ଜୟପୁର: ଆସିଛି ଜିଲ୍ଲାର ସେରୋ ସର୍ଭେ ରିପୋର୍ଟ । ୬୧. ୩ ପ୍ରତିଶତ ଲୋକଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି । ସବୁଠାରୁ ଅଧିକ ଆଣ୍ଟିବଡି ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଠାରେ ସୃଷ୍ଟି ହୋଇଛି । ଯାହା ୮୫. ୫୩ ପ୍ରତିଶତ । ୬ରୁ ୧୭ ବର୍ଷ ବୟସ୍କଙ୍କ ଶରୀରରେ ୫୦ ପ୍ରତିଶତରୁ ଅଧିକ ଆଣ୍ଟିବଡି ଚିହ୍ନଟ ହୋଇଥିବା ଏହି ରିପୋର୍ଟରେ କୁହାଯାଇଛି । ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍ଆରସି) ପକ୍ଷରୁ ଏହି ସର୍ଭେ କରାଯାଇଥିଲା ।
ଚତୁର୍ଥ ସେରୋସର୍ଭିଲାନ୍ସ ରିପୋର୍ଟରେ ଆସିଥିବା ତଥ୍ୟ ଉତ୍ସାହଜନକ । ମିଳିଥିବା ତଥ୍ୟ ଅନୁଯାୟୀ, ଗଞ୍ଜାମରେ ୭୦.୯ ପ୍ରତିଶତ, ରାୟଗଡ଼ାରେ ୬୩ ପ୍ରତିଶତ ଏବଂ କୋରାପୁଟରେ ୬୧.୩ ପ୍ରତିଶତ ଲୋକଙ୍କ ଦେହରେ କୋଭିଡ୍ ବିରୁଦ୍ଧରେ ଲଢେଇ କରିବା କ୍ଷମତା ସୃଷ୍ଟି ହୋଇଛି । ଏହି ୩ ଜିଲ୍ଲାର ସେରୋ ପଜିଟିଭିଟି ହାର ହେଉଛି ୬୫. ୧୨ ପ୍ରତିଶତ । କୋରାପୁଟ ଜିଲ୍ଲାରେ ସୃଷ୍ଟି ହୋଇଥିବା ସେରୋପଜିଟିଭିଟି ହାର ମଧ୍ୟରେ ସବୁଠୁ ଆଗରେ ଅଛନ୍ତି ସ୍ୱାସ୍ଥ୍ୟ କର୍ମଚାରୀ । ବିଭିନ୍ନ ବର୍ଗର ଲୋକଙ୍କ ମଧ୍ୟରୁ ୬୦ ବର୍ଷରୁ ଅଧିକ ବୟସ୍କଙ୍କ ପାଖରେ ୮୦ ପ୍ରତିଶତରୁ ଅଧିକ ଆଣ୍ଟିବଡ଼ି ରହିଛି । ତା’ ପଛକୁ ରହିଛି ୪୫ରୁ ୬୦ ବର୍ଷୀୟ ବ୍ୟକ୍ତି । ସେମାନଙ୍କ ପାଖରେ ୭୫ ପ୍ରତିଶତରୁ ଅଧିକ ରୋଗ ପ୍ରତିରୋଧକ ଶକ୍ତି ଅଛି । ୧୮ରୁ ୪୪ ବର୍ଷ ବୟସ୍କଙ୍କ ପାଖରେ ୬୦ ପ୍ରତିଶତରୁ ସାମାନ୍ୟ ଅଧିକ ଏବଂ ୧୦ରୁ ୧୭ ବର୍ଷୀୟଙ୍କ ପାଖରେ ପ୍ରାୟ ୫୫ ପ୍ରତିଶତ ଆଣ୍ଟିବଡି ଚିହ୍ନଟ ହୋଇଛି । ତାଲିକାର ତଳେ ରହିଛନ୍ତି ୬ରୁ ୯ ବର୍ଷୀୟ ବାଳକବାଳିକା । ସେମାନଙ୍କ ଶରୀରରେ ୫୦ ପ୍ରତିଶତରୁ ସାମାନ୍ୟ ଅଧିକ ରୋଗ ପ୍ରତିରୋଧକ ଶକ୍ତି ରହିଛି । ସ୍ୱାସ୍ଥ୍ୟ କର୍ମଚାରୀଙ୍କ ମଧ୍ୟରେ ସବୁଠୁ ଅଧିକ ଆଣ୍ଟିବଡି ଚିହ୍ନଟ ହୋଇଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଛି ।
ଏ ସମ୍ପର୍କରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ବରିÂ ବିଶେଷଜ୍ଞ କହିଛନ୍ତି, ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୫୦୦ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା । ଡିଏଚଏଚ୍ରୁ ୧୦୦ ଏବଂ ଅନ୍ୟ ଅଞ୍ଚଳରୁ ୪୦୦ ନିଆଯାଇଥିଲା । ଏତେ ବଡ଼ ଗୋÂୀ ଭିତରୁ ୫୦୦ ନମୁନା ନିଆଯିବା ସାମ୍ପଲ ସର୍ଭେର ଏକ ଅଂଶ । ତଥାପି ୬୧ ପ୍ରତିଶତ ଜନସାଧାରଣଙ୍କ ଦେହରେ ଆଣ୍ଟିବଡି ସୃଷ୍ଟି ହେବା ଆଶ୍ୱସ୍ତିକର ଖବର । ୮୫ ପ୍ରତିଶତରୁ ଅଧିକ ସ୍ୱାସ୍ଥ୍ୟ ବିଭାଗ ସହ ଜଡ଼ିତ କର୍ମଚାରୀଙ୍କ ପାଖରେ କୋଭିଡ୍ ପ୍ରତିରୋଧଶକ୍ତି ରହିଥିବା ଶୁଭ ଲକ୍ଷଣ । ଏହାର କାରଣ ହେଉଛି, ସ୍ୱାସ୍ଥ୍ୟ କର୍ମଚାରୀମାନେ କରୋନା ରୋଗୀଙ୍କ ସଂସ୍ପର୍ଶରେ ସିଧାସଳଖ ଆସୁଛନ୍ତି । ଅଧିକାଂଶ କର୍ମଚାରୀ ୨ଟି ଡୋଜ୍ ଭ୍ୟାକସିନ୍ ନେଇ ସାରିଛନ୍ତି । ରୋଗୀଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା ସେମାନଙ୍କ ଦେହରେ ଅଧିକରୁ ଅଧିକ ଆଣ୍ଟିବଡି ସୃଷ୍ଟି ହେଉଛି । ଟିକାକରଣ ଆଣ୍ଟିବଡି ବଢିବାର ପ୍ରମୁଖ କାରଣ । ସାଧାରଣ ଜନତାଙ୍କ ମଧ୍ୟରେ ହର୍ଡ ଇମୁ୍ୟନିଟି ସୃଷ୍ଟି ହୋଇଥିବା ଏହି ରିପୋର୍ଟରୁ ଜଣାପଡୁଛି । ଅନ୍ୟପକ୍ଷରେ ଦେଖିବାକୁ ଗଲେ ଏବେବି ୩୯ ପ୍ରତିଶତ ସାଧାରଣ ଲୋକଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇନି । ଯାହା ଚିନ୍ତାର ବିଷୟ । ଲୋକଙ୍କ ଦେହରେ ଭୂତାଣୁ ଥିଲେ ବି ଲକ୍ଷଣ ଦେଖା ଯାଉନି । ତେଣୁ ଗୁରୁତର ନହେଲେ କେହି ନମୁନା ପରୀକ୍ଷା ଲାଗି ଡାକ୍ତରଖାନା ଆସୁନାହାନ୍ତି । ହର୍ଡ ଇମୁ୍ୟନିଟି ଆରମ୍ଭ ହୋଇଥିବାରୁ ଆଣ୍ଟିବଡ଼ି ହାର ଧୀରେ ଧୀରେ ବଢିବ । ବ୍ୟାପକ ଟିକାକରଣ ଏବଂ କୋଭିଡ୍ ଗାଇଡ୍ଲାଇନ୍ ପାଳନ ଦ୍ୱାରା ମହାମାରୀକୁ ପରାସ୍ତ କରିହେବ । ଏହି ରିପୋର୍ଟ ଆଧାରରେ ତୃତୀୟ ଲହରି ମୁକାବିଲା, ଟିକାକରଣ ସହ ଅନ୍ୟାନ୍ୟ ପ୍ରସ୍ତୁତି ଉପରେ ପଦକ୍ଷେପ ନିଆଯାଇପାରିବ ।
ସୂଚନାଥାଉକି, ଗତ ଜୁନ୍ ୧୬ରେ ଭୁବନେଶ୍ୱରର ରିଜିଓନାଲ ମେଡିକାଲ ରିସର୍ଚ୍ଚ ସେଣ୍ଟର(ଆରଏମ୍ଆରସି) ପକ୍ଷରୁ ଏହି ସର୍ଭେ କରାଯାଇଥିଲା । ୨ ଦିନ ଧରି ଟିମ୍ ସଦସ୍ୟମାନେ ଜିଲ୍ଲା ହସପିଟାଲ ସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ନମୁନା ସଂଗ୍ରହ କରିଥିଲେ ।
ରିପୋର୍ଟ ସତ୍ୟ ନାରାୟଣ ସାହୁଙ୍କଠାରୁ
Comments are closed, but trackbacks and pingbacks are open.