ଭୁବନେଶ୍ୱର: ପୁଣି ଥରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳରେ କ୍ୟାବିନେଟ ମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିଭାଗ ବଦଳିଛି । ମୋଦି ସରକାରର ପ୍ରଥମ ପାଳିରୁ ଏଯାବତ ପେଟ୍ରୋଲିୟମ ବିଭାଗ ଦାୟିତ୍ୱରେ ଥିବା ଧର୍ମେନ୍ଦ୍ରଙ୍କୁ ଏବେ ଦିଆଯାଇଛି ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରାଳୟ । ସାରା ଦେଶକୁ ଗୋଟିଏ ଡୋରିରେ ବାନ୍ଧିବା ପାଇଁ ମୋଦି ସରକାରଙ୍କ ଅତି ଗୁରୁତ୍ୱପୂର୍ଣ ଯୋଜନା ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରିବାର ଗୁରୁଦାୟିତ୍ୱ ଧର୍ମେନ୍ଦ୍ରଙ୍କୁ ଦେଇଛନ୍ତି ମୋଦି ।
ଓଡ଼ିଶାରୁ ଆଉ ଦୁଇଜଣଙ୍କୁ ବି ମନ୍ତ୍ରୀପଦ ମିଳିଛି । କ୍ୟାବିନେଟରେ ସ୍ଥାନ ପାଇଥିବା ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ବିଭାଗ ଦାୟିତ୍ୱ ମିଳିଛି । ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଥିବାବେଳେ ତାଙ୍କୁ ଆଦିବାସୀ କଲ୍ୟାଣ ବିଭାଗ ଓ ଜଳଶକ୍ତି ମନ୍ତ୍ରଣାଳୟର ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ଦିଆଯାଇଛି ।
ମୋଦି ସରକାରଙ୍କ ଡ୍ରିମ ପ୍ରୋଜେକ୍ଟ ଭିତରେ ରହିଛି ଜାତୀୟ ଶିକ୍ଷା ନୀତି । ଏହାକୁ କାର୍ଯ୍ୟକାରୀ କରିବା ମୋଦି ସରକାର ପାଇଁ ଏକ ବଡ଼ ଚାଲେଞ୍ଜ । ଏଥିପାଇଁ ଧର୍ମେନ୍ଦ୍ରଙ୍କୁ ଶିକ୍ଷା ବିଭାଗର ଗୁରୁଦାୟିତ୍ୱ ଦେଇଛନ୍ତି ମୋଦି । ଜାତୀୟ ଶିକ୍ଷା କାର୍ଯ୍ୟକାରୀ ହେଲେ ଦେଶରେ ଶିକ୍ଷା ବ୍ୟବସ୍ଥା ନୂଆ ରୂପ ପାଇବ । ଜାତୀୟସ୍ତରରେ ଶିକ୍ଷା ନୀତିକୁ ଆଧୁନିକ ରୂପ ଦେବା ସବୁ ପ୍ରାନ୍ତର ଭାଷା, ସଂସ୍କୃତିକୁ ମଧ୍ୟ ସେଥିରେ ସ୍ଥାନିତ କରାଯିବ । ଫଳରେ ଶିକ୍ଷା ବ୍ୟବସ୍ଥାରେ ଜାତୀୟତା ରୂପ ଦେଖିବାକୁ ମିଳିବ ।
ଏହି ମେଗା ସ୍ୱପ୍ନକୁ ସାକାର କରିବା ପାଇଁ ଧର୍ମେନ୍ଦ୍ରଙ୍କ ଉପରେ ଭରସା କରିଛନ୍ତି ମୋଦି । ଯେହେତୁ ଧର୍ମେନ୍ଦ୍ର ପେଟ୍ରୋଲିୟମ, ଇସ୍ପାତ ବିଭାଗ ଭଳି ଗୁରୁ ଦାୟିତ୍ୱକୁ ଦକ୍ଷତାର ସହ ତୁଲାଇଥିଲେ । ବିଗତ ଦିନରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏବଂ ଆରଏସଏସର ବିଶ୍ୱସ୍ତ ହୋଇପାରିବା ସହ ନିଜ ଦକ୍ଷତାକୁ ପ୍ରତିପାଦିତ କରିଛନ୍ତି । ତେଣୁ ତାଙ୍କୁ ଏହି ନୂଆ ଗୁରୁଦାୟିତ୍ୱ ମିଳିଛି । ଧର୍ମେନ୍ଦ୍ରଙ୍କ ସମୟରେ ପେଟ୍ରୋଲିୟମ ବିଭାଗରେ ଅନେକ ଲୋକାଭିମୁଖୀ ପଦକ୍ଷେପ ନିଆଯାଇଛି । ଉଜ୍ଜ୍ୱଳା ଭଳି ବିରାଟ ଯୋଜନା ଆଜି ଗରିବଙ୍କ ଘରେ ରନ୍ଧନ ଗ୍ୟାସ ପହଞ୍ଚାଇଛି । ୨୦୧୯ରେ ବିଜେପି ପୁଣି ବିଶାଳ ବିଜୟ ସହ କ୍ଷମତାକୁ ଫେରିବା ପଛରେ ‘ଉଜ୍ୱଳା ଯୋଜନା’ ବଡ଼ ଭୂମିକା ନେଇଥିଲା ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.