ଅନୁଗୁଳ: ଅନୁଗୁଳ ବନଖଣ୍ଡର ବନ୍ତଳା ବନାଞ୍ଚଳ ତଳଗଡ଼ ଗାଁ’ ନିକଟରେ ଶୁକ୍ରବାର ସକାଳେ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର ହୋଇଛି । ରାତିରେ ବିଦୁ୍ୟତ୍ ତାର ସଂସ୍ପର୍ଶରେ ଆସି ହାତୀର ପ୍ରାଣବାୟୁ ଉଡ଼ିଯାଇଥିବା ବନ ବିଭାଗର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ଜନ୍ତୁ ଶିକାର ପାଇଁ ଶିକାରୀ ବିଛାଇଥିବା ବିଦୁ୍ୟତ୍ ଫାଶ ହିଁ ଦନ୍ତାହାତୀର ଜୀବନ ନେଇଛି ବୋଲି କୁହାଯାଇଛି ।
ଏହି ଘଟଣାରେ ତଳଗଡ଼ ମାଟିଆସାହିର ଯୋଗୀନାଥ ପ୍ରଧାନ (୫୮)ଙ୍କୁ ବନ ବିଭାଗ ଗିରଫ କରି ପଚରାଉଚୁରା ଚଳାଇଛି । ମୃତ ହାତୀର ବୟସ ୧୦ ବର୍ଷ । ସାତକୋଶିଆ ବନ୍ୟପ୍ରାଣୀ ଚିକିତ୍ସକ ଡା. କିଶୋର ସାହୁଙ୍କ ଦ୍ୱାରା ବ୍ୟବଚ୍ଛେଦ କରାଯିବା ମଅତଦେହ ପୋତି ଦିଆଯାଇଛି ।
ଆଜି ସକାଳେ ଗାଁ’ ପାଖ ଜଙ୍ଗଲରେ ହାତୀର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକ ଦେଖି ବନବିଭାଗକୁ ସୂଚନା ଦେଇଥିଲେ । ବନ ବିଭାଗର ପାଟ୍ରୋଲିଂ ଟିମ୍ ସହିତ ବନ୍ତଳା ବନାଞ୍ଚଳ ଅଧିକାରୀ ମାଧବାନନ୍ଦ ନାୟକ, ବନ୍ତଳା ପୁଲିସ ସଦଳବଳ ଘଟଣାସ୍ଥଳରେ ପହଁଚି ଅନୁସନ୍ଧାନ ଚଳାଇଥିଲେ । ପରେ ଅନୁଗୁଳ ବନଖଣ୍ଡ ଅଧିକାରୀ ପ୍ରସନ୍ନ ବେହେରା, ଆରସିସିଏଫ୍ ପ୍ରଦୀପ ରାଜ କରାଟ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଯୋଗୀନାଥ ଅନେକ ସମୟରେ ନିଜ ଘରୁ ବିଦୁ୍ୟତ୍ ସଂଯୋଗ ନେଇ ଜଙ୍ଗଲରେ ଜନ୍ତୁ ଶିକାର କରୁଥିଲେ । ରାତିରେ ଜନ୍ତୁ ଶିକାର ପାଇଁ ବିଛାହୋଇଥିବା ବିଦୁ୍ୟତ୍ ତାରରେ ଲାଗି ହାତୀର ମୃତୁ୍ୟ ହୋଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.