ଆସାମ-ମିଜୋରାମ ମୁହାମୁହିଁ, ୬ ପୁଲିସ ନିହତ

Get real time updates directly on you device, subscribe now.

ଗୌହ୍ୱାଟି:ଆସାମ-ମିଜୋରାମ ମଧ୍ୟରେ ଥିବା ଆନ୍ତଃରାଜ୍ୟ ସୀମାରେ ସୋମବାର ବ୍ୟାପକ ହିଂସାକାଣ୍ଡ ଘଟିଛି । ଆସାମର କାଚର ଜିଲ୍ଲା ଏବଂ ମିଜୋରାମର କୋଲାସିବ ସୀମାବର୍ତ୍ତୀ ଅଞ୍ଚଳରେ ଉଭୟ ରାଜ୍ୟର ବାସିନ୍ଦା ପରସ୍ପର ଉପରକୁ ଗୁଳି ଚାଳନା କରିବା ସହ ପଥର ଫିଙ୍ଗିଛନ୍ତି । ଉତ୍ୟକ୍ତ ଲୋକେ ସରକାରୀ ଅଧିକାରୀଙ୍କ ଗାଡ଼ିକୁ ମଧ୍ୟ ଭଙ୍ଗାରୁଜା କରିଛନ୍ତି । ପଥର ଓ ଗୁଳିମାଡ଼ରେ ୬ ଜଣ ଆସାମ ପୁଲିସଙ୍କର ମୃତୁ୍ୟ ଘଟିଥିବା ବେଳେ କାଚର ଏସ୍ପି ନିମ୍ବାଲକର ବୈଭବ ଚନ୍ଦ୍ରକାନ୍ତଙ୍କ ସମେତ ୫୦ରୁ ଅଧିକ ପୁଲିସ ଆହତ ହୋଇଛନ୍ତି ।
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି । ଶାହ ଉଭୟ ଆସାମ ଓ ମିଜୋରାମ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇ ଏ ସମ୍ପର୍କରେ ଆଲୋଚନା କରିଛନ୍ତି । ଘଟଣାର ତୁରନ୍ତ ସମାଧାନ କରାଯିବ ବୋଲି ଉଭୟ ମୁଖ୍ୟମନ୍ତ୍ରୀ ଶାହଙ୍କୁ ଆଶ୍ୱାସନା ଦେଇଛନ୍ତି । ବର୍ଷ-ବର୍ଷ ଧରି ଏହି ଅଞ୍ଚଳରେ ଅନ୍ତଃରାଜ୍ୟ ସୀମା ବିବାଦ ଲାଗି ରହୁଛି । ଏଣୁ ଏହାର ସ୍ଥାୟୀ ସମାଧାନ ପାଇଁ କୌଣସି ପଦକ୍ଷେପ ଗ୍ରହଣ କରିବାକୁ ଉଭୟ ମୁଖ୍ୟମନ୍ତ୍ରୀ ସମ୍ମତି ଜଣାଇଛନ୍ତି ।
ଏହି ଘଟଣାକୁ କେନ୍ଦ୍ର କରି ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଟୁଇଟର ଯୁଦ୍ଧ ଆରମ୍ଭ ହୋଇଯାଇଛି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଫୋନ ଯୋଗେ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ପୂର୍ବରୁ ମିଜୋରାମ ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା ଟୁଇଟ କରି ହିଂସାକାଣ୍ଡ ସମୟର ଏକ ଭିଡିଓ ସେୟାର କରିଥିଲେ । କାଚର ଜିଲ୍ଲାରୁ ମିଜୋରମ ଫେରୁଥିବା ଏକ ଦମ୍ପତ୍ତିଙ୍କୁ ଆକ୍ରମଣ ଓ ଲୁଟ୍ କରାଯିବା ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ । ଏହି ଘଟଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ହସ୍ତକ୍ଷେପ କରିବାକୁ ସେ ଅପିଲ କରିଥିଲେ । ମିଜୋରାମ ଫେରୁଥିବା ନିଦେ୍ର୍ଧାଷ ଲୋକଙ୍କ ସହ ଗୁଣ୍ଡାଗିରି କରାଯାଉଛି । ଏଭଳି ହିଂସ୍ର ଘଟଣାକୁ ଆପଣ ଯଥାର୍ଥ କହିପାରିବେ କି ବୋଲି ସେ ପ୍ରଶ୍ନ କରିଥିଲେ । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ଟୁଇଟର ଉତ୍ତର ରଖି କହିଥିଲେ, ମିଜୋରାମର କୋଲାସିବ ଜିଲ୍ଲା ଏସ୍ପି ଆମକୁ କହିଛନ୍ତି ଯେ ଆମେ ଯେତେ ପର୍ଯ୍ୟନ୍ତ ଆମ ପୋଷ୍ଟରୁ ପଛକୁ ହଟିନୁ ସେତେ ପର୍ଯ୍ୟନ୍ତ ମିଜୋରାମ ନାଗରିକ ହିଂସା ରୋକିବେନି । ଏଭଳି ପରିସ୍ଥିତିରେ ଆମେ ଆମ ସରକାର କିଭଳି ଚଳାଇବୁ ବୋଲି ହିମନ୍ତ ପ୍ରଶ୍ନ କରିଛନ୍ତି ।
ସୂଚନା ଥାଉ କି, ଦୁଇ ଦିନ ତଳେ ଶାହ ଉତ୍ତର-ପୂର୍ବ ରାଜ୍ୟର ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିଥିଲେ । ଉକ୍ତ ବୈଠକରେ ମଧ୍ୟ ଆସାମ-ମିଜୋରାମ ସୀମା ବିବାଦ ସମ୍ପର୍କରେ ଆଲୋଚନା କରାଯାଇଥିଲା । ଆସାମ ଓ ମିଜୋରାମ ମଧ୍ୟରେ ୧୬୪.୬ କି.ମି ସୀମା ଲାଗି ରହିଛି । ମିଜୋରାମର ଐଜଲ, କୋଲାସିବା, ମମିତା ଓ ଆସାମର ହାଇଲାକାଣ୍ଡି ଓ କରିମଗଞ୍ଜ ଜିଲ୍ଲାରେ ଉଭୟ ରାଜ୍ୟ ପକ୍ଷରୁ ଅନୁପ୍ରବେଶ ହେଉଥିବା ଅଭିଯୋଗ ହୋଇଆସୁଛି । ଏହାକୁ ନେଇ ସୀମାରେ ବର୍ଷ-ବର୍ଷ ଧରି ବିବାଦ ଲାଗିରହୁଛି । ଗତ ଜୁନରେ ସୀମାରେ ଅବସ୍ଥିତ ଐତଲଙ୍ଗନର ନାମକ ଏକ ଅଞ୍ଚଳକୁ ଆସାମ ପୁଲିସ କବ୍ଜା କରିଥିଲା । ଏହା ତାଙ୍କ ରାଜ୍ୟର ବୋଲି ଦାବି କରିବା ସହ ମିଜୋରାମ ବଳପୂର୍ବକ ଏହାକୁ ଦଖଲ କରିଛି ବୋଲି ଅଭିଯୋଗ କରିଥିଲା । ଯାହାକୁ ସେଠାକାର ବାସିନ୍ଦା ବିରୋଧ କରିବା ପରେ ବିବାଦର ସୂତ୍ରପାତ ଘଟିଥିଲା । ଜୁଲାଇ ୧୦ରେ ଆସାମ ପୁଲିସ ସେହି ଅଞ୍ଚଳକୁ ଜବରଦଖଲ ମୁକ୍ତ କରିବାକୁ ଯାଇଥିଲା ବେଳେ ଅଜ୍ଞାତ ବ୍ୟକ୍ତିମାନେ ଗ୍ରେନେଡ ମାଡ଼ କରିଥିଲେ । ଫଳରେ ଆସାମର ୧୦ ପୁଲିସ ଆହତ ହୋଇଥିଲେ । ଗତକାଲି ସେହି ଅଞ୍ଚଳରେ ୧୦ଟି ବସ୍ତିଘରକୁ କେହି ନିଆଁ ଲଗାଇ ଦେବା ପରେ ବିବାଦ ତୀବ୍ର ହୋଇଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons