ରାଜନଗର: ଲୁଣା ଜଙ୍ଗଲ ‘ହେନ୍ତାଳ ବନ’ ପାଇଁ ଅତୀତରେ ବହୁ ବାତ୍ୟା ପ୍ରଭାବରୁ ରକ୍ଷା ପାଇଛି କେନ୍ଦ୍ରାପଡ଼ା ଜିଲ୍ଲାର ରାଜନଗର ବ୍ଲକ୍ । ତେଣୁ ବନ ବିଭାଗ ଏବେ ଲୁଣା ଜଙ୍ଗଲ ସୃଷ୍ଟିି ଉପରେ ଗୁରୁତ୍ୱ ଦେଉଛି । ବନ ବିଭାଗ ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ସହାୟତା ଦିଗରେ ଅଞ୍ଚଳର ଦୁଇ ଜଣ ଯୁବକ ଆଗେଇ ଆସିଛନ୍ତି । ଦୁହେଁ ସେମାନଙ୍କ ବ୍ୟକ୍ତିଗତ ସଂପତ୍ତିରୁ ଦୁଇ ଏକର ଜମି ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ବନ ବିଭାଗକୁ ଦାନ କରିଛନ୍ତି । ବନ ବିଭାଗ ମଧ୍ୟ ଜମିଦାତାମାନଙ୍କୁ ଉତ୍ସାହିତ କରିବା ପାଇଁ ଭିତରକନିକା ପ୍ରବେଶପଥ ନିକଟରେ ଏକ ସୂଚନା ଫଳକ ଲଗାଇବାକୁ ଯୋଜନା କରିଛି, ଯେଉଁଥିରେ ଜମିଦାତାମାନଙ୍କ ନାମ ଉଲ୍ଲେଖ ରହିବ । ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ଜମି ଦାନ କରିବା ଭିତରକନିକା ଇତିହାସରେ ପ୍ରଥମ ଘଟଣା ବୋଲି କୁହାଯାଉଛି ।
ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ରାଜନଗର ଡିଏଫଓ ଡ. ଯଜ୍ଞଦତ୍ତ ପତି ‘ମ୍ୟାନ୍ଗ୍ରୋଭ୍ ମିତ୍ର’ ନାଁରେ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଲୁଣା ଜଙ୍ଗଲ ସୃଷ୍ଟି ଓ ସୁରକ୍ଷାରେ ସ୍ଥାନୀୟ ଅଧିବାସୀଙ୍କ ସଂପୃକ୍ତି ବଢାଇବା ଲକ୍ଷ୍ୟରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ବାତ୍ୟା ‘ୟାସ୍’ ପ୍ରଭାବରୁ ରାଜନଗରବାସୀଙ୍କୁ ରକ୍ଷା କରିବାରେ ଲୁଣା ଜଙ୍ଗଲ ପ୍ରମୁଖ ଭୂମିକା ନେଇଥିଲା । ଲୁଣା ଜଙ୍ଗଲ ପାଇଁ ରାଜନଗର ସମେତ ସମଗ୍ର କେନ୍ଦ୍ରାପଡା ଜିଲ୍ଲା ଅଳ୍ପକେ ୟାସ୍ ପ୍ରଭାବରୁ ରକ୍ଷା ପାଇଯାଇଥିଲା । ଲୁଣା ଜଙ୍ଗଲ ଅଂଚଳର ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସୁରକ୍ଷା କବଚ ସାଜିଥିବାରୁ ଅଂଚଳର ସୁରକ୍ଷା ପାଇଁ ଅଧିକ ଲୁଣା ଜଙ୍ଗଲର ଆବଶ୍ୟକତା ରହିଛି । ଏ ନେଇ ଅବୈତନିକ ବନଖଣ୍ଡ ତତ୍ତ୍ୱାବଧାରକ ସୂର୍ଯ୍ୟ ନାରାୟଣ ଲେଙ୍କା ଓ କନିକା ରେଞ୍ଜ୍ ଅଫିସର ମାନସ କୁମାର ଦାସ ସ୍ଥାନୀୟ ଲୋକଙ୍କୁ ସଚେତନ କରିବା ପରେ ଲୋକେ ବନ ବିଭାଗର ‘ମ୍ୟାନଗ୍ରୋଭ୍ ମିତ୍ର’ କାର୍ଯ୍ୟକ୍ରମରେ ସାମିଲ ହେବାକୁ ଆଗେଇ ଆସିଛନ୍ତି । ରାଜେନ୍ଦ୍ର ନାରାୟଣପୁର ଗାଁର ଦିଲ୍ଲୀପ କୁମାର ମଣ୍ଡଳ ପରମାନନ୍ଦପୁର ମୌଜାର ୧ ଏକର ଜମି ଓ ନଳିତାପାଟିଆ ଗାଁର ସତ୍ୟପ୍ରିୟ ସାହୁ ନଳିତାପାଟିଆ ମୌଜାର ୧ ଏକର ଜମି ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ବନ ବିଭାଗକୁ ହସ୍ତାନ୍ତର କରିବା ନିମନ୍ତେ ଲିଖିତ ଜଣାଇଛନ୍ତି । ବ୍ରାହ୍ମଣୀ ନଦୀ କୂଳରେ ଏହି ୨ ଏକର ଜମି ରହିଛି । ନଦୀର ଜୁଆର ପାଣି ଏହି ଜମିକୁ ଛୁଉଁଛି । ତେଣୁ ଆଜି ବିଶ୍ୱ ଲୁଣା ଜଙ୍ଗଲ ସଂରକ୍ଷଣ ଦିବସ ଅବସରରେ ଏହି ବ୍ୟକ୍ତିଗତ ଜମିରେ ଲୁଣା ଜଙ୍ଗଲ ସୃଷ୍ଟି ନିମନ୍ତେ ଚାରା ରୋପଣ କରାଯାଇଛି । ଜମି ମାଲିକଙ୍କ ସହ ଡିଏଫ୍ଓ, ଅବୈତନିକ ବନଖଣ୍ଡ ତତ୍ତ୍ୱାବଧାରକ, ରେଞ୍ଜ ଅଫିସର, ଖମାରସାହି ସରପଞ୍ଚ ରତିକାନ୍ତ ସେଠୀ ପ୍ରମୁଖ ଯୋଗଦେଇ ଲୁଣା ଜଙ୍ଗଲ ପାଇଁ ବୃକ୍ଷରୋପଣ କରିଥିଲେ । ଏହି ଜମିରେ ରାଇ, ସିନ୍ଦୁକା, ଶିଶୁମାର, ଗରାଣୀ ପ୍ରଭୃତି ଚାରା ରୋପଣ କରାଯାଇଛି । ଲୁଣା ଜଙ୍ଗଲ ପରିସୀମା ବୃଦ୍ଧି ଓ ଉପକୂଳ ସୁରକ୍ଷା ପାଇଁ ‘ମ୍ୟାନଗ୍ରୋଭ ମିତ୍ର’ କାର୍ଯ୍ୟକ୍ରମରେ ଅଂଚଳବାସୀ ସାମିଲ ହେବାକୁ ଡିଏଫଓ ଶ୍ରୀ ପତି ନିବେଦନ କରିଛନ୍ତି । ଲୁଣା ଜଙ୍ଗଲ ସୃଷ୍ଟି ନିମନ୍ତେ ଜମି ଦାନ କରୁଥିବା ଜମିଦାତାମାନଙ୍କୁ ଉତ୍ସାହିତ କରିବା ପାଇଁ ଭିତରକନିକା ପ୍ରବେଶ ପଥ ନିକଟରେ ଏକ ସୂଚନା ଫଳକ ମରାଯିବ । ଯେଉଁମାନେ ଜମି ଦାନ କଲେ ସେମାନଙ୍କର ନାମ ସେଥିରେ ଉଲ୍ଲେଖ ରହିବ ବୋଲି ନିଷ୍ପତ୍ତି ହୋଇଛି । ଆଜି ଜମି ଦାନ କରିଥିବା ଦୁଇ ଯୁବକଙ୍କୁ ବନ ବିଭାଗ ପକ୍ଷରୁ ସାର୍ଟିଫିକେଟ ପ୍ରଦାନ କରାଯାଇଛି । ରାଜନଗର ବନ ବିଭାଗର ଏହି ଅଭିନବ ପଦକ୍ଷେପ ଲୁଣା ଜଙ୍ଗଲର ସୁରକ୍ଷା ଓ ଅଭିବୃଦ୍ଧି ଦିଗରେ ସହାୟକ ହେବ ବୋଲି ପରିବେଶବିତ ଓ ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।
ରିପୋର୍ଟ ବିଶ୍ୱବିଜୟୀ


Comments are closed, but trackbacks and pingbacks are open.