କୋଲକାତା: ବେଙ୍ଗଲୀ ଅଭିନେତ୍ରୀ ତଥା ଯାଦବପୁରର ଟିଏମ୍ସି ସାଂସଦ ମିମି ଚକ୍ରବର୍ତ୍ତୀ ନକଲି କରୋନା ପ୍ରତିଷେଧକ ଟିକା ନେଇ ଅସୁସ୍ଥ ହୋଇପଡିଛନ୍ତି । ଆଜି ସକାଳୁ ତାଙ୍କର ତରଳ ଝାଡା ହେବା ସହିତ ବିପି ହ୍ରାସ ପାଇଛି ଓ ପେଟରେ ଯନ୍ତ୍ରଣା ଅନୁଭବ କରିଛନ୍ତି । ଏପରିକି ପ୍ରବଳ ଝାଳ ବୋହିବା ସହ ସେ ଅଚେତ ମଧ୍ୟ ହୋଇପଡିଥିଲେ । ଫଳରେ ତାଙ୍କୁ ଚିକିତ୍ସା କରିବାକୁ ପଡିଛି । ଗତ ସୋମବାର ସେ ଦେବାଞ୍ଜନ ଦେବ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଫୋନ୍କଲ ପାଇଥିଲେ । ଦେବାଞ୍ଜନ ନିଜକୁ କୋଲକାତା ମୁ୍ୟନିସିପାଲ କର୍ପୋରେସନର ଯୁଗ୍ମ କମିଶନର ବୋଲି ଦର୍ଶାଇବା ସହ ସହରର କସ୍ବା ଅଞ୍ଚଳରେ କରାଯାଇଥିବା ଏକ ଟିକାକରଣ କେନ୍ଦ୍ରକୁ ଆସିବା ଲାଗି ଅନୁରୋଧ କରିଥିଲେ । ତାଙ୍କ ଅନୁରୋଧ ପାଇ ମିମି ଚକ୍ରବର୍ତ୍ତୀ ସେଠାରେ ପହଞ୍ଚô ନିଜେ ଟିକା ନେବା ସହ ଅନ୍ୟକୁ ତାହା ନେବା ଲାଗି ଅନୁରୋଧ କରିଥିଲେ । ସେଠାରେ ବହୁ ଲୋକ ଟିକା ନେଇଥିଲେ । ମାତ୍ର ପରେ ତାହା ନକଲି ଟିକା ବୋଲି ଯାଞ୍ଚରୁ ଜଣାପଡିଥିଲା ଏବଂ ପୁଲିସ ଇତିମଧ୍ୟରେ ଦେବାଞ୍ଜନଙ୍କୁ ଗିରଫ କରିଥିବା ଜଣାପଡିଛି ।
Comments are closed, but trackbacks and pingbacks are open.