ମରଣଯନ୍ତା ପାଲଟିଛି ଗାଗନାପୁର ରାସ୍ତା

Get real time updates directly on you device, subscribe now.

ଜୟପୁର: ଗାଗନାପୁର ରାସ୍ତା ଏବେ ମରଣଯନ୍ତା ପାଲଟିଛି । ବର୍ଷା ପୂର୍ବରୁ ମରାମତି କିମ୍ବା ନୂତନ ଭାବେ ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନିଆଗଲା ନାହିଁ । ଏବେ ରାସ୍ତା ନଷ୍ଟ ହୋଇଯାଇଛି । ଶହଶହ ଗାତରେ ବର୍ଷା ପାଣି ଭର୍ତ୍ତି ହୋଇରହିଛି । ଗାଗନାପୁର ଯିବାକୁ ଏହା ଏକମାତ୍ର ରାସ୍ତା ହୋଇଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ପୂର୍ତ୍ତ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହୋଇଛି ।
ଗାଗନାପୁର ବାସିନ୍ଦା କହିଛନ୍ତି, ସହରରୁ ୨ କିଲୋମିଟର ଦୂରରେ ରହିଛି ସେମାନଙ୍କ ଗାଁ । ସହରରୁ ଗାଁକୁ ଯିିବାକୁ ଏହା ଏକମାତ୍ର ରାସ୍ତା । ଏହା ଉପରେ କୁନ୍ଦୁରା ବ୍ଲକ ସହ ଜୟପୁର ବ୍ଲକର କାଳିଆଗାଁ, ବଡଜିଉନା ଏବଂ ଧନପୁର ପଞ୍ଚାୟତବାସୀ ବି ନିର୍ଭର କରୁଛନ୍ତି । ରେଳଷ୍ଟେସନ ରାସ୍ତା ଅଧିକ ଦୂର ହେଉଥିବାରୁ ଏହି ରାସ୍ତା ଦେଇ ସମସ୍ତେ ଯିବାଆସିବା କରିବାକୁ ପସନ୍ଦ କରିଥାନ୍ତି । ପେପରମିଲକୁ ଶ୍ରମିକମାନେ ଏହି ରାସ୍ତାରେ ଯିବାଆସିବା କରୁଛନ୍ତି । କିନ୍ତୁ ଏ ରାସ୍ତା ପ୍ରତି କାହାରି ନଜର ନାହିଁ । ପୂର୍ବରୁ ଏହି ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନରେ ଥିଲା । ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଏହାକୁ ନିର୍ମାଣ କରାଯାଇଥିଲା । ନିମ୍ନମାନର କାମ ହୋଇଥିବାରୁ କମ୍ ଦିନରେ ନଷ୍ଟ ହୋଇଯାଇଥିଲା । ନିମ୍ନମାନର କାମ ସମ୍ପର୍କରେ ଭିଜିଲାନ୍ସରେ ଅଭିଯୋଗ ହୋଇଥିଲା । ଏହାର ତଦନ୍ତ ମଧ୍ୟ ହୋଇଥିଲା । ତଦନ୍ତ କ’ଣ ହେଲା କେହି ଜାଣିପାରିଲେ ନାହିଁ । ପରବର୍ତ୍ତି ସମୟରେ ଏହି ରାସ୍ତାକୁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରିଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗ । ଗ୍ରାମ୍ୟ ଉନ୍ନୟନ ବିଭାଗ ନେଇ ଏ ଭିତରେ ୩ ବର୍ଷରୁ ଅଧିକ ଦିନ ବିତିଗଲାଣି । ସ୍ଥାୟୀ ରାସ୍ତା ନିର୍ମାଣ ବଦଳରେ ତାଳିପକା କାମ କରାଯାଇଥିଲା । ଯାହାଫଳରେ ଅଳ୍ପ ଦିନରେ ରାସ୍ତା ନଷ୍ଟ ହୋଇଯାଇଛି । ଏବେ ଦୁଇ କିଲୋମିଟର ରାସ୍ତରେ ଶହଶହ ଗାତ ହୋଇଛି । ଗାତ ହୋଇଥିବା ଯୋଗୁ ରାତିରେ ଯିବାଆସିବାରେ ସମସ୍ୟା ହେଉଛି । ଗାତରେ ବର୍ଷାପାଣି ରହୁଥିବାରୁ ଛୋଟବଡ ଦୁର୍ଘଟଣା ଘଟୁଛି । ଏହା ପରେ ମଧ୍ୟ ପୂର୍ତ୍ତ ବିଭାଗର ଦୃଷ୍ଟି ପଡୁନି । ତୁରନ୍ତ ଏହି ରାସ୍ତା ନିର୍ମାଣ ଦିଗରେ ପଦକ୍ଷେପ ନିଆଯାଉ ବୋଲି ଗ୍ରାମବାସୀ ଦାବି କରିଛନ୍ତି । ଏ ସମ୍ପର୍କରେ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଭାସ୍କର ସାମନ୍ତରାୟ କହିଛନ୍ତି, ଏହି ରାସ୍ତା ନିର୍ମାଣ ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ୫ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ ନିର୍ମାଣ ପାଇଁ ୧୦ କୋଟି ଟଙ୍କାର ବ୍ୟୟଅଟକଳ କରାଯାଇଛି । ବ୍ୟୟଅଟକଳ ମଞ୍ଜୁର କରିବାକୁ ପଠାଯାଇଛି । ମଞ୍ଜୁର ହେଲା ପରେ ଟେଣ୍ଡର ଆହ୍ୱାନ କରାଯିବ ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons