାନରେ ରଖିବା ଆଦି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି ।
ଡ.ସାମନ୍ତସିଂହାର ଅଭିଯୋଗ କରିଛନ୍ତି, ପାଟକୁରାରେ ପ୍ରିଜାଇଡିଂ ଅଫିସର ନିରପେକ୍ଷ ଭାବେ ନିର୍ବାଚନ କରିନାହାନ୍ତି । ବହୁ ବୁଥ୍ରେ ପ୍ରିଜାଇଡିଂ ଅଫିସରମାନେ ଇଭିଏମ୍ ମେସିନକୁ ଠିକ୍ ଭାବରେ ସିଲ୍ ନକରି ଷ୍ଟଙ୍ଗରୁମ୍ରେ ଇଭିଏମ୍ ବଦଳାଇବାକୁ ଚେଷ୍ଟା କରିଛନ୍ତି । ଦୁଇଜଣ ପ୍ରିଜାଇଡିଂ ଅଫିସର ଇଭିଏମ ଟାମ୍ପରିଂ କରୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୩୦୯ଟି ବୁଥ୍ରୁ ୩୦୭ଟି ବୁଥର ଇଭିଏମ୍ ଷ୍ଟ୍ରଙ୍ଗରୁମ୍ରେ ପହଞ୍ଚିଥିଲା ବେଳେ ଅନ୍ୟ ଦୁଇଟିର ଖବର ମିଳୁନି । ପାଟକୁରା ନିର୍ବାଚନ ମଣ୍ଡଳୀର ଗରଦପୁର ବ୍ଲକର ୨୨୦ ନଂ ନାହାଳପୁର ବୁଥ୍ ଏବଂ ୨୯୪ ନଂ ନଡିଆଗରେଇ ବୁଥ୍ର ଇଭିଏମ୍ ଏପର୍ଯ୍ୟନ୍ତ ଷ୍ଟ୍ରଙ୍ଗରୁମରେ ପହଞ୍ଚିନି ।
ଭୋଟ ହାତେଇବା ପାଇଁ ବିଜେଡି ଭୋଟରଙ୍କୁ ପ୍ରଲୋଭନ ଦେଖାଇ ଶାଢି, କାନଫୁଲ, ମଦମାଂସ ଏବଂ ଟଙ୍କା ବାଣ୍ଟିବାର ଭିଡିଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିଲା । ବିଜେପିର ଲୋକପ୍ରିୟତା ଓ ଜନମତ ଦେଖି ଶାସକ ବିଜେଡି ଏସଏଚଜି ମହିଳା ଗୋଷ୍ଠୀମାନଙ୍କୁ ଧମକାଇବା ସହ ତାଙ୍କ ମାଧ୍ୟମରେ ଟଙ୍କା ବାଣ୍ଟିଛି । ଦୀର୍ଘ ୧୫ ଦିନ ହେଲା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ବିଜେପି ପ୍ରତିନିଧି ଦଳ ଏ ସଂପର୍କରେ ଅବଗତ କରାଇଛି । ଏପରିକି ଇଭିଏମ୍ ମେସିନ୍ ଅଦଳବଦଳ ଆଶଙ୍କା ରହିଛି ବୋଲି ପୂର୍ବରୁ ବିଜେପି ନେତାମାନେ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇନଥିଲା । ପ୍ରିଜାଇଡିଂ ଅଫିସରମାନଙ୍କ ପାଖରେ ଅତିରିକ୍ତ ୧୦୦ ଇଭିଏମ୍ ମେସିନ୍ ଥିଲା । ଶାସକ ଦଳ ଚାପରେ ଏହି ମେସିନ ଗୁଡିକ ଅଣାଯାଇ ତା ମାଧ୍ୟମରେ ପ୍ରିଜାଇଡିଂ ଅଫିସରମାନେ ଭୋଟ ହେରଫେର କରିଛନ୍ତିି ବୋଲି ଡ. ସାମନ୍ତସିଂହାର ଅଭିଯୋଗ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ ଏବଂ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons