ଜୟପୁର: ଯକ୍ଷ୍ମାରୋଗ ଚିହ୍ନଟ ପ୍ରକ୍ରିୟାକୁ ଅଧିକ ନିର୍ଭୁଲ କରିବା ଲାଗି ଜିଲ୍ଲା ହସପିଟାଲ ପକ୍ଷରୁ ପଦକ୍ଷେପ ନିଆଯାଇଛି । ଡିଏଚଏଚ୍କୁ ଆସିଛି ଗୋଟିଏ ସିବିନାଟ୍ ମେସିନ୍ । ଏହାଦ୍ୱାରା ଉପଖଣ୍ଡ ଅନ୍ତର୍ଗତ ୫ଟି ବ୍ଲକର ରୋଗୀ ଉପକୃତ ହେବେ । ସଂଗୃହିତ କଫ ନମୁନା ପରୀକ୍ଷା ଲାଗି ଆଉ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସପିଟାଲ ଉପରେ ନିର୍ଭର କରିବାକୁ ପଡିବନି । ଏହି ମେସିନ୍ ଦ୍ୱାରା କଫରେ ଥିବା ଅତି ସୂକ୍ଷ୍ମ ଏବଂ ସାମାନ୍ୟ ଯକ୍ଷ୍ମା ଜୀବାଣୁ ଚିହ୍ନଟ ହୋଇପାରିବ ବୋଲି ଜିଲ୍ଲା ହସପିଟାଲ ଅଧିକାରୀ ଡାକ୍ତର ରବୀନ୍ଦ୍ରନାଥ ମିଶ୍ର କହିଛନ୍ତି । ଆସିଥିବା ମେସିନ୍ର ଦାମ୍ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି ।
ଡାକ୍ତର ମିଶ୍ର କହିଛନ୍ତି, କୋରାପୁଟରେ ଯେତେବେଳେ ଡିଏଚଏଚ୍ କାର୍ଯ୍ୟ କରୁଥିଲା, ସେଠାରେ ଗୋଟିଏ ସିବିନାଟ୍ ମେସିନ୍ ଥିଲା । ଡିଏଚଏଚ୍ ଜୟପୁରକୁ ସ୍ଥାନାନ୍ତର ପରେ ମେସିନ୍ଟି କୋରାପୁଟ ମେଡିକାଲରେ ରହିଯାଇଥିଲା । ଏଠାକୁ ଏକ ନୂଆ ମେସିନ୍ ଯୋଗାଇ ଦେବାକୁ ପ୍ରଶାସନକୁ ଅନୁରୋଧ କରାଯାଇଥିଲା । ୨ ଦିନ ତଳେ ଏକ ନୂଆ ସିବିନାଟ୍ ମେସିନ୍ ଆସି ପହଞ୍ଚିଛି । ମେଲ୍ ମେଡିସିନ୍ ୱାର୍ଡ ପାଖରେ ଥିବା ଇସିଜି କକ୍ଷ ପାଖରେ ଏହାକୁ ସ୍ଥାପନ କରାଯାଇଛି । ପରିଚାଳନା ଲାଗି କର୍ମଚାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ମେସିନ୍ ଟ୍ରେରେ ଏକା ଥରକେ ୧୨ଟି ନମୁନା ପରୀକ୍ଷା କରାଯାଇପାରିବ । ପୂର୍ବରୁ ଡାକ୍ତର ଯକ୍ଷ୍ମା ରୋଗ ଚିହ୍ନଟ ଲାଗି ଏବିଏଫ ପରୀକ୍ଷା ଲାଗି ପରାମର୍ଶ ଦେଉଥିଲେ । କଫରେ ଯକ୍ଷ୍ମା ଜୀବାଣୁ ଅଛି କି ନାହିଁ ମାଇକ୍ରୋସ୍କୋପ୍ ଦ୍ୱାରା ଚିହ୍ନଟ ହେଉଥିଲା । ସାମ୍ପୁଲ୍ ସଂଗ୍ରହର ମାନ ଉପରେ ରିପୋର୍ଟ ଆସୁଥିଲା । ଯଦି କଫରେ ଅଧିକ ଜୀବାଣୁ ନାହାନ୍ତି, ରିପୋର୍ଟ ନେଗେଟିଭ୍ ଆସୁଥିଲା । ସିବିନାଟ୍ ପରୀକ୍ଷା ଦ୍ୱାରା କଫରେ ଅତି କମ୍ ଯକ୍ଷ୍ମା ଜୀବାଣୁ ଥିଲେ ମଧ୍ୟ ଚିହ୍ନଟ ହୋଇପାରିବ । ରୋଗରେ ପୀଡ଼ିତ ବ୍ୟକ୍ତିଙ୍କୁ ଦିଆଯାଉଥିବା ରିଫାମ୍ପସିନ୍, ଆଇସୋନିଆଜିଡ୍ ଭଳି ଔଷଧ ବେଳେବେଳେ କାମ କରୁନଥିବା ଦେଖାଯାଉଛି । ଏହାର କାରଣ ମଧ୍ୟ ଏହି ମେସିନ୍ ଦ୍ୱାରା ଜଣାପଡ଼ିବ । ତଦନୁଯାୟୀ, ଡାକ୍ତର ରୋଗୀଙ୍କୁ ଅନ୍ୟ ଔଷଧ ସେବନ ଲାଗି ପରାମର୍ଶ ଦେଇପାରିବେ ।
ମାଇକ୍ରୋସ୍କୋପ୍ରେ ନମୁନା ରିପୋର୍ଟ ନେଗେଟିଭ୍ ଥିଲେ ବି ଚିକିତ୍ସା ପରେ ରୋଗୀ ଆରୋଗ୍ୟ ହେଉନଥିଲେ । କାରଣ କଫରେ ଥିବା ଜୀବାଣୁ ବେଳେବେଳେ ମାଇକ୍ରୋସ୍କୋପ ଦ୍ୱାରା ଚିହ୍ନଟ ହୋଇପାରୁନଥିଲା । ଅଧିକ ପରୀକ୍ଷା ଲାଗି ସଂଗୃହିତ ନମୁନା କୋରାପୁଟ ମେଡିକାଲ କଲେଜକୁ ପଠାଯାଉଥିଲା । ଡିଏଚଏଚ୍ରେ ମେସିନ୍ ସ୍ଥାପନ ଦ୍ୱାରା ଜୟପୁର, ବୋରିଗୁମ୍ମା, କୁନ୍ଦୁରା, ବୈପାରିଗୁଡ଼ା ଏବଂ କୋଟପାଡ଼ର ରୋଗୀ ଉପକୃତ ହେବେ । ସେମାନଙ୍କ ନମୁନା କୋରାପୁଟ ପଠାନଯାଇ ଏଠାରେ ପରୀକ୍ଷା କରାଯିବ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.