ପଞ୍ଚମ ସ୍ୱର୍ଣ୍ଣ ଜିତିଲେ ହିମା

Get real time updates directly on you device, subscribe now.

ନୂଆଦିଲ୍ଲୀ: ଭାରତର ଚର୍ଚ୍ଚିତ ଆଥ୍ଲେଟ୍ ହିମା ଦାସଙ୍କ ଆକର୍ଷଣୀୟ ପ୍ରଦର୍ଶନ ଜାରି ରହିଛି । ୧୮ ଦିନ ମଧ୍ୟରେ ହିମା ଅନ୍ତର୍ଜାତୀୟ ଇଭେଣ୍ଟରେ ୫ଟି ସ୍ୱର୍ଣ୍ଣ ପଦକ ଜିତି ସମସ୍ତଙ୍କୁ ଚକିତ କରି ଦେଇଛନ୍ତି । ଚେକ୍ ଗଣରାଜ୍ୟରେ ଚାଲିଥିବା ଅନ୍ତର୍ଜାତୀୟ ଆଥିଲେଟିକ୍ ଚାମ୍ପିଅନ୍ସିପ୍ରେ ହିମା ଆଜି ପଞ୍ଚମ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୦ ମିଟର ଦୌଡ ଇଭେଣ୍ଟରେ ପ୍ରଥମ ୪ଟି ସ୍ୱର୍ଣ୍ଣ ପଦକ ଜିତିଥିବା ହିମା ୪୦୦ ମିଟର ଦୌଡରେ ଆଧିପତ୍ୟ ଜାରି ରଖିଥିଲେ । ନିର୍ଦ୍ଧାରିତ ଦୂରତାକୁ ସେ ୫୨.୦୯ ସେକେଣ୍ଡରେ ଅତିକ୍ରମ କରିଥିଲେ । ମାତ୍ର ୦.୨୯ ସେକେଣ୍ଡ ପାଇଁ ହିମା ବିଶ୍ୱ ଚାମ୍ପିଅନ୍ସିପ୍କୁ ଯୋଗ୍ୟତା ଅର୍ଜନ କରି ପାରି ନଥିଲେ । ଦୋହାରେ ହେବାକୁ ଥିବା ବିଶ୍ୱ ଚାମ୍ପିଅନ୍ସିପ୍ ପାଇଁ ୪୦୦ ମିଟର ଇଭେଣ୍ଟର ଯୋଗ୍ୟତା ମାପଦଣ୍ଡ ୫୧.୮୦ ସେକେଣ୍ଡ ରହିଛି ।
ଗତ ଏପ୍ରିଲ ମାସରେ ଅନୁଷ୍ଠିତ ଏସୀୟ ଆଥ୍ଲେଟିକ୍ ଚାମ୍ପିଅନ୍ସିପ୍ରେ ହିମା ଆହତ ହୋଇ ୪୦୦ ମିଟର ଇଭେଣ୍ଟରେ ଭାଗ ନେବାରୁ ବଞ୍ଚିତ ହୋଇଥିଲେ । ୨ ମାସ ପରେ ସେ ନିଜ ପ୍ରିୟ ଇଭେଣ୍ଟରେ ଭାଗ ନେଇ ପ୍ରଥମ ସ୍ଥାନ ଅଧିକାର କରିଥିଲେ ।
ସୂଚନାଯୋଗ୍ୟ, ଗତ ୨ ତାରିଖରେ ହିମା ପୋଲାଣ୍ଡରେ ଅନୁଷ୍ଠିତ ପୋଜନାନ ଆଥ୍ଲେଟିକ୍ ଗ୍ରାଣ୍ଡ ପ୍ରିକ୍ସରେ ୨୩.୬୫ ସେକେଣ୍ଡରେ ୨୦୦ ମିଟର ଦୂରତା ଅତିକ୍ରମ କରି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଏହାପରେ ୭ ତାରିଖରେ ପୋଲାଣ୍ଡରେ ଅନୁଷ୍ଠିତ କୁଟ୍ନୋ ଆଥ୍ଲେଟିକ୍ ମିଟ୍ରେ ୨୩.୯୭ ସେକେଣ୍ଡରେ ୨୦୦ ମିଟର ଦୂରତା ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୩ ତାରିଖରେ ଚେକ୍ ଗଣରାଜ୍ୟରେ ଅନୁଷ୍ଠିତ କ୍ଲାଡନୋ ଆଥ୍ଲେଟିକ୍ ମିଟ୍ରେ ୨୦୦ ମିଟର ଦୂରତାକୁ ୨୩.୪୩ ସେକେଣ୍ଡରେ ଅତିକ୍ରମ କରି ପ୍ରଥମ ସ୍ଥାନ ଅଧିକାର କରିଥିଲେ । ୧୭ ତାରିଖରେ ଅନୁଷ୍ଠିତ ତାବୋର ଆଥ୍ଲେଟିକ୍ ମିଟ୍ରେ ହିମା ୨୦୦ ମିଟର ଦୌଡରେ ସ୍ୱର୍ଣ୍ଣ ପଦକ ଜିତଥିଲେ । ସେ ନିର୍ଦ୍ଧାରିତ ଦୂରତାକୁ ୨୩.୨୫ ସେକେଣ୍ଡରେ ଅତିକ୍ରମ କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons