୧୦୦ ଡେଇଁଲା ଡିଜେଲ୍ ଦର

Get real time updates directly on you device, subscribe now.

ଜୟପୁର: ପ୍ରଥମେ ପେଟ୍ରୋଲ୍ ଆଉ ଏବେ ଡିଜେଲ୍ । ଉଭୟ ଦର ଶତକ ପାର୍ କରିଛି । ସହରରେ ସର୍ବକାଳୀନ ରେକର୍ଡ ଭାଙ୍ଗି ଡିଜେଲ୍ ଲିଟର ପିଛା ପହଞ୍ଚିଛି ୧୦୦ ଟଙ୍କା ୨୯ ପଇସାରେ । ଏହି ସମୟରେ ପେଟ୍ରୋଲ ଲିଟର ପିଛା ରହିଛି ୧୦୨ ଟଙ୍କା ୫୨ ପଇସା । ପେଟ୍ରୋଲ ଏବଂ ଡିଜେଲ୍ ଦର ବିଭିନ୍ନ କମ୍ପାନିର ଭିନ୍ନ ଭିନ୍ନ ଥିଲେ ବି ଶହେ ଉପରେ ରହିଛି । ଗତ ମେ’ ୩ ତାରିଖରୁ ଆଜି ପର୍ଯ୍ୟନ୍ତ ୪୮ ଦିନରେ ଡିଜେଲ୍ ଦର ୨୯ ଥର ବଢିଲାଣି । ଏହି ସମୟ ଭିତରେ ଦର ଲିଟର ପିଛା ୮ ଟଙ୍କା ୫୮ ପଇସା ବଢିଛି । ତେଲ ଦର ବଢୁଥିବାରୁ ଏହାର ପ୍ରଭାବ ବଜାର ଉପରେ ପଢୁଛି । ଯାହାକୁ ନେଇ ଖାଉଟିଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । ଏହି ପ୍ରକି୍ରୟା ଆଗକୁ ଜାରି ରହିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ, ଏବର୍ଷ ମାର୍ଚ୍ଚ ୩୦ରେ ଡିଜେଲ ଦର ଲିଟର ପିଛା ଥିଲା ୯୧ ଟଙ୍କା ୮୬ ପଇସା । ଏପ୍ରିଲ ୧୫ ବେଳକୁ ଏହା ୧୫ ପଇସା କମି ୯୧ ଟଙ୍କା ୭୧ ପଇସାରେ ପହଞ୍ଚିଥିଲା । ଦେଶର ୫ଟି ରାଜ୍ୟରେ ନିର୍ବାଚନ ଚାଲି ଥିବାରୁ ଦର ପ୍ରାୟ ୧୮ ଦିନ ଅର୍ଥାତ ମେ’ ୩ ପର୍ଯ୍ୟନ୍ତ ଅପରିବର୍ତ୍ତିତ ରହିଥିଲା । ମେ’ ୪ରୁ ଆରମ୍ଭ ହୋଇଥିଲା ଦର ବଢିବା । ୪ ତାରିଖରେ ୯୨ ଟଙ୍କା ୨୮ ପଇସା, ୫ରେ ୯୨ ଟଙ୍କା ୫୧, ୬ରେ ୯୨ ଟଙ୍କା ୮୪ ଏଭଳି ୧୧ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ୨୦ରୁ ୩୦ ପଇସା ଭିତରେ ବଢିଥିଲା । ୧୧ ତାରିଖ ସୁଦ୍ଧା ଦର ପହଞ୍ଚିଥିଲା ୯୪ ଟଙ୍କା ୧୪ ପଇସାରେ । ଏହାପରେ ପ୍ରତି ୨ ଦିନ ଅନ୍ତରରେ ଦର ବୃଦ୍ଧି ଘଟିଥିଲା । ୧୩ ତାରିଖରେ ୯୪ ଟଙ୍କା ୫୧, ୧୫ ତାରିଖରେ ୯୪ ଟଙ୍କା ୮୧, ୧୭ରେ ୯୫ ଟଙ୍କା ୧୩ ହୋଇ ୨୪ ତାରିଖ ସୁଦ୍ଧା ଦର ପହଞ୍ଚିଥିଲା ୯୬ ଟଙ୍କା ୦୧ ପଇସାରେ । ଜୁନ୍ ପହିଲା ସୁଦ୍ଧା ଦର ୯୭ ଟଙ୍କା ୧୮ ପଇସା ହୋଇଥିଲା । ୯ ତାରିଖ ସୁଦ୍ଧା ୧ ଟଙ୍କା ୧୯ ପଇସା ବଢି ୯୮ ଟଙ୍କା ୩୭ ପଇସାରେ ପହଞ୍ଚିଥିଲା । ୧୧ରୁ ୧୮ ତାରିଖ ସୁଦ୍ଧା ଦର ଶତକ ମୁହାଁ ହୋଇ ୯୯ ଟଙ୍କା ୭୧ ପଇସାରେ ପହଞ୍ଚିଥିଲା । ୨୦ ତାରିଖରେ ୧୦୦ ଟଙ୍କା ୦୧ ଏବଂ ଆଜି ଆଉ ୨୮ ପଇସା ବଢି ଲିଟର ପିଛା ଦର ରହିଛି ୧୦୦ ଟଙ୍କା ୨୯ ପଇସା । ସହର ଏବଂ ଆଖପାଖରେ ଥିବା ଏଚ୍ପିସିଏଲ, ଇଣ୍ଡିଆନ୍ ଅଏଲ, ବିପିସିଏଲ୍ ଏବଂ ଏସ୍ଆର ପ୍ରଭୃତି ୧୦ଟି ପେଟ୍ରୋଲ ପମ୍ପରେ ଦାମ୍ ସାମାନ୍ୟ ଏପଟ ସେପଟ ରହିଛି ।
ଏ ସମ୍ପର୍କରେ ଜଣେ ପମ୍ପ ମାଲିକ କହିଛନ୍ତି, ତେଲ ଦର ବଢୁଥିବାରୁ ବିକ୍ରି କମୁଛି । ବ୍ୟବସାୟ ବାଧାପ୍ରାପ୍ତ ହେଉଛି । ଡିଜେଲ କିଣିବାରେ ଅଧିକ ଖର୍ଚ୍ଚ କରିବାକୁ ପଡୁଛି । ବ୍ୟବସାୟ କମୁଥିବା ବେଳେ ବ୍ୟାଙ୍କ ସୁଧ ଅଧିକ ଦେବାକୁ ପଡୁଛି । ଦର ବଢିବା ପରେ ବ୍ୟବସାୟ ପ୍ରାୟ ୩୦ ପ୍ରତିଶତ କମିଯାଇଛି । ବିକ୍ରି କମିବାର ଅନ୍ୟ ଏକ କାରଣ ହେଉଛି ପଡୋଶୀ ଛତିଶଗଡ଼ ଏବଂ ଆନ୍ଧ୍ର୍ରରେ ଡିଜେଲ୍ ଦାମ୍ କମ୍ । ଆନ୍ଧ୍ରର ସାଲୁରରୁ ଆରମ୍ଭ କରି ବିଶାଖାପାଟଣା ପର୍ଯ୍ୟନ୍ତ ଲିଟର ପିଛା ଦର ୨ରୁ ୩ ଟଙ୍କା କମ୍ ରହୁଛି । ସେହିପରି ଛତିଶଗଡ଼ର ଜଗଦଲପୁରରୁ ଆରମ୍ଭ କରି ରାୟପୁର ପର୍ଯ୍ୟନ୍ତ ଦର ୩ରୁ ୫ଟଙ୍କା ଫରକ ରହୁଛି । ଦର ଫରକ ରହୁଥିବାରୁ ଅଧିକାଂଶ ଟ୍ରକ ମାଲିକ ପଡୋଶୀ ରାଜ୍ୟରେ ଡିଜେଲ ପକାଇବାକୁ ପସନ୍ଦ କରୁଛନ୍ତି । ବସ ଚଳାଚଳ ବନ୍ଦ ଥିବାରୁ ବିକ୍ରିବଟା ଅଧିକ ପ୍ରଭାବିତ ହୋଇଛି । ଅନ୍ୟପକ୍ଷରେ ବିଏସ୍-୪ ଏବଂ ବିଏସ୍-୬ ଗାଡ଼ିକୁ ଛାଡି ଦେଲେ ଅଧିକାଂଶ ଡିଜେଲ ବଦଳରେ କିରାସିନ୍ ବ୍ୟବହାର କରୁଛନ୍ତି । ତେଲ ଉପରେ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାର ଟିକସ କମାଇଲେ ଦର ନିୟନ୍ତ୍ରଣକୁ ଆସିବ ବୋଲି ସେ କହିଛନ୍ତି ।

ରିପୋର୍ଟ: ସତ୍ୟ ନାରାୟଣ ସାହୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons