କୋରାପୁଟ: ଦୁରୁଆ ସଂପ୍ରଦାୟକୁ ଆଜି ପର୍ଯ୍ୟନ୍ତ ମିଳିପାରିନି ଆଦିବାସୀ ମାନ୍ୟତା । ଏହି କାରଣରୁ ସେମାନେ ବିଭିନ୍ନ କ୍ଷେତ୍ରରେ ଅବହେଳାର ଶିକାର ହୋଇ ଆସୁଛନ୍ତି । ସରକାରଙ୍କ ବିଭିନ୍ନ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ଏହାର ମୁଖ୍ୟ କାରଣ ହେଲା, ସରକାରୀ ତଥ୍ୟରେ ଦୁରୁଆଙ୍କୁ ଭିନ୍ନ ଭିନ୍ନ ଭାବରେ ଉଚ୍ଚାରଣ କରାଯାଇଛି । ରାଷ୍ଟ୍ରୀୟ ଅନୁସୂଚିତ ଜାତି ଓ ଜନଜାତି ଆୟୋଗ ପକ୍ଷରୁ ଏବେ ଏହାର ତଦନ୍ତ କରାଯାଉଛି । କେଉଁଠି ଅବହେଳା ରହିଛି, ଦୁରୁଆମାନେ ଅନ୍ୟ ଆଦିବାସୀଙ୍କ ଭଳି ସରକାରୀ ସୁବିଧା ସୁଯୋଗ ପାଉଛନ୍ତି ନା ନାହିଁ – ସେ ସମ୍ପର୍କରେ ଜାଣିବା ଲାଗି ଆଜି ଅନୁସୂଚିତ ଜାତି ଓ ଜନଜାତି ସଚିବ ଅନନ୍ତ ନାୟକ, ଡେପୁଟି ଡାଇରେକ୍ଟର ପି.କେ. ଦୁବେ, ଆସିଷ୍ଟାଣ୍ଡ ଡାଇରେକ୍ଟର ଅଶୋକ ବର୍ଦ୍ଧନ ପ୍ରମୁଖ କୁନ୍ଦୁରା ବ୍ଲକ୍ର ବୁଦାଗୁଡା ଗାଁରେ ପହଞ୍ଚିଥିଲେ । ଆୟୋଜିତ ବୈଠକରେ ଦୁରୁଆ ସଂପ୍ରଦାୟର ମତାମତ ସଂଗ୍ରହ କରିଥିଲେ ।
ସଚିବ ଶ୍ରୀ ନାୟକ କହିଥିଲେ ଯେ, ସରକାରୀ ନିଦେ୍ର୍ଧଶକ ଶ୍ରୀ ବର୍ଦ୍ଧନ ଓଡିÿଶା ଦାୟିତ୍ୱରେ ରହିଛନ୍ତି । ଆଦିବାସୀମାନଙ୍କ ପାଇଁ ସମ୍ବିଧାନରେ ଯାହା ବ୍ୟବସ୍ଥା ଅଛି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ସୁବିଧା ସେମାନେ ପାଉଛନ୍ତି ନା ନାହିଁ ସେଥିଲାଗି ସ୍ୱତନ୍ତ୍ର କମିଶନ ରହିଛି । ଆଇନରେ ଥିବା ଅଧିକାର ଆଦିବାସୀଙ୍କୁ ଦେବା ଏହାର ମୁଖ୍ୟ କାର୍ଯ୍ୟ । ଦୁରୁଆମାନେ ଆଦିବାସୀ ମାନ୍ୟତା ନପାଇବା ଦ୍ୱାରା କି କି ସମସ୍ୟା ଭୋଗୁଛନ୍ତି ସେ ସମ୍ପର୍କରେ ଶ୍ରୀ ନାୟକ ଅଞ୍ଚଳର ଲମ୍ବୋଦର ଦୁରୁଆ, ମୀରା କୁମାରୀ ଚଲାଣ ପ୍ରମୁଖଙ୍କୁ ପଚାରି ବୁଝିଥିଲେ । ଆଦିବାସୀ ପ୍ରମାଣପତ୍ର ନଥିବାରୁ ସେମାନଙ୍କ ପିଲାମାନେ ସ୍କୁଲରେ ପାଠପଢିବାରେ ଅଧିକ ସମସ୍ୟା ଭୋଗୁଥିବା କହିଥିଲେ । ବିଶେଷକରି ଦୁରୁଆଙ୍କୁ ଧାରୁଆ, ଧୁରୁଆ, ଧୁରୁବା, ଦୁରୁୱା ଭଳି ଭିନ୍ନ ଭିନ୍ନ ଉଚ୍ଚାରଣ କରାଯାଉଥିବାରୁ ଏଭଳି ସମସ୍ୟା ଉପୁଜିଥିବା ଜଣାଇଥିଲେ । ଛତିଶଗଡରେ ଏହି ଜାତିକୁ ଆଦିବାସୀ ମାନ୍ୟତା ମିଳିଥିବାରୁ ତୁରନ୍ତ ଓଡିÿଶାର ବିଭିନ୍ନ ପ୍ରାନ୍ତରେ ରହୁଥିବା ସଂପ୍ରଦାୟର ଲୋକଙ୍କୁ ପ୍ରମାଣପତ୍ର ଦେବାକୁ ଅନୁରୋଧ କରିଥିଲେ । ସବୁଠାରୁ ବଡକଥା ହେଲା, ସରକାରୀସ୍ତରରେ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମରେ ଦୁରୁଆଙ୍କୁ ଆଦିବାସୀ ଭାବେ ମାନପତ୍ର ଏବଂ ଜଙ୍ଗଲ ଜମି ପଟ୍ଟା ପୂର୍ବରୁ ପ୍ରଦାନ କରାଯାଇଛି । ଏମିତିକି ମାଲକାନଗିରି ଜିଲ୍ଲାର ପଲ୍ଲବୀ ଦୁରୁଆଙ୍କୁ ଆଦିରାଣୀ ଭାବେ ଜାତୀୟସ୍ତରରେ ମାନପତ୍ର ପ୍ରଦାନ କରାଯାଇଛି । ଏସବୁକୁ ବିଚାରକୁ ନେଇ ତୁରନ୍ତ ସେମାନଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ କରିବା ଦିଗରେ ଦୃଢ ପଦକ୍ଷେପ ନେବାକୁ ନିବେଦନ କରିଥିଲେ ।
ଆଲୋଚନାରେ ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସୟ, ଆଇଟିଡିଏ ପ୍ରକଳ୍ପ ନିଦେ୍ର୍ଧଶକ ପ୍ରବୀର କୁମାର ନାୟକ, ତହସିଲଦାର ଆୟୁବ ମଣ୍ଡଳ, ପୂର୍ବତନ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ ଏବଂ ବିଡିଓ ସ୍ନେହପ୍ରଭା ମାଝୀ ପ୍ରମୁଖ ଉପସ୍ଥିତ ଥିଲେ । ସୂଚନାଥାଉକି, ୨୦୨୦ ମସିହାରେ ବୟନଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ୍ ଏବଂ ସାଂସଦ ରମେଶ ଚନ୍ଦ୍ର ମାଝୀ କୁନ୍ଦୁରା ଗସ୍ତରେ ଆସିଥିବା ବେଳେ ଦୁରୁଆ ଆଦିବାସୀ ମହିଳା ମହାସଂଘ ତରଫରୁ ଆଦିବାସୀ ମାନ୍ୟତା ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ମହାସଂଘର ଉପଦେଷ୍ଟା ତଥା ସମାଜସେବୀ ଚନ୍ଦ୍ର ସଗରିଆ ଏବଂ ସଭାନେତ୍ରୀ ଚକ୍ରବର୍ତ୍ତୀ ଦୁରୁଆଙ୍କ ନେତୃତ୍ୱରେ ଏହି ଦାବି ଉପସ୍ଥାପନ କରାଯାଇଥିଲା ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ


Comments are closed, but trackbacks and pingbacks are open.