ବର୍ଷିଲେ ପାକ୍ ବିରୋଧୀ ଦଳ:ଇମ୍ରାନ୍ ଜଣେ ଡାହା ମିଛୁଆ

Get real time updates directly on you device, subscribe now.

ଲାହୋର: ୱାସିଂଟନ୍ରେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆତଙ୍କବାଦ ପ୍ରସଙ୍ଗରେ ଯେଉଁ ବୟାନ ଦେଇଥିଲେ, ତାହାକୁ ଦେଶର ପ୍ରମୁଖ ବିରୋଧୀ ଦଳ ପିପିପି (ପାକିସ୍ତାନ ପିପୁଲ୍ସ ପାର୍ଟି) ଓ ପିଏମ୍ଏଲ୍-ଏନ୍ କଡ଼ା ନିନ୍ଦା କରିଛି । ଇମ୍ରାନ୍ ଜଣେ ଡାହା ମିଛୁଆ ବୋଲି ପିପିପି କହିଥିବା ବେଳେ ସେ ପ୍ରଧାନମନ୍ତ୍ରୀ ହେବାକୁ ଅଯୋଗ୍ୟ ବୋଲି ପିଏମ୍ଏଲ୍-ଏନ୍ ପକ୍ଷରୁ କୁହାଯାଇଛି ।
ପିପିପି ସାଧାରଣ ସମ୍ପାଦକ ନଫିସା ଶାହ ଏକ ବିବୃତି ଜାରି କରି କହିଛନ୍ତି, ‘‘ମନୋନୀତ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ କେବଳ ଜଣେ ଭ୍ରଷ୍ଟ ନେତା ନୁହନ୍ତି, ସେ ଆତଙ୍କବାଦୀମାନଙ୍କର ଜଣେ ଦୃଢ଼ ସମର୍ଥକ । ସେ ଯେଉଁଭଳି ଭାବେ ଆତ୍ମବିଶ୍ୱାସର ସହ ମିଛ କହୁଛନ୍ତି, ସେଥିପାଇଁ ତାଙ୍କୁ ଅନ୍ତର୍ଜାତୀୟ ପୁରସ୍କାର ମିଳିବା କଥା । ବିଶ୍ୱାସର ସହ ମିଛ କହିବା କେବଳ ଅଭ୍ୟାସ ଦ୍ୱାରା ସମ୍ଭବ ହୋଇଥାଏ । ଇମ୍ରାନ୍ ତାହା କରିଦେଖାଇଛନ୍ତି ।
ପିପିପି ସାଧାରଣ ସମ୍ପାଦକ କହିଛନ୍ତି, ଇମ୍ରାନ୍ ଦେଶ ମଧ୍ୟରେ ଅନେକ ବାର ମିଛ କହିଛନ୍ତି । ସେଥିପାଇଁ ତାଙ୍କୁ କେହି କିଛି କହିନାହାନ୍ତି । କିନ୍ତୁ ବିଶ୍ୱ ସମୁଦାୟ ନିକଟରେ ଏଭଳି ମିଛ କହିବା ଦୁର୍ଭାଗ୍ୟର ବିଷୟ । ଇମ୍ରାନ୍ ଆତଙ୍କବାଦ ବିରୋଧରେ ଲଢ଼ୁଥିବା ନେଇ ଯେଉଁ ଦାବି କରୁଛନ୍ତି, ତାହା ମିଛ । ବରଂ ସେ ୨୦ ବର୍ଷ ହେଲା ଗଣତନ୍ତ୍ର ବିରୋଧରେ ଷଡ଼ଯନ୍ତ୍ର କରିଆସୁଛନ୍ତି । ଇମ୍ରାନ୍ ଖାନ୍ ଆଦୌ ଗଣତାନ୍ତ୍ରିକ ନ ଥିଲେ । କାରଣ ବିରୋଧୀ ଦଳରେ ଥିଲା ବେଳେ ସେ ବାହାରୁ ଗଣତନ୍ତ୍ର ଉପରେ ଆକ୍ରମଣ କରୁଥିଲେ ଏବଂ ଏବେ ଶାସନରେ ରହିଥିବାରୁ ଭିତରପଟୁ ଆକ୍ରମଣ କରୁଛନ୍ତି । ତାଙ୍କଠାରେ ସହିଷ୍ଣୁତା ଗୁଣ ଆଦୌ ନାହିଁ । ନିଜ ଅଯୋଗ୍ୟତାକୁ ଲୁଚାଇବା ପାଇଁ ସେ ଏବେ ବିରୋଧୀମାନଙ୍କୁ ଟାର୍ଗେଟ୍ କରୁଛନ୍ତି ।
ପାକିସ୍ତାନ ମୁସ୍ଲିମ୍ ଲିଗ୍ ନୱାଜ (ପିଏମ୍ଏଲ୍-ଏନ୍)ର ଅଧ୍ୟକ୍ଷ ତଥା ନ୍ୟାସନାଲ ଆସେମ୍ବ୍ଲିର ବିରୋଧୀ ଦଳ ନେତା ଶାହବାଜ ସରିଫ କହିଛନ୍ତି, ଆମେରିକା ଗସ୍ତରେ ଥିଲା ବେଳେ ଇମ୍ରାନ୍ ଏକତାର ବାର୍ତ୍ତା ଦେଇଥିଲେ ଭଲ ହୋଇଥାନ୍ତା । ସେ ବହୁତ ବଡ଼ ସୁଯୋଗ ହାତଛଡ଼ା କଲେ । ପାକସ୍ତାନ ସାମ୍ନା କରିବାକୁ ଯାଉଥିବା ବିଭିନ୍ନ ଚାଲେଞ୍ଜ୍ ବାବଦରେ ଇମ୍ରାନ୍ କଥା ହୋଇଥିଲେ ଭଲ ହୋଇଥାନ୍ତା । କିନ୍ତୁ ସେ ନୱାଜ ସରିଫ୍ଙ୍କ ଉପରେ ଅଙ୍ଗୁଳି ଉଠାଇ ନିଜ ହୀନମନ୍ୟତାର ପରିଚୟ ଦେଇଛନ୍ତି । ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଆଦୌ ଯୋଗ୍ୟ ନୁହନ୍ତି ବୋଲି ଇମ୍ରାନ୍ ନିଜେ ପ୍ରମାଣ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons