ମିଳୁନି ୟୁରିଆ :ଲ୍ୟାମ୍ପ୍‌ସ ଘେରିଲେ ଶତାଧିକ ଚାଷୀ

Get real time updates directly on you device, subscribe now.

ବୋରିଗୁମ୍ମା,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଚଳିତ ଖରିଫଋତୁ ଆରମ୍ଭରୁ ଚାଷୀଙ୍କୁ ବର୍ଷା ଓ ୟୁରିଆ ସାର ସଂକଟରେ ପକାଇଛି । ପ୍ରଥମରେ ସ୍ୱଳ୍ପ ବୃଷ୍ଟି ଆଉ ଏବେ ସାରର ଅଭାବ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଧାନ ରୋପିବାର ୨୧ରୁ ୨୫ଦିନ ମଧ୍ୟରେ ୟୁରିଆ ସାର ଜମିରେ ପକାଯାଉଥିବାରୁ ଏହାର ଅଭାବରେ ଚାଷୀମାନେ ଏବେ ବହୁତ ହଇରାଣ ହେଉଛନ୍ତି । ଆଜି ସାର ପାଇଁ ବ୍ଲକର ୧୫ଟି ପଞ୍ଚାୟତର ଶତାଧିକ ଚାଷୀ କାମତା ଲ୍ୟାମ୍ପସ ଘେରାଉ କରିଛନ୍ତି । ସପ୍ତାହକ ମଧ୍ୟରେ ସାର ଅଭାବ ଦୂର ନହେଲେ ଆନେ୍ଦାଳନ ବ୍ୟାପକ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷେ ଆସନ୍ତା ୨୫ତାରିଖ ସୁଦ୍ଧା ପର୍ଯ୍ୟାପ୍ତ ପରିମାଣରେ ସାର ଆସିଯିବ ବୋଲି ଲ୍ୟାମ୍ପସ ପରିଚାଳିକା ମାନସୀ ହୋତା ପ୍ରତିଶ୍ରୁତି ଦେବା ପରେ ପରିସ୍ଥିତି ଶାନ୍ତ ପଡିଥିଲା ।
ଚାଷୀଙ୍କ କହିବା ପ୍ରକାରେ ଜିଲ୍ଲାରେ ଚଳିତବର୍ଷ ଆବଶ୍ୟକଠାରୁ ବହୁ କମ ପରିମାଣରେ ସାର ଯୋଗାଣ ହୋଇଛି । ଅଗଷ୍ଟ ସୁଦ୍ଧା ଜିଲ୍ଲାରେ ୭୦ ପ୍ରତିଶତ ସାର ଆସିଛି । କାମତା ଲ୍ୟାମ୍ପସ ପକ୍ଷରୁ ପ୍ରତିବର୍ଷ ଚାଷୀଙ୍କୁ ୨୫ଶହ କୁଇଣ୍ଟାଲ ୟୁରିଆ ବଣ୍ଟନ କରାଯାଉଥିବା ବେଳେ ଚଳିତବର୍ଷ ବର୍ତ୍ତମାନ ସୁଦ୍ଧା ମାତ୍ର ୩୦୦ ବସ୍ତା ସାର ଆସିଛି । ବିଶେଷକରି ୟୁରିଆ, ଗ୍ରୋମର, ଡିଏପି ଓ ପଟାସ ସାରର ଏବେ ଅଭାବ ରହିଛି । ଏହାର ସୁଯୋଗ ନେଇ କଳାବଜାରୀମାନେ ବଜାରରେ ଚଢାଦରରେ ସାର ବିକ୍ରି କରୁଛନ୍ତି । ବିଭିନ୍ନ ସାର ଦୋକାନ ଓ ଲ୍ୟାମ୍ପସ ଆଗରେ ସାର ପାଇଁ ଚାଷୀଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଥିଲେ ମଧ୍ୟ ସାର ମିଳିପାରୁନି । ସାରପାଇଁ ବାରମ୍ବାର ଦାବି ଜଣାଇଲେ ମଧ୍ୟ ସୁଫଳ ମିଳୁ ନଥିବାରୁ ଆଜି କାମତା, କୁମୁଲି, ନାରିଗାଁ, ମୁଞ୍ଜା, ବୋଡିଗାଁ, କାଠରଗଡା, ଗୁମୁଡା, ବି.ସିଂହପୁର, ଚମ୍ପାପଦର, ହରଡାଗୁଡା, ସେମଲାଗୁଡା, ନୂଆଗାଁ ଆଦି ୧୫ଟି ପଞ୍ଚାୟତରୁ ଆସି ଲ୍ୟାମ୍ପସ ଘେରାଉ କରିଥିବା ଚାଷୀମାନେ କହିଛନ୍ତି । ବିଭିନ୍ନ ଡିଲରମାନେ ଚଢାଦରରେ ସାର ବିକିବା ପାଇଁ ବେଆଇନ ଭାବେ ମହଜୁଦ ରଖିଛନ୍ତି । କୃତ୍ରିମ ଅଭାବ ସୃଷ୍ଟି କରି ସେମାନେ ଫାଇଦା ଉଠାଉଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଜିଲ୍ଲା କଂଗ୍ରେସ ପକ୍ଷରୁ ମଧ୍ୟ ଚାଷୀଙ୍କ ଆନେ୍ଦାଳନକୁ ସମର୍ଥନ ଦିଆଯାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons