ଆବାସ ପାଇଁ ହିତାଧିକାରୀ ହନ୍ତସନ୍ତ

Get real time updates directly on you device, subscribe now.

କୁନ୍ଦୁରା: ଝାଟିମାଟି ଘରର ଫଟୋ ଉଠାଇ ପଞ୍ଚାୟତ ତରଫରୁ ଜିଓ ଟେଗ୍ କରାଯାଇଥିଲା । ଆବାସ ଯୋଜନାରେ ଘର ମିଳିବ ବୋଲି ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା । ହେଲେ ଦୀର୍ଘ ୩ବର୍ଷ ବିତିଯାଇଥିଲେ ମଧ୍ୟ ଆବାସ ଯୋଜନାରେ ଘର ଯୋଗାଇବାର ନାଁ ନେଉ ନାହାନ୍ତି ପଞ୍ଚାୟତ ଅଧିକାରୀ । ଏଭଳି ଅଭିଯୋଗ କରିଛନ୍ତି କୁନ୍ଦୁରା ବ୍ଲକ କେର୍ମେଟି ସଦର ପଞ୍ଚାୟତର ରାମଦାସ ଦୁରୁଆ(୩୫) । ଆବାସ ଗୃହ ପାଇଁ ବାରମ୍ବାର ଦୌଡୁଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁନି । ଏଥିପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟିଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।
ରାମଦାସଙ୍କ ପରିବାରରେ ୭ ପ୍ରାଣୀ କୁଟୁମ୍ବ । ତାଙ୍କ ସ୍ତ୍ରୀ ତୁଳସା, ବଡଝିଅ ସାବିତ୍ରୀ(୧୩), ପୁଅ ରାମ(୧୨), ଝିଅ ସୁଭଦ୍ରା(୮), ଝିଅ ସାନମତି(୬) ଓ ସାନଝିଅ ସନବାଲି(୪) । ରାମଙ୍କ ସମ୍ପତ୍ତି କହିଲେ ୧ ଏକରରୁ କମ ବିଲଜମି ଓ ଡଙ୍ଗରିଆ ଜମି ଏକ ଏକର ରହିଛି । ଚାଷରୁ ୧୨ରୁ ୧୫ବସ୍ତା ଧାନ ଆଦାୟ ହୋଇଥାଏ । ୮-୯ବସ୍ତା ଖାଇବା ପାଇଁ ରଖି ବଳକା ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ବିକ୍ରି କରିବାକୁ ପଡେ । ଏଥିରେ ସେମାନେ କଷ୍ଟେମଷ୍ଟେ ୬ମାସ ଚଳିଯାଆନ୍ତି । ସରକାରୀ ସହାୟତା କହିଲେ ଅନ୍ତେ୍ୟାଦୟ ଯୋଜନାରେ ୩୫କେଜି ଚାଉଳ ମିଳୁଛି । ୭ଜଣିଆ ପରିବାରକୁ ୧୫ରୁ ୧୮ଦିନ ମଧ୍ୟରେ ଚାଉଳ ସରିଯାଏ । ବଳକାଦିନ ଉଭୟ ସ୍ୱାମୀ ସ୍ତ୍ରୀ ପରଘରେ କୁଲିଭୁତି କରି ପରିବାର ଚଳାଇଆସୁଛନ୍ତି । ୩ବର୍ଷ ହେଲା ସ୍ତ୍ରୀ ତୁଳସାଙ୍କ ଦେହ ଦୁର୍ବଳ ଥିବାରୁ ସେ ଆଉ କାମଧନ୍ଦା କରିପାରୁ ନାହାନ୍ତି । ଝାଟିମାଟି କାନ୍ଥର ୨ବଖରା ଛପର ଘରେ ଏହି ପରିବାର ମୁଣ୍ଡ ଗୁଞ୍ଜିଛନ୍ତି । ଅଭାବ ଅନଟନରେ ଜୀବନ ବିତୁଥିବା ବେଳେ ଘର ଖଣ୍ଡିଏ କରିବା ପାଇଁ ସାମର୍ଥ୍ୟ ଜୁଟାଇପାରୁ ନାହାନ୍ତି । ରାମଙ୍କ କହିବା ପ୍ରକାରେ, ୨୦୧୮-୧୯ରେ ପଞ୍ଚାୟତ ରୋଜଗାର ସେବକ ସେମାନଙ୍କ ଘରର ଫଟୋ ଉଠାଇ ଜିଓ ଟେଗ୍ କରିଥିଲେ । ଆଧାରକାର୍ଡ, ବ୍ୟାଙ୍କଖାତା, ଭୋଟର ପରିଚୟପତ୍ର ନେଇଥିଲେ । ଗରିବ ପରିବାରକୁ ସରକାରଙ୍କୁ ଆବାସ ଗୃହ ମିଳିବ ବୋଲି କହିଥିଲେ । ହେଲେ ଦୀର୍ଘ ୩ବର୍ଷ ବିତିଯାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ତାଙ୍କୁ ଘର ଖଣ୍ଡେ ମିଳିପାରିନି । ଭଙ୍ଗାଦଦରା ମାଟି ଘରେ ସେମାନେ ମୁଣ୍ଡ ଗୁଞ୍ଜିଛନ୍ତି । ଇତିମଧ୍ୟରେ ତ+ାଳୀନ ପିଇଓଙ୍କ ବଦଳି ହୋଇଗଲାଣି । ନୂତନ ପିଇଓଙ୍କ ଆବାସ ଗୃହ ସମ୍ପର୍କରେ ଗୁହାରି କରିଥିଲେ । ଏପରି କି ୩ଥର ହେଲା ପଞ୍ଚାୟତରେ କାଗଜପତ୍ର ଦାଖଲ କରିଛନ୍ତି । ହେଲେ ମଧ୍ୟ କେହି ଶୁଣୁ ନଥିବା ରାମ କ୍ଷୋଭର ସହ କହିଛନ୍ତି । ପଞ୍ଚାୟତ କାର୍ଯ୍ୟାଳୟରୁ ମାତ୍ର ୩୦ମିଟର ଦୂରରେ କୁଡିଆ ଘରେ ରହୁଥିଲେ ମଧ୍ୟ ଅଧିକାରୀଙ୍କ ନଜର ପଡୁ ନାହିଁ ବୋଲି ରାମ କହିଛନ୍ତି । ଏନେଇ ଜିଓ ଟେଗ୍ ଫଟୋ ଉତ୍ତୋଳନ କରିଥିବା ରୋଜଗାର ସେବକ ଅମରବର ମଲ୍ଲିକଙ୍କୁ ପଚାରିବାରେ ସେହି ସମୟରେ ପ୍ରତି ପରିବାରର ଘର ଫଟୋ ନିଆଯାଇଥିଲା । ସେମାନଙ୍କୁ ଆବାସ ଗୃହ ଯୋଗାଇ ଦେବାକୁ ପ୍ରମାଣପତ୍ର ମଧ୍ୟ ମଗାଯାଇଥିଲା । ଆବାସ କାହିଁକି ମିଳିଲା ନାହିଁ ପିଇଓ କହିପାରିବେ ବୋଲି କହିଛନ୍ତି । ବ୍ଲକ ପ୍ରୋଗ୍ରାମ କୋର୍ଡିନେଟର କାର୍ତ୍ତିକ ନାୟକଙ୍କୁ ପଚାରିବାରେ ୨୦୧୮ର ପିଇଓ ଓ ଜିଆରଏସ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦେଇ ନଥିବାରୁ ଏସମ୍ପର୍କରେ ପ୍ରଶାସନକୁ ଅବଗତ କରାଯାଇଛି । ବିଡିଓ ସ୍ନେହପ୍ରଭା ମାଝୀଙ୍କ ମଧ୍ୟ ଦୃଷ୍ଟି ଆକର୍ଷଣ କରାଯାଇଛି ବୋଲି କହିଛନ୍ତି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons