ମାଲକାନଗିରି: ଆଦିବାସୀ ଅଧ୍ୟୁଷିତ ମାଲକାନଗରି ଜିଲ୍ଲାରେ ନିମ୍ନମାନର ପାଣିବୋତଲ ଓ ନକଲି ଡିଷ୍ଟିଲ ୱାଟର କାରଖାନା କରି ଲୋକମାନଙ୍କୁ ଠକୁଥିବା ଅଭିଯୋଗରେ ବାପ ପୁଅ ଥାନାରେ ଅଟକ ରହିଛନ୍ତି । ଏଥିସହ ପୁଲିସ ଉକ୍ତ କାରଖାନାକୁ ସିଜ୍ କରି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତଦ୍ୱୟ ହେଲେ, ଫ୍ୟାକ୍ଟ୍ରି ମାଲିକ ପ୍ରଦୀପ ମହାପାତ୍ର ଓ ତାଙ୍କର ବାପା (ଅବସରପ୍ରାପ୍ତ ପୁଲିସ କର୍ମଚାରୀ) ବୋଲି ଜଣାପଡ଼ିଛି ।
ପୁଲିସ ସୂଚନା ଅନୁସାରେ, ମାଲକାନଗରି ଜିଲ୍ଲା ସଦର ମହକୁମାସ୍ଥ ଏମଭି-୨ ଗ୍ରାମରେ ଜଣେ ଅବସରପ୍ରାପ୍ତ ପୁଲିସ କର୍ମଚାରୀଙ୍କ ପୁଅ ରାକେଶ ପାତ୍ର ପଦ୍ମାବତୀ ଆକ୍ୱା ଫ୍ରେସ ଇଣ୍ଡଷ୍ଟ୍ରିରେ ଡିଷ୍ଟିଲ ଟନିକ୍ ନାମକ କମ୍ପାନି କରି ବେଆଇନ ଭାବେ ନିମ୍ନ ମାନର ଡିଷ୍ଟିଲ ୱାାଟର ବଟ୍ଲିଂ କରି ଜିଲ୍ଲା ତଥା ଜିଲ୍ଲା ବାହରକୁ ଚାଲାଣ କରିଆସୁଥିଲେ । ଏହି ପତଳା ଜଳ ବଟଲିଂ ପାଇଁ କେମିକାଲ ଲାଇସେନ୍ସ ଓ ଓଜନ ମାପ ବିଭାଗର ଅନୁମତି ସହିତ ଆଇଏସଓ ମାର୍କ ଦରକାର ପଡୁଥିବା ବେଳେ ଏହି କମ୍ପାନୀ ମାଲିକ କୌଣସି ପ୍ରମାଣପତ୍ର ନଥାଇ ନିମ୍ନ ମାନର ଡିଷ୍ଟିଲ ଟନିକ୍ ବଟଲ ଉପରେ ଲେଖି ବଜାରକୁ ଛାଡ଼ି ମୁନାଫା ଉଠାଉଥିଲେ । ଗ୍ରାହକମାନେ ଶସ୍ତାରୁ ହିନସ୍ତା ହେବାପରି ସେହି ଡିଷ୍ଟିଲ ୱାଟରକୁ ନେଇ ନିଜ ଗାଡି ବ୍ୟାଟେରିରେ ପକାଇବା ସହ ଇନଭର୍ଟର ବ୍ୟାଟେରୀରେ ପକାଉଥିଲେ । କିଛିଦିନ ତଳେ ଅନେକ ଲୋକଙ୍କର ବ୍ୟାଟେରି ଅଳ୍ପଦିନରେ ଖରାପ ହୋଇଯାଇଥିଲା । ଏହି ନକଲ ଡିଷ୍ଟିଲ ୱାଟର ଯୋଗୁ ଏପରି ହେଉଥିବା ଜାଣିବା ପରେ କିଛି ଗ୍ରାହକ ସେହି କମ୍ପାନୀର ମାଲିକଙ୍କୁ ପଚାରିଥିଲେ । କିନ୍ତୁ ସେ ଓଲଟା ଧମକ ଚମକ ଦେଇ ସେମାନଙ୍କୁ ଫେରାଇ ଦେଇଥିଲେ । ଆଜି କିଛି ଗ୍ରାହକ ଏ ସମ୍ପର୍କରେ ସୋସିଆଲ ମେଡିଆରେ ଏହାକୁ ଭାଇରାଲ କରିଦେବା ପରେ ମାଲକାନଗିରି ଥାନା ପୁଲିସ ପକ୍ଷରୁ ଏକ କେସ୍ ରୁଜୁ କରାଯାଇଥିଲା । ଏସପି ରିଷିକେଶ ଡି ଖିଲାରୀଙ୍କ ନିଦେ୍ର୍ଧଶ କ୍ରମେ ଏସଡିପିଓ ବିଲାସ ଜୀ, ମାଲକାନଗରି ଥାନାଧିକାରୀ ରାମପ୍ରସାଦ ନାଗଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଏହାର ତଦନ୍ତ ଆରମ୍ଭ କରାଯାଇଥିଲା । ଆଜି ପୁଲିସ ସଦଳବଳ ଏମଭି-୨ ଗ୍ରାମକୁ ଯାଇ ସେହି କାରଖାନାରୁ ଡିଷ୍ଟିଲ ୱାଟର ଓ ପାଣିବୋତଲ ସିଜ କରିବା ସହିତ ଫ୍ୟାକ୍ଟ୍ରିରେ ତାଲାପକାଇ ଦେଇଛି । ଫ୍ୟାକ୍ଟ୍ରି ମାଲିକ ଶ୍ରୀ ମହାପାତ୍ର ଓ ତାଙ୍କ ବାପାଙ୍କୁ ଥାନାରେ ଅଟକ ରଖାଯାଇ ପଚାରାଉଚରା କରାଯାଉଥିବା ଥାନାଧିକାରୀ ଶ୍ରୀ ନାଗ କହିଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.