ରାସନ ଦୋକାନୀ ସହ ୬ ଗିରଫ

Get real time updates directly on you device, subscribe now.

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ବନ୍ୟଜନ୍ତୁ ଶିକାର ଦିନକୁ ଦିନ ବଢ଼ି ଚାଲିଛି । ବନବିଭାଗକୁ ଚକ୍ମା ଦେଇ ଶିକାରୀମାନେ ଘଞ୍ଚ ଜଙ୍ଗଲରେ ପଶି ବିଭିନ୍ନ କୌଶଳ ଅବଲମ୍ବନ କରି ଅବାଧ ଶିକାର କରୁଛନ୍ତି । ବନ୍ୟଜନ୍ତୁଙ୍କ ମାଂସକୁ ଜଙ୍ଗଲ ନିକଟସ୍ଥ ଗ୍ରାମାଞ୍ଚଳରେ ବିକ୍ରି କରୁଛନ୍ତି । ଗତକାଲି ଜଙ୍ଗଲରେ ପଶି ଶିକାର ଯୋଜନା କରୁଥିବା ବେଳେ ହିନେ୍ଦାଳ ରେଞ୍ଜ୍ କନ୍ଧରା ରିଜର୍ଭ ଜଙ୍ଗଲ ମଧ୍ୟରୁ ୫ ଜଣ ଶିକାରୀଙ୍କୁ ଗିରଫ କରିଛି । ଗୁଳିରେ ମିଶୁଥିବା ବିଭିନ୍ନ ରାସାୟନିକ ପଦାର୍ଥ ଯୋଗାଣ କରୁଥିବା ରାସୋଳ ବଜାରର ଜଣେ ରାସନ୍ ଦୋକାନୀଙ୍କୁ ମଧ୍ୟ ବନବିଭାଗ ଗିରଫ କରିଛି । ଗିରଫ ବ୍ୟକ୍ତିମାନେ ହେଲେ ରାସୋଳ ଥାନା ଗୁରୁଜାଙ୍ଗ ଗ୍ରାମର କାର୍ତ୍ତିକ ପାଇକ ଓ ତାଙ୍କପୁଅ ଲିଟୁ ପାଇକ, ଖଲିବୋରେଇ ଗ୍ରାମର ଦୋଳଗୋବିନ୍ଦ ଗଡ଼ନାୟକ ଓ ତାଙ୍କଭାଇ ସଇରା ଗଡ଼ନାୟକ, ବିମ୍ବୋରୀ ଗ୍ରାମର ମାଧବ ଦେହୁରୀ ଓ ରାସୋଳ ଗ୍ରାମର ନିରଞ୍ଜନ ସାହୁ । କାର୍ତ୍ତିକ, ଲିଟୁ, ଦୋଳଗୋବିନ୍ଦ, ସଇରା ଓ ମାଧବ ବନ୍ୟଜନ୍ତୁ ଶିକାରୀ ହୋଇଥିବା ବେଳେ ରାସୋଳ ବଜାରରେ ଗ୍ରୋସରୀ ଦୋକାନ କରିଥିବା ନିରଞ୍ଜନ ସାହୁ ସେମାନଙ୍କୁ ବନ୍ଧୁକରେ ଗୁଳି ପାଇଁ ବ୍ୟବହୃତ ବିଭିନ୍ନ ରାସାୟନିକ ପଦାର୍ଥ ଯୋଗାଣ କରୁଥିଲେ ।
ଢେଙ୍କାନାଳ ବନଖଣ୍ଡ ଅଧିକାରୀ ଡା. ପ୍ରକାଶ ଚାନ୍ଦ ଗୋଗିନେନୀଙ୍କ ସୂଚନା ଅନୁସାରେ, ଉପରୋକ୍ତ ଶିକାରୀମାନେ ଗତ ଦୁଇଦିନ ତଳେ କନ୍ଧରା ରିଜର୍ଭ ଘଞ୍ଚ ଜଙ୍ଗଲର ଗୁରୁଜାଙ୍ଗ ଓ ବିମ୍ବୋରୀ ମଧ୍ୟରେ ପ୍ରବେଶ କରିଥିଲେ । ଖବରପାଇ ବନବିଭାଗ କର୍ମଚାରୀମାନେ ସେମାନଙ୍କୁ ଛକି ବସିଥିଲେ । ରବିବାର ଦିନ ବନବିଭାଗ କର୍ମଚାରୀମାନେ ଜଙ୍ଗଲ ମଧ୍ୟରେ ଚଢ଼ାଉ କରି ପ୍ରଥମେ ୨ ଜଣଙ୍କୁ ଧରିଥିଲେ । ସେମାନଙ୍କ ସୂଚନା ଅନୁସାରେ ପରବର୍ତ୍ତୀ ସମୟରେ ଅନ୍ୟ ୪ ଜଣଙ୍କୁ ଧରାଯାଇଥିଲା । ସେମାନଙ୍କଠାରୁ ୩ଟି ଦେଶୀବନ୍ଧୁ, ୨ଟି ଟର୍ଚ୍ଚ ଲାଇଟ୍, ୩ କେଜି ଗନ୍ ପାଉଡ଼ର, ମଣିଚୁଲା ୫ ଶହ ଗ୍ରାମ୍, ପୋଟାସ୍ ଦେଢ଼କେଜି, ସଲ୍ଫେଟ୍ ୫୦ ଗ୍ରାମ୍, ଜିଙ୍କ୍ ପାଉଡ଼ର ୫୦୦ ଗ୍ରାମ୍ ପ୍ରଭୃତି ରାସାୟନିକ ପଦାର୍ଥ ଜବତ କରାଯାଇଛି । ଦେଶୀ ବନ୍ଧୁକରେ ବ୍ୟବହୃତ ଗୁଳି ତିଆରିରେ ଏହି ସାମଗ୍ରୀ ମିଶାଯାଇଥାଏ । ଏହି ରାସାୟନିକ ପଦାର୍ଥକୁ ଶିକାରୀମାନେ ରାସୋଳ ବଜାରରେ ଦୋକାନ କରିଥିବା ନିରଞ୍ଜନଙ୍କଠାରୁ କିଣିଥାନ୍ତି । ସେହିପରି ହିନେ୍ଦାଳ ଉପଖଣ୍ଡ ଅଞ୍ଚଳରେ ସହଜରେ ଦେଶୀବନ୍ଧୁକ ମିଳିଯାଉଥିବା ବେଳେ ଶିକାରୀମାନେ ତାହାକୁ କିଣି ଶିକାର କରିବାକୁ ସହଜସାଧ୍ୟ ହେଉଛି । ଏହି ବନ୍ଧୁକ ବେପାର ମୁଖ୍ୟ କାର୍ପଟଦାରକୁ ଗିରଫ କରିବା ପାଇଁ ଉଦ୍ୟମ ଜାରି ରହିଥିବା ଡିଏଫ୍ଓ ଡା. ଗୋଗିନେନୀ ସୂଚନା ଦେଇଛନ୍ତି ।

ରିପୋର୍ଟ ବିଶ୍ୱବିଜୟୀ

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons