ଜୟପୁର,(ସତ୍ୟ ନାରାୟଣ ସାହୁଙ୍କଠାରୁ): ‘ମୁଁ ପୁନର୍ଜନ୍ମ ପାଇଛି । ମୋ ପାଇଁ ଭଗବାନଙ୍କଠାରେ ପ୍ରାର୍ଥନା କରୁଥିବା ଲୋକଙ୍କ ପାଇଁ ପୁଣିଥରେ କର୍ମକ୍ଷେତ୍ରକୁ ଫେରିଛି । କରୋନାରେ ଅନେକ କରୋଡ଼ପତିଙ୍କ ଜୀବନ ଚାଲିଯାଇଛି । ନିଜ ଆଖି ଆଗରେ ଏଭଳି ଅନେକ ଦୃଶ୍ୟ ଦେଖିଛି । କିନ୍ତୁ ସମସ୍ତଙ୍କ ଭଲ ପାଇବା ଓ ଆଶୀର୍ବାଦ ମୋ ଉପରେ ଥିବାରୁ ଫେରିଛି ।’ କରୋନାରୁ ସୁସ୍ଥ ହୋଇ ଆଜି ଜୟପୁର ଫେରିବା ପରେ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଦେବା ଅବସରରେ ଭାବବିହ୍ୱଳ ହୋଇ କାନ୍ଦି ପକାଇଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି । ମଧ୍ୟାହ୍ନ ୧୨ଟାରେ ଶ୍ରୀ ବାହିନୀପତି ଏଠାରେ ପହଞ୍ଚିବା ପରେ ସ୍ଥାନୀୟ ବନବିଭାଗ ନର୍ସରୀ ନିକଟରେ ସମ୍ବର୍ଦ୍ଧନା ଜଣାଇଥିଲେ ବହୁ କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁ । ସେଠାରୁ ତାଙ୍କୁ ବାଇକ୍ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା ।
ଏମ୍ଜି ରୋଡ, ମୁଖ୍ୟରାସ୍ତା ଦେଇ କଂଗ୍ରେସ ଭବନ ନିକଟରେ ପହଞ୍ଚିଥିଲା ଶୋଭାଯାତ୍ରା । ଏହି ଅବସରରେ ଗଣମାଧ୍ୟମକୁ ଶ୍ରୀ ବାହିନୀପତି କହିଛନ୍ତି, ସେ କୋଭିଡ୍ରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ସମୟରେ ଦଳମତ ନିର୍ବିଶେଷରେ ସମସ୍ତେ ତାଙ୍କ ସୁସ୍ଥ କାମନା କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଫୋନରେ ଡାକ୍ତରଙ୍କ ସହ କଥାବାର୍ତ୍ତା ହୋଇ ସ୍ୱାସ୍ଥ୍ୟ ସମ୍ପର୍କରେ ପଚାରି ବୁଝିଥିଲେ । ଆରୋଗ୍ୟ କାମନା କରିଥିଲେ । କେବଳ ମୁଖ୍ୟମନ୍ତ୍ରୀ ନୁହନ୍ତି, ୫ଟି ସଚିବ, ଉନ୍ନୟନ କମିଶନର, ଶାସକ ଦଳର ମନ୍ତ୍ରୀ, ବିଧାୟକମାନେ ମଧ୍ୟ ଆରୋଗ୍ୟ କାମନା କରି ମେସେଜ ପଠାଇଥିଲେ । ରାହୁଲଗାନ୍ଧିଙ୍କଠାରୁ ଆରମ୍ଭ କରି ଏଆଇିସିସିର ଡ. ଚେଲ୍ଲାକୁମାର, ପିସିସି ସଭାପତି ନିରଞ୍ଜନ ପ;ନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ତଥା ପିସିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି ଓ ପ୍ରତ୍ୟେକ ଦଳର ନେତା ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ । କିନ୍ତୁ କୋରାପୁଟ ସାଂସଦ ଥରେ ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିନାହାନ୍ତି ବୋଲି ଦୁଃଖର ସହ କହିଛନ୍ତି ବିଧାୟକ ।
ପ୍ରଦୀପ ମାଝି ଦଳ ଛାଡିବା ସମ୍ପର୍କରେ ଚାଲିଥିବା ଚର୍ଚ୍ଚାକୁ ନେଇ ଶ୍ରୀ ବାହିନୀପତି କହିଛନ୍ତି, ପ୍ରଦୀପ ଦଳ ଛାଡ଼ିବେ ବୋଲି କୌଣସି ସୂଚନା ଦେଇନାହାନ୍ତି । ଦଳ ନ ଛାଡ଼ିବାକୁ ସେ ଅନୁରୋଧ କରିବେ । ଛାଡ଼ିଲେ ଦଳକୁ ଧକ୍କା ଦେଲା ଭଳି ହେବ । କାରଣ ଦଳ ତାଙ୍କୁ ସବୁକିଛି ଦେଇଛି । ଜିଲ୍ଲା ପରିଷଦରୁ ଆରମ୍ଭ କରି ସାଂସଦ କରାଇଛି । ଜାତୀୟସ୍ତରରେ ଏକ ପରିଚୟ ଦେଇଛି । ଏବେ ସେ ପିସିସି କାର୍ଯ୍ୟକାରୀ ସଭାପତି ଅଛନ୍ତି । କିଏ ଦଳ ଛାଡ଼ିଲେ କଂଗ୍ରେସର କୌଣସି କ୍ଷତି ହେବ ନାହିଁ । ସେ(ବାହିନୀପତି) ମଧ୍ୟ ଦଳ ଛାଡ଼ିିଥିଲେ । ଦଳର କୌଣସି କ୍ଷତି ହୋଇ ନଥିଲା । ପୁଣି ସେ ଦଳକୁ ଫେରି ଲୋକଙ୍କ କାମ କରି ବିଧାୟକ ହୋଇଛନ୍ତି । ଶ୍ରୀ ବାହାନୀପତି କହିଛନ୍ତି, ବର୍ତ୍ତମାନ ସୁଦ୍ଧା ଶତପ୍ରତିଶତ ସୁସ୍ଥ ହୋଇନାହାନ୍ତି । ବେଳେବେଳେ ଅକ୍ସିଜେନ ଦେବାକୁ ପଡ଼ୁଛି । ଏଥିପାଇଁ କୋରାପୁଟରେ ବିଶ୍ରାମ ନେବେ । ଲୋକଙ୍କ ସେବା ଜାରି ରହିବ । ଲୋକଙ୍କ ସମସ୍ୟା ଦୂର କରିବାରୁ ସମସ୍ତ ପ୍ରକାର ଉଦ୍ୟମ କରିବେ । କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି, କୋଷାଧ୍ୟକ୍ଷ ନିହାର ରଞ୍ଜନ ବିଶୋଇ, ବ୍ଲକ କଂଗ୍ରେସ ସଭାପତି ବସନ୍ତ ନାୟକ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ, ନଗର ସଭାପତି ନରେନ୍ଦ୍ର ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ମଧୁସୂଦନ ରେଡ୍ଡୀ, ପ୍ରଫୁଲ୍ଲ ଭତ୍ରା, ଭବାନୀ ଶଙ୍କର ରଥ, ରମେଶ ରାଓ, ଜ୍ୟୋତିରଞ୍ଜନ ମହାପାତ୍ର, ଦେବାଶିଷ ପଣ୍ଡା, ଯତୀନ ହୋତା, ତୁଳାରାମ ହରିଜନ, ଉଦୟ ପାଣିଗ୍ରାହୀ, ଉଜ୍ଜବିନ ନାୟକ, ସୁଭାଷ ଅନକା, ପବିତ୍ର ଖରା ପ୍ରମୁଖ ଉପସ୍ଥିତ ଥିଲେ ।


Comments are closed, but trackbacks and pingbacks are open.