ଭାରତ ସହ ସମ୍ପର୍କ ଯୋଡ଼ିବାକୁ ତାଲିବାନ ପ୍ରୟାସ

Get real time updates directly on you device, subscribe now.

ନୂଆଦିଲ୍ଲୀ: ତାଲିବାନ ଭାରତ ସହ ସମ୍ପର୍କ ବଢ଼ାଇବାକୁ ପ୍ରୟାସ ଆରମ୍ଭ କରିଦେଇଛି । ଭାରତ-ଆମେରିକା ମଧ୍ୟରେ ବନ୍ଦ ହୋଇ ରହିଥିବା ବେସାମରିକ ବିମାନ ଚଳାଚଳ ପୁଣିଥରେ ଆରମ୍ଭ କରିବାକୁ ତାଲିବାନ ସରକାର ଅପିଲ କରିଛି । ଆଫଗାନିସ୍ତାନ ଇସଲାମିକ ଏମିରେଟର୍ ବେସାମରିକ ବିମାନ ଚଳାଚଳା ବିଭାଗର ମନ୍ତ୍ରୀ ଅଲ୍ହାଦ ହମିଦୁଲ୍ଲାହ ଅଖୁନ୍ଦଜାଦା ଏନେଇ ଭାରତୀୟ ବେସାମରିକ ବିମାନ ଚଳାଚଳ ମହାନିଦେ୍ର୍ଧଶକ ଅରୁଣ କୁମାରଙ୍କୁ ଚିଠି ଲେଖିଛନ୍ତି । ଗତ ସେପ୍ଟେମ୍ବର ୭ ତାରିଖରେ ଏହି ଚିଠି ଲେଖା ଯାଇଥିବା ଜଣାପଡ଼ିଛି ।
ତାଲିବାନ ଚିଠିରେ ଉଲ୍ଲେଖ କରିଛି ଯେ, ଆପଣ ଅବଗତ ଥିବେ ଆମେରିକା ସେନା ପ୍ରତ୍ୟାହାର କରିବା ପୂର୍ବରୁ କାବୁଲ ବିମାନବନ୍ଦରକୁ ନଷ୍ଟ କରିଦେଇଥିଲା । ଫଳରେ କାବୁଲ ବିମାନବନ୍ଦର ଅକାମି ହୋଇ ଯାଇଥିଲା । କତାରର ବୈସୟିକ ସହଯୋଗ ଯୋଗୁ କାବୁଲ ବିମାନବନ୍ଦର ପୁଣିଥରେ କାର୍ଯ୍ୟକାରୀ ହୋଇପାରିଛି । ଏଣୁ ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ବନ୍ଦ ହୋଇ ରହିଥିବା ବେସାମରିକ ବିମାନ ଚଳାଚଳ ପୁଣିଥରେ ଆରମ୍ଭ କରିବା ଆବଶ୍ୟକ । ଏହା ଦ୍ୱାରା ଦୁଇ ଦେଶ ମଧ୍ୟରେ ଯାତ୍ରୀ ପରିବହନ ସହଜ ହୋଇପାରିବ ବୋଲି ଚିଠିରେ ଉଲ୍ଲେଖ ରହିଛି । ଦୁଇ ଦେଶ ମଧ୍ୟରେ ବେସାମରିକ ବିମାନ ଚଳାଚଳ ବଜାୟ ରଖିବାକୁ ତାଲିବାନ ଭାରତକୁ ସବୁ ପ୍ରକାର ଆଶ୍ୱାସନା ଦେଇଛି । ଆଫଗାନର ଆରିଆନା ଆଫଗାନ ଏୟାର ଲାଇନ ଏବଂ କାମ୍ ଏୟାର ଭାରତକୁ ବିମାନ ଚଳାଚଳ କରିବାକୁ ଇଚ୍ଛୁକ ଥିବା ତାଲିବାନ ଚିଠିରେ ଉଲ୍ଲେଖ କରିଛି । ତାଲିବାନ ସହ ବେସାମରିକ ବିମାନ ଚଳାଚଳ ନେଇ ଭାରତ ସମ୍ପୂର୍ଣ୍ଣ ରୂପେ ଆଶ୍ୱସ୍ତ ରହୁ ବୋଲି ଅଲ୍ହାଦ ହମିଦୁଲ୍ଲାହ ଚିଠିରେ ପ୍ରକାଶ କରିଛନ୍ତି ।
ଭାରତ ବର୍ତ୍ତମାନସୁଦ୍ଧା ତାଲିବାନକୁ ଚିଠିର ଉତ୍ତର ଦେଇନାହିଁ । ଭାରତ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ କହିଛନ୍ତି ଯେ, ଆଫଗାନକୁ ବେସାମରିକ ବିମାନ ଉଡ଼ାଣ ଆରମ୍ଭ କରାଯିବ କି ନାହିଁ ଏନେଇ ବିଚାରବିମର୍ଶ ଜାରି ରହିଛି । ବୈଦେଶିକ ମନ୍ତ୍ରଣାଳୟ ଏବଂ ବେସାମରିକ ବିମାନ ଚଳାଚଳ ମହାନିଦେ୍ର୍ଧଶକ ଏନେଇ ଆଲୋଚନା ଜାରି ରଖିଛନ୍ତି ।
ସୂଚନାଥାଉକି, ଭାରତ ବର୍ତ୍ତମାନସୁଦ୍ଧା ତାଲିବାନ ସରକାରକୁ ସ୍ୱୀକୃତି ପ୍ରଦାନ କରିନାହିଁ । ଅଗଷ୍ଟ ୩୦ରେ ଦୋହାରେ ଭାରତ ତାଲିବାନ ମଧ୍ୟରେ ଆଲୋଚନା ହୋଇଥିଲେ ମଧ୍ୟ ଭାରତ ତାଲିବାନ ସରକାରକୁ ସ୍ୱୀକୃତି ପ୍ରଦାନ ସମ୍ପର୍କରେ କୌଣସି ନିଷ୍କର୍ସ ମିଳିନାହିଁ । ଶେଷଥର ପାଇଁ ଗତ ଅଗଷ୍ଟ ୨୧ରୁ କାବୁଲରୁ ଭାରତ ଅଭିମୁଖେ ଶେଷ ବେସାମରିକ ବିମାନ ଉଡ଼ାଣ ଭରିଥିଲା । ତାଲିବାନ ଆଫଗାନକୁ ଅକ୍ତିଆର କରି ନେବା ପରେ ଭାରତ ସହ ସମସ୍ତ ପ୍ରକାର ବ୍ୟବସାୟିକ ସମ୍ପର୍କ ଉପରେ ରୋକ ଲଗାଇଥିଲା । ଆଫଗାନ ସହ ବେସାମରିକ ବିମାନ ଉଡ଼ାଣ ବନ୍ଦ ହେବା ପରେ କେତେକ ଅନ୍ତର୍ଜାତୀୟ ବିମାନକୁ ଲମ୍ବା ରୁଟ୍ ଦେଇ ଯିବା-ଆସିବା କରିବାକୁ ପଡ଼ୁଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons