ଚାଷୀଙ୍କ ଏନ୍ଏଚ୍ ଅବରୋଧ, ଲ୍ୟାମ୍ପ୍ ଘେରାଉ

Get real time updates directly on you device, subscribe now.

ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ଜିଲ୍ଲାରେ ଟଳୁନି ୟୁରିଆ ସଙ୍କଟ । ରୁଆ ବେଉଷଣ ଚାଲିଥିବା ବେଳେ ଆବଶ୍ୟକ ୟୁରିଆ ମିଳୁନଥିବାରୁ ଚାଷୀଙ୍କ ଅସନ୍ତୋଷ ବଢିବାରେ ଲାଗିଛି । ଆଜି ଦାବି ମୁତାବକ ୟୁରିଆ ଯୋଗାଇ ଦେବାକୁ କୁମୁଲିପୁଟ ଲ୍ୟାମ୍ପ ଘେରାଉ କରିବା ସହ ଚାଷୀ ଜାତୀୟ ରାଜପଥ-୨୬ ଅବରୋଧ କରିଥିଲେ । ତୁରନ୍ତ ସାର ଯୋଗାଇ ଦେବାକୁ ଦାବି କରିଥିଲେ । ମାର୍କଫେଡ୍ରୁ ଅଧିକ ୨୦୦ ବସ୍ତା ୟୁରିଆ ପହଞ୍ଚିବା ରାସ୍ତା ଅବରୋଧ ହଟିଥିଲା ।
୨ ଦିନ ତଳେ ଇଫ୍କୋ ପକ୍ଷରୁ ଜିଲ୍ଲାକୁ ୯୫୦ଟନ୍ ୟୁରିଆ ଯୋଗାଇ ଦିଆଯାଇଥିଲା । କୁମୁଲିପୁଟ ଲ୍ୟାମ୍ପରେ ସାର ପହଞ୍ଚିଥିବା ଜଣାପଡିବା ପରେ ଆଜି ଶତାଧିକ ଚାଷୀ ପହଞ୍ଚିଥିଲେ । ଗୋଦାମରେ ମାତ୍ର ୬୦୦ ବସ୍ତା ସାର ଥିବାରୁ ଲ୍ୟାମ୍ପ କର୍ତ୍ତୃପକ୍ଷ ଲାଚାର ହୋଇପଡିଥିଲେ । ୩୦୦ରୁ ଅଧିକ ଚାଷୀ ଥିବାରୁ ଲ୍ୟାମ୍ପ କର୍ତ୍ତୃପକ୍ଷ ମୁଣ୍ଡ ପିଛା ଗୋଟିଏ ବସ୍ତା ୟୁରିଆ ଦେବାକୁ ଟୋକନ୍ ଇସୁ୍ୟ କରିଥିଲେ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିଥିଲା । ଧାନ ଜମି ମୁତାବକ ସାର ଦିଆଯାଉ ବୋଲି ସେମାନେ ଦାବି କରିଥିଲେ । ଲ୍ୟାମ୍ପ ଘେରାଉ କରିବା ପରେ ରାଜରାସ୍ତାକୁ ଓହ୍ଲାଇଥିଲେ ସେମାନେ । ପୂର୍ବାହ୍ନ ସାଢେ ୧୧ଟାରୁ ଏନଏଚ୍ ଅବରୋଧ ଆରମ୍ଭ ହୋଇଥିଲା । ଚାଷୀମାନେ ବସି ରହିବା ଫଳରେ ରାଜପଥରେ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଶହ ଶହ ଗାଡ଼ି ରାସ୍ତାର ଉଭୟ ପଟେ ଛିଡ଼ା ହୋଇଥିଲା । ସଦର ଥାନା ଏସ୍ଆଇ ପ୍ରଶାନ୍ତକୁମାର ମହାନ୍ତି, ଏଏସ୍ଆଇ ରମାକାନ୍ତ ହୋତା ଏବଂ ଅନ୍ୟ କର୍ମଚାରୀ ପହଞ୍ଚିଥିଲେ । ବୁଝାଶୁଝା ବିଫଳ ହେବା ପରେ ବୋରିଗୁମ୍ମା ଏସ୍ଡ଼ିପିଓ ହରେକୃଷ୍ଣ ମାଝି, ତହସିଲଦାର ପହଞ୍ଚିଥିଲେ । ବରିÂ ବିଜେଡି ନେତ୍ରୀ ଡ. ଇନ୍ଦିରା ନନ୍ଦ ବି ପହଞ୍ଚିଥିଲେ । ଚାଷୀଙ୍କ ସହ ଆଲୋଚନା କରିଥିଲେ । ଖବର ପାଇ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ(ସିଡ଼ିଏଓ) ଭରତଚନ୍ଦ୍ର ନାଥ, କୃଷି ଜିଲ୍ଲା ଅଧିକାରୀ(ଏଡିଓ) ବିଜୟକୁମାର ସୋରେନ, ବ୍ଲକ କୃଷି ଅଧିକାରୀ ସଞ୍ଜୟକୁମାର ଦଳେଇ ପ୍ରମୁଖ ପହଞ୍ଚିଥିଲେ । ଅପରାହ୍ନ ପ୍ରାୟ ୩ଟାରେ ରାସ୍ତା ଅବରୋଧ ହଟି ଗାଡ଼ି ଚଳାଚଳ ସ୍ୱଭାବିକ ହୋଇଥିଲା ।
ଏ ସମ୍ପର୍କରେ ସିଡ଼ିଏଓ ଶ୍ରୀ ନାଥ କହିଛନ୍ତି, ଜିଲ୍ଲାକୁ ଆସିଥିବା ୯୫୦ ଟନ୍ ଇଫ୍କୋ ୟୁରିଆରୁ ୨୦ଟି ଲ୍ୟାମ୍ପସ୍କୁ ବଣ୍ଟାଯାଇଥିଲା । କୁମୁଲିପୁଟ ଏବଂ କାମତା ଲ୍ୟାମ୍ପ ଅଧୀନରେ ଅଧିକ ଚାଷୀ ଥିବାରୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଥିଲା । କୁମୁଲିପୁଟ ଲ୍ୟାମ୍ପସ୍କୁ ୬୦୦ ବସ୍ତା ୟୁରିଆ ଯୋଗାଇ ଦିଆଯାଇଥିଲା । ଆଜି ୪୦୦ ଜଣ ଚାଷୀ ସାର ନେବାକୁ ଆବେଦନ କରିଥିଲେ । ଅଧିକ ଚାଷୀ ଥିବାରୁ ମୁଣ୍ଡ ପିଛା ଗୋଟିଏ ବସ୍ତା ସାର ଦିଆଯିବ ବୋଲି କୁହାଯାଇଥିଲା । ଚାଷୀଙ୍କ ଦାବିକୁ ଆଖିରେ ରଖି ଅଧିକ ୨୦୦ ବସ୍ତା ସାର ଅଣାଯାଇଥିଲା । ୮୦୦ ବସ୍ତା ୟୁରିଆ ୪୦୦ ଜଣ ଚାଷୀଙ୍କ ମଧ୍ୟରେ ବଣ୍ଟାଯାଇଥିଲା । ଶ୍ରୀ ନାଥ ଆହୁରି କହିଛନ୍ତି, ଗତ ବର୍ଷ ଖରିଫ ଚାଷ ଲାଗି ଜିଲ୍ଲାକୁ ୧୬ ହଜାର ୫୦୦ ଟନ୍ ୟୁରିଆ ଆଲଟ୍ କରାଯାଇଥିଲା । ଏଥର କେନ୍ଦ୍ର ସରକାର ରାଜ୍ୟ କୋଟା କମାଇ ଦେଇଥିବାରୁ ଜିଲ୍ଲାକୁ ୧୪ ହଜାର ଟନ୍ ୟୁରିଆ ଅଲଟ୍ମେଣ୍ଟ ହୋଇଛି । ଏଭିତରେ ବିଭିନ୍ନ କମ୍ପାନିର ୧୦ ହଜାର ଟନ୍ରୁ ଅଧିକ ୟୁରିଆ ଯେଗାଇ ହୋଇସାରିଛି । ସାର ଅଭାବ ଥିବାରୁ ଚାଷୀ ଅସନ୍ତୋଷ ହେବା ସ୍ୱାଭାବିକ । ଆଲଟମେଣ୍ଟ ମିଳିଥିବା ବଳକା ୪ ହଜାର ଟନ୍ ୟୁରିଆ ତୁରନ୍ତ ଯୋଗାଇ ଦେବାକୁ ସାର କମ୍ପାନି ଗୁଡ଼ିକର ଉପରିସ୍ଥ ଅଧିକାରୀଙ୍କୁ ଲେଖାଯାଇଛି । ଖୁବ୍ଶୀଘ୍ର ଆଉ ଗୋଟିଏ ରେକ୍ ୟୁରିଆ ପହଞ୍ଚିବା ସମ୍ଭାବନା ରହିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons