ବିଜୟ ମାଲ୍ୟା ଦେବାଳିଆ

Get real time updates directly on you device, subscribe now.

ଲଣ୍ଡନ: ପଳାତକ ବ୍ୟବସାୟୀ ତଥା ମଦସମ୍ରାଟ ବିଜୟ ମାଲ୍ୟାଙ୍କୁ ସୋମବାର ଲଣ୍ଡନ ହାଇକୋର୍ଟରୁ ଜୋରଦାର ଝଟ୍କା ଲାଗିଛି । କୋର୍ଟ ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରିଛନ୍ତି । ମାମଲାରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ (ଏସ୍ବିଆଇ) ନେତୃତ୍ୱାଧୀନ ବ୍ୟାଙ୍କ ସମୂହର ଜିତ୍ ହୋଇଛି ।
ଲଣ୍ଡନ ହାଇକୋର୍ଟଙ୍କ ଏହି ମହତ୍ତ୍ୱପୂର୍ଣ୍ଣ ରାୟ ଯୋଗୁ ବ୍ୟାଙ୍କ ସମୂହକୁ ବଡ଼ ଆଶ୍ୱସ୍ତି ମିଳିଛି । ଏବେ ବିଶ୍ୱର ଯେ କୌଣସି ସ୍ଥାନରେ ଥିବା ମାଲ୍ୟାଙ୍କ ସମ୍ପତ୍ତି ଜବତ କରି ଋଣ ଅସୁଲ କରିପାରିବେ ବ୍ୟାଙ୍କ । ମୁଖ୍ୟ ଦେବାଳିଆ ଏବଂ କମ୍ପାନି କୋର୍ଟ (ଆଇସିସି) ବିଚାରପତି ମାଇକେଲ୍ ବି୍ରଗ୍ସ ହାଇକୋର୍ଟଙ୍କ ଚାନ୍ସରି ଡିଭିଜନ୍ରେ ଭର୍ଚୁଆଲ୍ ଶୁଣାଣି କରିଥିଲେ । ସେ ନିଜ ରାୟରେ ‘ମାଲ୍ୟାଙ୍କୁ ଦେବାଳିଆ ଘୋଷଣା କରୁଛି’ ବୋଲି କହିଥିଲେ । ଏହି ସମୟରେ ଭାରତୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଲ’ ଫାର୍ମ ଟିଏଲ୍ଟି ଏଲ୍ଏଲ୍ପି ଏବଂ ଓକିଲ ମାର୍ସିୟା ଶେକର୍ଡେମିୟନ୍ ମାମଲା ପରିଚାଳନା କରିଥିଲେ ।
ମାଲ୍ୟା ଏବେ ଜାମିନରେ ଅଛନ୍ତି । ଏହି ରାୟ ପରେ ତାଙ୍କ ଓକିଲ ଫିଲିପ୍ ମାର୍ଶଲ୍ ଏହା ଉପରେ ରହିତାଦେଶ ପାଇଁ ଆବେଦନ କରିଥିଲେ । କିନ୍ତୁ ବିଚାରପତି ବି୍ରଗ୍ସ ଯଥେଷ୍ଟ ପ୍ରମାଣ ଅଭାବ ଥିବା ଦର୍ଶାଇ ଏହାକୁ ଖାରଜ କରିଦେଇଛନ୍ତି । ଏକ ଉପଯୁକ୍ତ ସମୟ ଦେଖି ଆବେଦନକାରୀ ବ୍ୟାଙ୍କଗୁଡ଼ିକୁ ସେମାନଙ୍କର ସମ୍ପୂର୍ଣ୍ଣ ଋଣରାଶି ପରିଶୋଧ କରାଯିବ ବୋଲି କହିଛନ୍ତି । ହାଇକୋର୍ଟଙ୍କ ଏହି ରାୟ ବିରୋଧରେ ପିଟିସନ୍ କରିବା ଲାଗି ମାଲ୍ୟାଙ୍କ ପାଖରେ ଆଉ କୌଣସି ସୁଯୋଗ ନାହିଁ । ସବୁ ରାସ୍ତା ପ୍ରାୟତଃ ବନ୍ଦ ହୋଇଯାଇଛି ।
ଏସ୍ବିଆଇ ନେତୃତ୍ୱାଧୀନ ଏହି ବ୍ୟାଙ୍କ ସମୂହ(କନ୍ସୋର୍ଟିୟମ୍)ରେ ବ୍ୟାଙ୍କ ଅଫ୍ ବରୋଦା, କର୍ପୋରେସନ୍ ବ୍ୟାଙ୍କ, ଫେଡେରାଲ ବ୍ୟାଙ୍କ ଲିମିଟେଡ୍, ଆଇଡିବିଆଇ ବ୍ୟାଙ୍କ, ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ମହୀସୂର, ୟୁକୋ ବ୍ୟାଙ୍କ, ୟୁନାଇଟେଡ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏବଂ ଜେଏମ୍ ଫାଇନାନ୍ସିଆଲ୍ ଆସେଟ୍ ରିକନ୍ଷ୍ଟ୍ରକ୍ସନ୍ କମ୍ପାନି ଲିମିଟେଡ୍ ଆଦି ସାମିଲ ଅଛନ୍ତି ।
୬୫ ବର୍ଷୀୟ ମାଲ୍ୟାଙ୍କ ଉପରେ ଭାରତୀୟ ବ୍ୟାଙ୍କଗୁଡ଼ିକର ୯,୦୦୦ କୋଟି ଟଙ୍କାରୁ ଅଧିକ ଋଣ ବକେୟା ରହିଛି । ମାଲ୍ୟାଙ୍କ କିଙ୍ଗ୍ଫିସର ଏୟାରଲାଇନ୍ସକୁ ବ୍ୟାଙ୍କଗୁଡ଼ିକ ଋଣ ଦେଇଥିଲେ । କିନ୍ତୁ କମ୍ପାନି ଅନେକ ଆର୍ଥିକ ସମସ୍ୟା ଦେଇ ଗତି କରିବା ପରେ ଋଣ ପରିଶୋଧ କରିପାରି ନ ଥିଲା । ଫଳରେ ୨୦୧୨ ଅକ୍ଟୋବର ୨୦ରୁ ଏହା ବିମାନ ଚଳାଚଳ ବନ୍ଦ କରିଦେଇଥିଲା । ମାଲ୍ୟା ଚାହିଁଥିଲେ ନିଜର ଅନ୍ୟ ସମ୍ପତ୍ତି ବିକି ଋଣ ଶୁଝିପାରିଥାନ୍ତେ । କିନ୍ତୁ ତାହା ସେ କରି ନ ଥିଲେ । ବାରମ୍ବାର ଋଣ ଖିଲାପ କରିଚାଲିଥିଲେ । ଶେଷରେ ୨୦୧୬ ମାର୍ଚ୍ଚ ୨ ତାରିଖରେ ମାଲ୍ୟା ଭାରତ ଛାଡ଼ି ବ୍ରିଟେନ୍ରେ ଥିବା ନିଜ ପରିବାର ପାଖକୁ ଚାଲିଯାଇଥିଲେ । ବ୍ୟାଙ୍କଗୁଡ଼ିକୁ ଠକିଥିବାରୁ ୨୦୧୯ ଜାନୁଆରୀରେ ତାଙ୍କୁ ପଳାତକ ଆର୍ଥିକ ଅପରାଧୀ ଘୋଷଣା କରାଯାଇଥିଲା ।
ସେବେଠାରୁ ଭାରତ ସରକାରଙ୍କ ପକ୍ଷରୁ ତାଙ୍କୁ ଫେରାଇ ଆଣି ମାମଲାର ସମ୍ମୁଖୀନ କରାଇବାକୁ ଚେଷ୍ଟା କରାଯାଉଛି । ସେ କିନ୍ତୁ ଏହାକୁ ବାରମ୍ବାର ଏଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି । ମାଲ୍ୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ (ଇଡି) ଓ କେନ୍ଦ୍ରୀୟ ତଦନ୍ତ ବୁ୍ୟରୋ (ସିବିଆଇ) ଅଧିକ ତଦନ୍ତ ଜାରି ରଖିଛନ୍ତି ।
ଏହା ପୂର୍ବରୁ ଇଡି କହିଥିଲା କି ମାଲ୍ୟା ନିଜର ଭାରତ ପ୍ରତ୍ୟର୍ପଣ ମାମଲା କୋର୍ଟରେ ହାରିଯାଇଥିଲେ । ଏହାପରେ ଏହି ମାମଲାକୁ ସୁପି୍ରମକୋର୍ଟରେ ଚାଲେଞ୍ଜ୍ ପାଇଁ ତାଙ୍କୁ ଅନୁମତି ଦିଆଯାଇ ନାହିଁ । ତେଣୁ ତାଙ୍କର ଭାରତ ପ୍ରତ୍ୟର୍ପଣ ନିକଟତର ହୋଇଯାଇଛି । ନିକଟରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା କହିଥିଲେ କି ମାଲ୍ୟାଙ୍କ ବିରୋଧରେ ଏକ ମଜଭୁତ ମାମଲା ତିଆରି କରାଯାଇଛି । ତାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ବ୍ରିଟେନ୍ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି ।
ଉଲ୍ଲେଖଯୋଗ୍ୟ, ୨୦୧୬ ମାର୍ଚ୍ଚ ୨ରେ ମାଲ୍ୟା ଭାରତ ଛାଡ଼ି ପଳାଇବା ପରେ ୨୦୧୭ ଫେବ୍ରୁଆରୀ ୨୧ରେ ଗୃହ ସଚିବ ମାଲ୍ୟାଙ୍କ ପ୍ରତ୍ୟର୍ପଣ ପାଇଁ ବ୍ରିଟେନ୍ରେ ଆବେଦନ କରିଥିଲେ । ୨୦୧୭ ଏପି୍ରଲ ୧୮ରେ ତାଙ୍କୁ ଲଣ୍ଡନରେ ଗିରଫ କରାଯାଇଥିଲା । ସେହିଦିନ ତାଙ୍କୁ ଜାମିନ ମିଳିଥିଲା । ସେହିବର୍ଷ ଏପି୍ରଲ ୨୪ରେ ତାଙ୍କର ଭାରତୀୟ ପାସ୍ପୋର୍ଟ ରଦ୍ଧ କରାଯାଇଥିଲା ଏବଂ ମେ ୨ ତାରିଖରେ ସେ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇଥିଲେ ।
୨୦୧୭ ଜୁନ୍ ୧୩ରେ ବ୍ରିଟେନ୍ର ୱେଷ୍ଟମିନ୍ଷ୍ଟର ମାଜିଷ୍ଟେ୍ରଟ୍ କୋର୍ଟରେ କେସ୍ ମ୍ୟାନେଜ୍ମେଣ୍ଟ ଓ ପ୍ରତ୍ୟର୍ପଣ ମାମଲାର ଶୁଣାଣି ହୋଇଥିଲା । ୨୦୧୮ ଡିସେମ୍ବର ୧୦ରେ ୱେଷ୍ଟମିନ୍ଷ୍ଟର କୋର୍ଟର ମୁଖ୍ୟ ମାଜିଷ୍ଟେ୍ରଟ୍ ଏମା ଅର୍ବୁଥନଟ୍ ପ୍ରତ୍ୟର୍ପଣ ଦେବା ସହ ଫାଇଲ୍କୁ ଗୃହ ସଚିବଙ୍କ ପାଖକୁ ପଠାଇଥିଲେ । ୨୦୧୯ ଫେବ୍ରୁଆରୀ ୩ରେ ଗୃହ ସଚିବ ମାଲ୍ୟାଙ୍କୁ ଭାରତ ପ୍ରତ୍ୟର୍ପଣ ପାଇଁ ନିଦେ୍ର୍ଧଶ ଦେଇଥିଲେ । ୨୦୨୦ ଏପି୍ରଲ ୨୦ରେ ମାଲ୍ୟାଙ୍କ ଆବେଦନ ଖାରଜ ହୋଇଥିଲା । ପ୍ରତ୍ୟର୍ପଣର ଅନ୍ତିମ ନିଷ୍ପତ୍ତି ପାଇଁ ମାମଲାକୁ ପୁଣି ବ୍ରିଟେନ୍ର ଗୃହ ସଚିବଙ୍କ ନିକଟକୁ ପଠାଇ ଦିଆଯାଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons