ସଂସଦରେ ପୁଣି ଟ୍ରମ୍ପ୍ ତାତି: ରାଜନାଥ ଦେଲେ ସ୍ପଷ୍ଟୀକରଣ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ କାଶ୍ମୀର ମଧ୍ୟସ୍ଥତା ପ୍ରସଙ୍ଗରେ ଯେଉଁ ବୟାନ ଦେଇଥିଲେ, ତାହାକୁ ନେଇ ଆଜି ବି ସଂସଦରେ ହଙ୍ଗାମା ହୋଇଛି । ବିରୋଧୀ ଦଳଗୁଡ଼ିକ ପୁଣି ଏହି ପ୍ରସଙ୍ଗ ଉଠାଇ ହ;ଗୋଳ ପରିସ୍ଥିତି ସୃଷ୍ଟି କରିଥିଲେ । ବୁଧବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏହି ପ୍ରସଙ୍ଗ ଉପରେ ସରକାରଙ୍କ ତରଫରୁ ସ୍ପଷ୍ଟୀକରଣ ରଖିଥିଲେ ।
ରାଜନାଥ କହିଥିଲେ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାକ୍ଷାତ ହୋଇଥିଲା ନିଶ୍ଚିତ । ଏଥିରେ ସନ୍ଦେହ ନାହିଁ । କିନ୍ତୁ କାଶ୍ମୀର ପ୍ରସଙ୍ଗରେ ଉଭୟ ନେତାଙ୍କ ମଧ୍ୟରେ କୌଣସି ପ୍ରକାର ଆଲୋଚନା ହୋଇନାହିଁ । କାଶ୍ମୀର ପ୍ରସଙ୍ଗରେ କୌଣସି ମଧ୍ୟସ୍ଥତାକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ । ଏ ନେଇ ପ୍ରଶ୍ନ ଉଠୁନାହିଁ । ରାଷ୍ଟ୍ରର ସ୍ୱାଭିମାନ ସହ ସରକାର ସାଲିସ କରିବେ ନାହିଁ ।
ପ୍ରତିରକ୍ଷା ମନ୍ତ୍ରୀ ଆହୁରି କହିଥିଲେ କି ଚଳିତବର୍ଷ ଜୁନ୍ ମାସରେ ପ୍ରଧାନମନ୍ତ୍ରୀ ଜାପାନ ଗସ୍ତ କରିଥିଲେ । ଏହି ସମୟରେ ଟ୍ରମ୍ପ୍ଙ୍କ ସହ ତାଙ୍କର ଭେଟ ହୋଇଥିଲା । ଉଭୟଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଲୋଚନା ହୋଇଥିଲା । କିନ୍ତୁ କାଶ୍ମୀର ପ୍ରସଙ୍ଗ ଆଦୌ ସ୍ଥାନ ପାଇନଥିଲା । ଏ ବାବଦରେ ଆଗରୁ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଭଲ ଭାବେ ସ୍ପଷ୍ଟ କରିଥିଲେ । କାରଣ ସେତେବେଳେ ସେ ଉପସ୍ଥିତ ଥିଲେ ବୋଲି ରାଜନାଥ କହିଛନ୍ତି ।
ରାଜନାଥ କହିଛନ୍ତି, ପାକିସ୍ତାନ ସହ ଯେବେ ବି ଆଲୋଚନା ହେବ, କେବଳ କାଶ୍ମୀର ସଂକ୍ରାନ୍ତରେ ନୁହେଁ ବରଂ ପାକ୍ ଅଧିକୃତ କାଶ୍ମୀର ବାବଦରେ ମଧ୍ୟ କଥାବାର୍ତ୍ତା ହେବ । ଏହାପରେ କଂଗ୍ରେସ ସାଂସଦମାନେ ରାଜନାଥଙ୍କ ବିବୃତିରେ ଅସନ୍ତୋଷ ବ୍ୟକ୍ତ କରି କକ୍ଷତ୍ୟାଗ କରିଥିଲେ । କଂଗ୍ରେସ ସାଂସଦଙ୍କ କକ୍ଷତ୍ୟାଗ ଘଟଣାକୁ ରାଜନାଥ କଡ଼ା ନିନ୍ଦା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons