ଚିକିଟି: ଚିକିଟି ବ୍ଲକ୍ର ଉପକୂଳବର୍ତ୍ତୀ କତୁରୁ ପଞ୍ଚାୟତର ରାମେୟାପାଟଣା ଗାଁକୁ ସମୁଦ୍ର ଗ୍ରାମ କରିଦେବାକୁ ବସିଛି । ସମୁଦ୍ର ଲହଡି ସ୍ଥଳ ଭାଗକୁ ମାଡି ଆସି ବାରମ୍ବାର ଘରଗୁଡିକୁ ଭାଙ୍ଗି ଦେବାରେ ଲାଗିଛି । ଗତ ୧ ତାରିଖରେ ୩ଟି ଘରକୁ ଭସାଇ ନେଇଥିବା ବେଳେ ରବିବାରୁ ପୁଣି ୩ଟି ଘର ଭାଙ୍ଗି ସମୁଦ୍ରକୂଳରେ ଧସିଯାଇଛି । ଆହୁରି ପ୍ରାୟ ୫ଟି ଘର ବିପଦସଙ୍କୁଳ ଅବସ୍ଥାରେ ରହିଛି, କେତେବେଳେ ଯେ ସମୁଦ୍ରରେ ଲୋପ ପାଇଯିବ କହିହେଉନି । ଭୟରେ ଲୋକେ ସେସବୁ ଘର ଛାଡି ଅନ୍ୟତ୍ର ରହୁଛନ୍ତି । ଗତ ଦୁଇ ବର୍ଷ ମଧ୍ୟରେ ପ୍ରାୟ ୩୦ରୁ ଅଧିକ ଘର ଏଭଳି ଭାଙ୍ଗିଥିବା ବେଳେ ଗଛଲତା, ଗୃହପାଳିତ ପଶୁ ସମୁଦ୍ର ଲହଡିରେ ବିଲୀନ ହୋଇଯାଇଥିବା କହିଛନ୍ତି ଗ୍ରାମବାସୀ । ଏହାକୁ ନେଇ ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଦିନ କାଟୁଛନ୍ତି ।
ଜ୍ୟେÂ ପୂର୍ଣ୍ଣିମା ପର ଠାରୁ ପୁଣି ରାମେୟାପାଟଣା ସମୁଦ୍ରକୂଳରେ ବଡ ବଡ ଲହଡି ସ୍ଥଳ ଭାଗ ଆଡକୁ ମାଡି ଆସୁଛି । କୂଳ ଲଂଘି ପୂର୍ବ ଅପେକ୍ଷା ପ୍ରାୟ ୭୦୦ରୁ ୮୦୦ ମିଟର ଆଗକୁ ଭୂଭାଗ ଆଡକୁ ସମୁଦ୍ର ପାଣି ମାଡ଼ି ଆସୁଛି । ଏଭଳି ସ୍ଥିତି ଜାରି ରହିଲେ ଦିନେ ସାରା ଗାଁ ସମୁଦ୍ରରେ ଲୀନ ହୋଇଯିବା ଆଶଙ୍କା କରୁଛନ୍ତି ଗ୍ରାମବାସୀ । ଶୀଘ୍ର ସୁରକ୍ଷା ପାଚେରୀ ନିର୍ମାଣ କରିବା ନେଇ ଏଲ୍.ଭାଗିରାଜ ପ୍ରଶାସନ ଓ ସରକାରଙ୍କୁ ଅନୁରାଧ କରିଛନ୍ତି । ରବିବାର ସକାଳ ପ୍ରାୟ ୮ଟା ୩୦ ମିନିଟରେ ଏଲ୍. ହେମବତୀ, ଏଲ୍. ଚନ୍ଦ୍ରମା, ଆର୍.ତ୍ରିନାଥଙ୍କ ଘର ସମୁଦ୍ର ଲହଡ଼ି ମାଡରେ ନଷ୍ଟ ହୋଇ କୂଳରେ ଭାଙ୍ଗି ପଡିଛି । ଚିକିଟି ବିଡିଓ ଫାଲ୍ଗୁନି ମାଝୀ, ତହସିଲଦାର ବିଶ୍ୱରଞ୍ଜନ କଅଁର ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି । ଅଧିକାରୀଙ୍କ ନିକଟରେ ମଧ୍ୟ ଗାଁ ବିପଦମୁହାଁ ଥିବା ହେତୁ ସୁରକ୍ଷା ପ୍ରାଚୀର ଶୀଘ୍ର ନିର୍ମାଣ ଦାବି ଗ୍ରାମବାସୀ ଦୋହରାଇଥିଲେ । ପ୍ରକାଶ ଥାଉକି ନିକଟରେ ଜଳସମ୍ପଦ ବିଭାଗ ଅଧିକାରୀମାନେ ରାମେୟାପାଟଣା ଅଞ୍ଚଳ ପରିଦର୍ଶନରେ ଆସି ୨୩ କୋଟି ଟଙ୍କା ବିନିମୟରେ ସୁରକ୍ଷା ପ୍ରାଚୀର ନିର୍ମାଣ ନେଇ ଆଶ୍ୱାସନା ଦେଇଥିଲେ । ଶୀଘ୍ର ଟେଣ୍ଡର୍ କାମ ସାରି କାର୍ଯ୍ୟ ଆରମ୍ଭ ହେବା ସୂଚନା ଦେଇଥିଲେ ।
ରିପୋର୍ଟ ବିଶ୍ୱବିଜୟୀ
Comments are closed, but trackbacks and pingbacks are open.