ବୃଦ୍ଧାଙ୍କୁ ଦଳିଦେଲା ଦନ୍ତା

Get real time updates directly on you device, subscribe now.

ଚୌଦ୍ୱାର: ଦନ୍ତା ହାତୀ ଆକ୍ରମଣରେ ଚୌଦ୍ୱାର ଥାନା ମହିଷାଲଣ୍ଡା ଗ୍ରାମର ଜଣେ ବୃଦ୍ଧାଙ୍କର ଆଜି ମୃତୁ୍ୟ ଘଟିଛି । ମୃତକ ହେଲେ ସ୍ୱର୍ଗତ ରଘୁନାଥ ଜେନାଙ୍କ ପତ୍ନୀ ସରୋଜିନୀ ଜେନା(୭୦) । ମିଳିଥିବା ସୂଚନା ଅନୁଯାୟୀ, ରବିବାର ଭୋର ପ୍ରାୟ ୫ଟା ସମୟରେ ମହିଷାଲଣ୍ଡା ତଳସାହିକୁ ଏକ ଦନ୍ତା ହାତୀ ପଶି ଆସିଥିଲା । ହାତୀକୁ ଦେଖି ଶୌଚାଦି କର୍ମ ପାଇଁ ଯାଇଥିବା ଲୋକମାନେ ଜୀବନ ବିକଳରେ ଦୌଡି ପଳାଇଥିଲେ । ଏହି ସମୟରେ ସରୋଜିନୀ ଘର କବାଟ ଖୋଲି ବାହାରକୁ ଆସୁଥିବା ବେଳେ ଅଚାନକ ହାତୀ ହାବୁଡରେ ପଡିଯାଇଥିଲେ । ହାତୀଟି ବୃଦ୍ଧାଙ୍କୁ ଉଠାଇ କଚାଡି ଦେଇ ଗୋଡରେ ଦଳି ଦେଇଥିଲା । ଏହା ଦେଖି ପରିବାର ଲୋକେ ପାଟି କରି ସାହି ପଡିଶାଙ୍କୁ ଡାକ ପକାଇଥିଲେ । ଲୋକେ ପାଟିତୁଣ୍ଡ କରିବାରୁ ହାତୀଟି ବୃଦ୍ଧାଙ୍କୁ ଛାଡି ପଳାଇଥିଲା ।
ହାତୀ ଆକ୍ରମଣରେ ସରୋଜିନୀଙ୍କ ଗୋଡ଼ ସହ ଶରୀରର ବିଭିନ୍ନ ସ୍ଥାନର କ୍ଷତ ସୃଷ୍ଟି ହୋଇଥିବା ବେଳେ ମେରୁଦଣ୍ଡ ହାଡ ଭାଙ୍ଗି ଯାଇଥିଲା । ଗ୍ରାମବାସୀ ମଙ୍ଗରାଜପୁର ସେrନକୁ ଖବର ଦେଇଥିଲେ ହେଁ ବନ କର୍ମଚାରୀମାନେ ବହୁ ବିଳମ୍ବରେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଏଥିପାଇଁ ଅସନ୍ତୋଷ ପ୍ରକାଶ ପାଇଥିଲା । ବନ କର୍ମଚାରୀଙ୍କ ଗାଡ଼ିରେ ଗୁରୁତର ସରୋଜିନୀଙ୍କୁ ନିଆଯାଉଥିବା ବେଳେ ଆମ୍ବୁଲାନ୍ସ ପହଞ୍ଚିବାରୁ ତାଙ୍କୁ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ ମେଡିକାଲ ନିଆଯାଇଥିଲା । ହେଲେ ସେଠାରେ ତାଙ୍କର ମୃତୁ୍ୟ ଘଟିଥିଲା । ବିଭାଗରୁ ମିଳିଥିବା ସୂଚନା ମୁତାବକ ଦନ୍ତାଟି ରାତି ହେବା ମାତ୍ରେ ଶଙ୍କରପୁର, ମଙ୍ଗରାଜପୁର, ମହିଷାଲଣ୍ଡା ଇତ୍ୟାଦି ଅଞ୍ଚଳରେ ଚଳପ୍ରଚଳ କରୁଛି । କଟକ ବନଖଣ୍ଡ ଡାଳିଯୋଡା ରେଞ୍ଜର ମଙ୍ଗରାଜପୁର ସେrନ କର୍ମଚାରୀଙ୍କର ନଜର ରହୁନଥିବାରୁ ହାତୀଟି ଗାଁକୁ ପଶି ଆସି ଆକ୍ରମଣ କରୁଛି । ଏବେ ଚାଷ ସମୟ । ଧାନ ଗଛ ବଢିବା ଆରମ୍ଭ କଲାଣି । ଏହି ସମୟରେ ହାତୀ ଭୟ ଘାରିଛି ଅଞ୍ଚଳବାସୀଙ୍କୁ । ଏନେଇ ମଙ୍ଗରାଜପୁର ବନପାଳ ପୀତବାସ ମହାପାତ୍ରଙ୍କୁ ଯୋଗାଯୋଗ କରିବାକୁ ଉଦ୍ୟମ କରାଯାଇଥିଲେ ବି ସେ ଫୋନ ଉଠାଇନଥିଲେ । ବୈରୀ ରେଞ୍ଜର ଅଭିରାମ ଜେନାଙ୍କୁ ପଚାରିବାରେ ସେ କହିଛନ୍ତି, କୋଡିଏ ଦିନ ହେଲା ହାତୀଟି ଚନ୍ଦକାରୁ ଚାଲିଆସି ଏକୁଟିଆ ହୋଇ ବୁଲୁଛି ଓ ଜନବସତି ମୁହାଁ ହେଉଛି । ମୃତା ସରୋଜିନୀଙ୍କ ପରିବାରକୁ ୪୦ ହଜାର ଟଙ୍କା ସରକାରୀ ସହାୟତା ରାଶି ପ୍ରଦାନ କରାଯାଇଛି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons