ଜାକର୍ତା: ଭାରତର ଶୀର୍ଷ ମାନ୍ୟତାପ୍ରାପ୍ତ ମହିଳା ବ୍ୟାଡ଼ମିଣ୍ଟନ ଖେଳାଳି ପିଭି ସିନ୍ଧୁ ଇଣ୍ଡୋନେସିଆ ଓପନ ଫାଇନାଲ୍ରେ ପରାସ୍ତ ହୋଇଛନ୍ତି । ଏଥିସହ ସିନ୍ଧୁଙ୍କ ଟାଇଟଲ ପ୍ରତୀକ୍ଷା ଜାରି ରହିଛି । ସେ ମହିଳା ସିଙ୍ଗଲ୍ସ ଫାଇନାଲ୍ ମୁକାବିଲାରେ ସିଧାସଳଖ ୧୫-୨୧, ୧୬-୨୧ ଗେମ୍ରେ ଜାପାନ ଖେଳାଳି ଆକାନେ ୟାମାଗୁଚିଙ୍କ ଠାରୁ ପରାସ୍ତ ହୋଇଥିଲେ । ଫଳରେ ୟାମାଗୁଚି ଚାମ୍ପିଅନ୍ ହୋଇଥିବାବେଳେ ସିନ୍ଧୁ ରନର୍ସ ଅପ୍ରେ ସନ୍ତୁଷ୍ଟ ହୋଇଛନ୍ତି ।
ସିନ୍ଧୁ ଓ ୟାମାଗୁଚିଙ୍କ ମଧ୍ୟରେ ଖେଳାଯାଇଥିବା ଫାଇନାଲ୍ ମୁକାବିଲା ସଂଘର୍ଷପୂର୍ଣ୍ଣ ହୋଇଥିଲା । ମ୍ୟାଚ୍ଟି ୫୧ ମିନିଟ୍ ଧରି ଚାଲିଥିବା ବେଳେ ୟାମାଗୁଚି ବାଜି ମାରି ନେଇଥିଲେ । ସିନ୍ଧୁ ଚଳିତ ବର୍ଷ ପ୍ରଥମ ଟାଇଟଲ ଲକ୍ଷ୍ୟ ନେଇ ଖେଳିଥିଲେ । ୨୦୧୮ ଡିସେମ୍ବରରେ ସେ ବିଶ୍ୱ ଟୁର ଫାଇନାଲ୍ସ ଟାଇଟଲ ଜିତିବା ପରଠୁ ଏପର୍ଯ୍ୟନ୍ତ କୌଣସି ଟାଇଟଲ ଜିତି ପାରିନଥିଲେ । ୨୦୧୯ରେ ସେ ସିଙ୍ଗାପୋର ଓପନ ଓ ଇଣ୍ଡିଆନ୍ ଓପନ ସେମି ଫାଇନାଲ୍ରେ ପ୍ରବେଶ କରିବାରେ ସଫଳ ହୋଇଥିଲେ ।
ଫାଇନାଲ୍ର ପ୍ରଥମ ଗେମ୍ରେ ସିନ୍ଧୁ ଓ ୟାମାଗୁଚି ପରସ୍ପରକୁ ଭରପୂର ଚ୍ୟାଲେଞ୍ଜ ଦେଇଥିଲେ । ଏକଦା ମ୍ୟାଚ୍ ୧୪-୧୪ ସ୍ଥିତିରେ ବରାବର ରହିଥିଲା । ହେଲେ ସିନ୍ଧୁ ନିୟମିତ ଭୁଲ କରିବା କାରଣରୁ ୟାମାଗୁଚି ଲଗାତର ୭ ପଏଣ୍ଟ ହାସଲ କରି ବିଜୟୀ ହୋଇଥିଲେ । ଦ୍ୱିତୀୟ ଗେମ୍ରେ ଜାପାନ ଖେଳାଳି ପ୍ରଥମରୁ ଅଗ୍ରଣୀ ବଜାୟ ରଖିଥିଲେ । ସିନ୍ଧୁ ପ୍ରତ୍ୟାବର୍ତ୍ତନ କରି ମ୍ୟାଚ୍କୁ ୧୫-୧୮କୁ ଆଣିଥିଲେ । କିନ୍ତୁ ୟାମାଗୁଚି ଶେଷ ଆଡ଼କୁ ପ୍ରଭାବୀ ପ୍ରଦର୍ଶନ କରି ଗେମ୍କୁ ଜିତି ନେବା ସହ ଟାଇଟଲ ଉପରେ କବ୍ଜା କରି ନେଇଥିଲେ ।


Comments are closed, but trackbacks and pingbacks are open.