ଟିକା ପାଇଁ ଧସ୍ତାଧସ୍ତି

Get real time updates directly on you device, subscribe now.

କଟକ: କୋଭିଡ୍ ଟିକା ନେବା ପାଇଁ ଏସ୍ସିବି ଟିକା କେନ୍ଦ୍ରରେ ଶନିବାର ସକାଳେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ଭିଡ଼ ଏପରି ହୋଇଥିଲା ଯେ, ଟିକା ପାଇଁ ଲୋକଙ୍କ ଭିତରେ ଧସ୍ତାଧସ୍ତି, ଠେଲାପେଲା ହେବାଯାଏ କଥା ଯାଇଥିଲା । ଏପରିକି କିଛି ଉତ୍ତ୍ୟକ୍ତ ଯୁବକ ଟିକାଦାନ କେନ୍ଦ୍ର ଭିତରେ ଧସେଇ ପଶି ବଳପୂର୍ବକ ଟିକା ନେବା ପାଇଁ କର୍ମଚାରୀଙ୍କ ଉପରେ ଚାପ ପ୍ରୟୋଗ କରିଥିଲେ । ଏହାକୁ ନେଇ କେନ୍ଦ୍ର ନିକଟରେ ପ୍ରବଳ ଉତ୍ତେଜନା ଓ ହୋହାଲ୍ଲା ହୋଇଥିଲା । ଠେଲାପେଲା ଓ ଗହଳି ନିୟନ୍ତ୍ରଣ କରିବାକୁ ଯାଇ ଘଟଣାସ୍ଥଳରେ ପୁଲିସ୍ ନାକେଦମ୍ ହୋଇଥିଲା । ଅଧିକ ପୁଲିସ୍ କର୍ମଚାରୀ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା ।
ଅନ୍ଲାଇନ୍ରେ ସ୍ଲଟ୍ ବୁକିଂ କରିଥିବା ୧୮ ବର୍ଷରୁ ୪୫ ବର୍ଷ ବୟସର ଶତାଧିକ ଲୋକ ଆଜି ଟିକା ନେବା ପାଇଁ ଏସ୍ସିବି ଟିକା କେନ୍ଦ୍ରରେ ପହଞ୍ଚିଥିଲେ । ସେହିପରି ୪୫ ବର୍ଷ ବୟସରୁ ଊଦ୍ଧ୍ୱର୍ ବୟସର ଲୋକମାନେ ମଧ୍ୟ ବହୁ ସଂଖ୍ୟାରେ ଟିକା ନେବା ପାଇଁ ଆସିଥିଲେ । ସ୍ଲଟ୍ ବୁକିଂ କରିଥିବା ଲୋକଙ୍କ ସହ ଅଫ୍ଲାଇନ୍ରେ ଟିକା ନେବା ପାଇଁ ଆସିଥିବା ଲୋକେ ଏସ୍ସିବି ନର୍ସିଂ କଲେଜ୍ରେ ଖୋଲିଥିବା ଟିକା କେନ୍ଦ୍ରରେ ସକାଳୁ ଧାଡ଼ି ଲଗାଇଥିଲେ । କେନ୍ଦ୍ର ଖୋଲିବା ପୂର୍ବରୁ ଘଟଣାସ୍ଥଳରେ ପ୍ରାୟ ଏକ ହଜାର ଲୋକଙ୍କର ଧାଡ଼ି ଲାଗିଯାଇଥିଲା । ପୂର୍ବାହ୍ନ ୯ଟା ବେଳକୁ ଟିକା କେନ୍ଦ୍ର ଖୋଲିବା ବେଳକୁ ଭିଡ଼ ବଢିଥିଲା । ୧୧ଟା ବେଳକୁ ଭିଡ଼ ଦୁଇ ଗୁଣା ବଢ଼ିଯାଇଥିଲା । ଫଳରେ ଘଟଣାସ୍ଥଳରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା । ଅପେକ୍ଷାରତ ଲୋକମାନେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଛିଡ଼ା ହୋଇ ଧୈର୍ଯ୍ୟହରା ହୋଇ ଫାଟକ ଭିତରେ ପଶିବାକୁ ଉଦ୍ୟମ କରିଥିଲେ । ଏହାକୁ ନେଇ ଟିକା କେନ୍ଦ୍ରରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ନିୟୋଜିତ ଘରୋଇ ସୁରକ୍ଷାକର୍ମୀମାନେ ଲୋକଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ । କିଛି ଲୋକ ପଛରେ ଆସି ଅନ୍ୟ ବାଟରେ ଯାଇ ଆଗ ଟିକା ନେଉଥିବା ଅଭିଯୋଗ କରି ଧାଡ଼ିରେ ଥିବା ଲୋକେ ପାଟିତୁଣ୍ଡ କରିଥିଲେ । ଆଉ କିଛି ଲୋକ କର୍ମଚାରୀଙ୍କ ପ୍ରିୟାପ୍ରୀତି ଯୋଗୁଁ ଶୃଙ୍ଖଳା ଭଙ୍ଗ ହେଉଛି ବୋଲି ଅଭିଯୋଗ କରି ପ୍ରତିବାଦ କରିଥିଲେ । ଗହଳି ଭିତରେ ପେଲାଠେଲା ହେବାରୁ ଧାଡ଼ିରେ ଥିବା ଲୋକ ଏବଂ ଧାଡ଼ି ବାହାର ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ଓ ହାତାହାତି ହୋଇଥିଲା । ଫଳରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ହାତଗଣତି କେତେଜଣ ପୁଲିସ୍ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଗହଳି ନିୟନ୍ତ୍ରଣରେ ବିଫଳ ହେବାରୁ ଅଧିକ ପୁଲିସ୍ କର୍ମଚାରୀ ଆସିଥିଲେ ଓ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରି ସ୍ଥିତି ସ୍ୱାଭାବିକ କରିଥିଲେ । ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଦୀର୍ଘ ସମୟ ଲୋକଙ୍କୁ ବୁଝାଶୁଝା କରିବା ସହ ଶୃଙ୍ଖଳା ରକ୍ଷା ଲାଗି କହିଥିଲେ । ହୋହାଲ୍ଲା ଓ ଠେଲାପେଲା ଭିତରେ ଆଜି ୧୨୦୩ ଜଣ ଟିକା ନେଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି । ତେବେ ଶତାଧିକ ଲୋକ ବିଶୃଙ୍ଖଳା ଯୋଗୁଁ ଟିକା ନେଇନପାରି ଫେରିଥିବା କୁହାଯାଉଛି । କୋଭିଡ୍ ଟିକାକରଣ କାର୍ଯ୍ୟ ଆରମ୍ଭ ହେଲା ଦିନୁ ଏସ୍ସିବି ଟିକା କେନ୍ଦ୍ରରେ ଅଦ୍ୟାବଧି ୭୩ ହଜାର ୪୭୭ ଜଣ ଟିକା ନେଇଥିବା ଡାକ୍ତରଖାନାର ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା କହିଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons