‘ଗତିଶକ୍ତି ଯୋଜନା’ର ଶୁଭାରମ୍ଭ କଲେ ମୋଦି

Get real time updates directly on you device, subscribe now.

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ୧୦୦ ଲକ୍ଷ କୋଟି ଟଙ୍କାର ‘ପିଏମ୍ ଗତିଶକ୍ତି ଯୋଜନା’ ଶୁଭାରମ୍ଭ କରିଛନ୍ତି । ଦେଶର ଭିତ୍ତିଭୂମି ବିକାଶକୁ ଏକ ଐତିହାସିକ ରୂପ ଦେବା ଲକ୍ଷ୍ୟ ନେଇ ଏହି ଯୋଜନା ଆରମ୍ଭ ହୋଇଛି । ଏହି ଜାତୀୟ ମାଷ୍ଟର ପ୍ଲାନ୍କୁ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ୨୫ ବର୍ଷ ନିମନ୍ତେ ଆଜି ଭାରତ ପାଇଁ ଭିତ୍ତି ପଡ଼ିଲା । ଏହି ମାଷ୍ଟର ପ୍ଲାନ୍ ଏକବିଂଶ ଶତାବ୍ଦୀ ପାଇଁ ଉଦ୍ଧିଷ୍ଟ ବିକାଶ ଯୋଜନାକୁ ‘ଗତିଶକ୍ତି’ ପ୍ରଦାନ କରିବ । ଭିତ୍ତିଭୂମି ଯୋଜନାଗୁଡ଼ିକୁ ଠିକଣା ସମୟରେ ଶେଷ କରିବା ଲାଗି ଏଥିରେ ଗୁରୁତ୍ୱ ଦିଆଯିବ । ପ୍ରଧାନମନ୍ତ୍ରୀ ମୋଦି ଚଳିତବର୍ଷ ଅଗଷ୍ଟ ୧୫ରେ ନିଜ ସ୍ୱାଧୀନତା ଦିବସ ସମ୍ଭାଷଣରେ ‘ପିଏମ୍ ଗତି ଶକ୍ତି- ଜାତୀୟ ମାଷ୍ଟର ପ୍ଲାନ୍’ ବାବଦରେ ଘୋଷଣା କରିଥିଲେ ।
ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ଆଜି ଦୁର୍ଗାଷ୍ଟମୀ । ସମଗ୍ର ଦେଶରେ ଶକ୍ତିସ୍ୱରୂପାଙ୍କ ପୂଜାର୍ଚ୍ଚନା କରାଯାଉଛି । ଶକ୍ତି ଉପାସନାର ଏହି ପୁଣ୍ୟ ଅବସରରେ ଦେଶର ପ୍ରଗତିର ଗତିକୁ ନୂଆ ଶକ୍ତି ଦେବା ପାଇଁ ପ୍ରୟାସ ଆରମ୍ଭ ହୋଇଛି । ଆଜି ଏକବିଂଶ ଶତାବ୍ଦୀର ଭାରତ ସରକାରୀ ବ୍ୟବସ୍ଥାର ସେହି ପୁରୁଣା ଭାବନାକୁ ପଛରେ ଛାଡ଼ି ଆଗକୁ ବଢୁଛି । ଆଜିର ମନ୍ତ୍ର ହେଉଛି- ‘ୱିଲ୍ ଫର୍ ପ୍ରୋଗ୍ରେସ୍, ୱାର୍କ ଫର୍ ପ୍ରୋଗ୍ରେସ୍, ୱେଲ୍ଥ ଫର୍ ପ୍ରୋଗ୍ରେସ୍, ପ୍ଲାନ୍ ଫର୍ ପ୍ରୋଗ୍ରେସ୍, ପ୍ରିଫରେନ୍ସ ଫର୍ ପ୍ରୋଗ୍ରେସ୍’ ।
ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ବିରୋଧୀ ଦଳଗୁଡ଼ିକୁ ଟାର୍ଗେଟ୍ କରିଛନ୍ତି । କହିଛନ୍ତି, ଭାରତରେ ଭିତ୍ତିଭୂମି ପ୍ରସଙ୍ଗକୁ ନେଇ ରାଜନୈତିକ ଦଳଗୁଡ଼ିକ ସେତେ ପ୍ରାଥମିକତା ଦେଉନାହାନ୍ତି । ସେମାନଙ୍କ ଘୋଷଣାପତ୍ରରେ ବି ଏହା ନଜର ଆସୁନାହିଁ । ବର୍ତ୍ତମାନ ଏଭଳି ସ୍ଥିତି ଆସିଯାଇଛି ଯେ କିଛି ରାଜନୈତିକ ଦଳ ଦେଶ ପାଇଁ ଅତି ଜରୁରି ଭିତ୍ତିଭୂମି ନିର୍ମାଣ ବିରୋଧରେ ଚର୍ଚ୍ଚା କରି ଗର୍ବ ଅନୁଭବ କରୁଛନ୍ତି । ଭିତ୍ତିଭୂମି ବିକାଶ ଦ୍ୱାରା ଯେ ଆର୍ଥିକ କାର୍ଯ୍ୟକଳାପ ତ୍ୱରାନ୍ୱିତ ହୋଇଥାଏ ଏବଂ ବିପୁଳ ସଂଖ୍ୟକ ରୋଜଗାର ସୃଷ୍ଟି କରିଥାଏ, ତାହା ସ୍ୱୀକାର କରିବାକୁ ପଡ଼ିବ ।
ଏହି ଯୋଜନା ଏକ ସାମୂହିକ ଦୃଷ୍ଟିକୋଣ ରଖି ଆଗକୁ ବଢ଼ିବ । ଆଗାମୀ ପିଢ଼ିର ଭିତ୍ତିଭୂମି ଦ୍ୱାରା ଏହା ଭାରତର ଅନ୍ତର୍ଜାତୀୟ ପ୍ରତିସ୍ପର୍ଦ୍ଧାରେ ନୂଆ ଶକ୍ତି ଭରିବ । ଶିଳ୍ପ କ୍ଲଷ୍ଟରଗୁଡ଼ିକୁ ନିରନ୍ତର ମଲ୍ଟିମୋଡାଲ ସଂଯୋଗ ପାଇଁ ବାଟ ଫିଟାଇବ । ଜନତାଙ୍କ ଗମନାଗମନ ଏବଂ ସାମଗ୍ରୀ ପରିବହନ ଅଧିକ ସହଜ ଓ ଦ୍ରୁତ ହେବ । ଲୋକଙ୍କ ଜୀବନ ଏବଂ ବ୍ୟବସାୟକୁ ଏହା ଅନନ୍ୟ ଭାବେ ଅନୁକୂଳ କରିତୋଳିବ ବୋଲି ଜଣେ ବରିÂ ଅଧିକାରୀ କହିଛନ୍ତି ।
ଗତି ଶକ୍ତି ଯୋଜନାରେ ଏଭଳି ଏକ ଡିଜିଟାଲ ପ୍ଲାଟଫର୍ମ ସୃଷ୍ଟି କରାଯିବ, ଯାହା ରେଳ ଓ ସଡ଼କ ସମେତ ୧୬ଟି ମନ୍ତ୍ରଣାଳୟକୁ ସମନ୍ୱିତ କରିବ । ଏହାଦ୍ୱାରା ଭିତ୍ତିଭୂମି ଯୋଜନାଗୁଡ଼ିକର କାର୍ଯ୍ୟାନ୍ୱୟନ ସଫଳ ହୋଇପାରିବ । ଭିତ୍ତିଭୂମି କନେକ୍ଟିଭିଟି ପ୍ରକଳ୍ପଗୁଡ଼ିକ କ୍ଷେତ୍ରରେ ବିଭିନ୍ନ ମନ୍ତ୍ରଣାଳୟରେ ଦୃଢ଼ ସମନ୍ୱୟ ରହିବ । ସବୁକିଛି ଯୋଜନାବଦ୍ଧ ଭାବେ କାର୍ଯ୍ୟକାରୀ ହେବ । କ୍ୟାବିନେଟ୍ ସଚିବଙ୍କ ଅଧ୍ୟକ୍ଷତାରେ ଏକ କ୍ଷମତାସମ୍ପନ୍ନ ସଚିବ କମିଟି ସବୁ କାର୍ଯ୍ୟର ତଦାରଖ କରିବ ।
‘ଗତି ସେ ଶକ୍ତି’ ଟ୍ୟାଗ୍ଲାଇନ୍ରେ ଏହି ଯୋଜନା ଅର୍ଥନୈତିକ ଜୋନ୍ଗୁଡ଼ିକୁ ମଲ୍ଟିମୋଡାଲ ଭିତ୍ତିଭୂମି ସଂଯୋଗ ପ୍ରଦାନ କରିବ । ବିଭିନ୍ନ ମନ୍ତ୍ରଣାଳୟର ଗୁରୁତ୍ୱପୂର୍ଣ୍ଣ ଯୋଜନା ଯଥା ଭାରତମାଳା, ସାଗରମାଳା, ଉଡାନ୍, ରେଳପଥ ନେଟ୍ୱର୍କ ସମ୍ପ୍ରସାରଣ, ଜଳମାର୍ଗ ନେଟ୍ୱର୍କ ଏବଂ ଭାରତ ନେଟ୍କୁ ଏଥିରେ ସାମିଲ କରାଯିବ । ୨୦୨୪-୨୫ ପାଇଁ ସରକାର ରଖିଥିବା ଲକ୍ଷ୍ୟଗୁଡ଼ିକୁ ଏହି ଯୋଜନାରେ ପୂରଣ କରାଯିବ । ଜାତୀୟ ରାଜପଥ ନେଟ୍ୱର୍କ ୨ ଲକ୍ଷ କିଲୋମିଟରକୁ ବୃଦ୍ଧି କରାଯିବ । ୨୨୦ ନୂଆ ବିମାନବନ୍ଦର ନିର୍ମାଣ କରାଯିବ । ଗ୍ୟାସ୍ ପାଇପ୍ଲାଇନ ନେଟ୍ୱର୍କ ୩୫,୦୦୦ କିମିକୁ ସମ୍ପ୍ରସାରଣ କରାଯିବ । ଏହି ଯୋଜନା ଦ୍ୱାରା ଲକ୍ଷ ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons