ମହିଳା ବାଚସ୍ପତିଙ୍କୁ ଅଶାଳୀନ ମନ୍ତବ୍ୟ: ଆଜମ୍ଙ୍କୁ ଚାରିପଟୁ ଘେରିଲେ

Get real time updates directly on you device, subscribe now.

ନୂଆଦିଲ୍ଲୀ: ଲୋକସଭାରେ ବିଜେପି ମହିଳା ସାଂସଦ ରମା ଦେବୀଙ୍କ ପ୍ରତି ଅଶାଳୀନ ଟିପ୍ପଣୀ ଦେବା ସମାଜବାଦୀ ପାର୍ଟି (ସପା) ସାଂସଦ ଆଜମ୍ ଖାନ୍ଙ୍କୁ ମହଙ୍ଗା ପଡ଼ିଛି । ତାଙ୍କର ଏହି ମନ୍ତବ୍ୟ ପାଇଁ ଦଳ ମଧ୍ୟ ଅଡୁଆରେ ପଡ଼ିଛି । ସବୁ ମହଲରୁ ଏହାକୁ ତୀବ୍ର ନିନ୍ଦା କରାଯାଉଛି । ବିଭିନ୍ନ ଦଳର ମହିଳା ସାଂସଦ ଓ ନେତ୍ରୀ ଆଜମ୍ଙ୍କ ଉପରେ ବର୍ଷିବା ସହ କ୍ଷମା ପ୍ରାର୍ଥନା କରିବାକୁ କହିଛନ୍ତି । କ୍ଷମା ନ ମାଗିଲେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ସେମାନେ କହିଛନ୍ତି । ଏ ନେଇ ସଂକଳ୍ପନାମା ପାରିତ ହୋଇପାରେ ।
ଲୋକସଭାରେ ଆଜି ଏହାକୁ ନେଇ ହଙ୍ଗାମା ହୋଇଥିଲା । ମହିଳା ସାଂସଦମାନେ ମିଳିତ ସ୍ୱରରେ ଆଜମ୍ଙ୍କୁ ଘେରିବା ସହ ତାଙ୍କୁ କ୍ଷମା ମାଗିବାକୁ ପଡ଼ିବ ବୋଲି ଦାବି କରିଥିଲେ । ଶୂନ୍ୟକାଳରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପ୍ରସଙ୍ଗ ଉଠାଇ କହିଥିଲେ, ଆଜମ୍ଙ୍କ ଅଶାଳୀନ ମନ୍ତବ୍ୟ କେବଳ ମହିଳା ସଦସ୍ୟ ନୁହନ୍ତି, ପୁରୁଷଙ୍କ ପାଇଁ ମଧ୍ୟ ଅପମାନଜନକ । ଆମେ ମୌନ ଦର୍ଶକ ସାଜି ଏହାକୁ ସହ୍ୟ କରିପାରିବୁ ନାହିଁ । ଏହା ଗ୍ରହଣୀୟ ନୁହେଁ ବୋଲି ସମସ୍ତଙ୍କୁ ମିଳିତ ସ୍ୱରରେ କହିବାକୁ ହେବ ।
ଟିଏମ୍ସି ସାଂସଦ ମିମି ଚକ୍ରବର୍ତ୍ତୀ କହିଛନ୍ତି, କୌଣସି ସଦସ୍ୟ ସଂସଦରେ ଛିଡ଼ା ହୋଇ ଜଣେ ମହିଳାଙ୍କୁ ଏଭଳି ମନ୍ତବ୍ୟ ଦେଇପାରିବ ନାହିଁ । ତେଣୁ ଏ ବାବଦରେ ନିଶ୍ଚିତ ବଡ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରତ୍ୟେକ ମହିଳା ଆଶା କରୁଛନ୍ତି । ଏହାବ୍ୟତୀତ ଏନ୍ସିପିର ସୁପ୍ରିୟା ସୁଲେ, ଟିଏମ୍ସିର କଲ୍ୟାଣ ବାନାର୍ଜୀ ଏବଂ ବିଜେଡିର ଭର୍ତ୍ତୃହରି ମହତାବ ପ୍ରମୁଖ ଆଜମ୍ଙ୍କ ବୟାନକୁ ନିନ୍ଦା କରିଥିଲେ । ମହିଳାଙ୍କୁ ଅପମାନ କରୁଥିବା ଯେ କୌଣସି ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ ବୋଲି ଲୋକସଭାରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କହିଥିଲେ ।
ଏହାବ୍ୟତୀତ ବିଜେପି ନେତ୍ରୀ ଜୟା ପ୍ରଦାଙ୍କ ସମେତ ଅନେକ ବରିଷ୍ଠ ନେତା ଆଜମ୍ଙ୍କ ଟିପ୍ପଣୀକୁ ନିନ୍ଦା କରିଛନ୍ତି । ବହୁଜନ ସମାଜ ପାର୍ଟି (ବସପା) ସୁପ୍ରିମୋ ମାୟାବତୀ ଏହାକୁ ନାପସନ୍ଦ କରିବା ସହ ସମସ୍ତ ମହିଳାଙ୍କୁ କ୍ଷମା ମାଗିବାକୁ କହିଛନ୍ତି । ବସପା ମୁଖ୍ୟ ମାୟାବତୀ ନିଜ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍ କରି କହିଛନ୍ତି, ଗୁରୁବାର ଲୋକସଭାରେ ଅଧ୍ୟକ୍ଷତା କରୁଥିବା ମଞ୍ଚାସୀନ ମହିଳାଙ୍କ ବିରୋଧରେ ଯେଉଁ ପ୍ରକାର ଅଶୋଭନୀୟ ଭାଷା ବ୍ୟବହାର କରାଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ । ଜଣଙ୍କ ଗରିମା ଓ ସମ୍ମାନ ପ୍ରତି ଏହା ଆଘାତ ପହଞ୍ଚାଇଛି । ଏଥିପାଇଁ ତାଙ୍କୁ କେବଳ ସଂସଦରେ ନୁହେଁ, ବରଂ ଦେଶର ସମସ୍ତ ମହିଳାଙ୍କୁ କ୍ଷମା ମାଗିବା ଆବଶ୍ୟକ । ଇତିମଧ୍ୟରେ ସମାଜବାଦୀ ପାର୍ଟି ମଧ୍ୟ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଆଜମ୍ଙ୍କୁ କ୍ଷମା ମାଗିବା ପାଇଁ ନିର୍ଦ୍ଦେଶ ଦେଇଛି ।
କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ଲୋକସଭାରେ ଉପସ୍ଥିତ ପାଖାପାଖି ସମସ୍ତ ସାଂସଦ ଆଜମ୍ଙ୍କ ଏଭଳି ଅଶାଳୀନ ମନ୍ତବ୍ୟକୁ ନିନ୍ଦା କରିଛନ୍ତି । ସେ ଯେଉଁ ଅପଶବ୍ଦ ବ୍ୟବହାର କରିଛନ୍ତି, ଆମେ ତାହା ଦୋହରାଇବାକୁ ଚାହୁଁନାହୁଁ । ଏଠାରେ ଯାହା ଘଟିଲା, ତାହାକୁ ପୂରା ଦେଶ ଦେଖିଛି । ଯେଉଁ ସଦସ୍ୟମାନେ ଏହାକୁ ବିରୋଧ କଲେ ମୁଁ ତାଙ୍କ ପ୍ରତି ଋଣୀ । ଏଭଳି ଅଶାଳୀନ ମନ୍ତବ୍ୟ ଦେଇ ସେ କେବଳ ରମା ଦେବୀଙ୍କୁ ନୁହେଁ, ବରଂ ଦେଶର ସମସ୍ତ ମହିଳାଙ୍କୁ ଅପମାନ କରିଛନ୍ତି । ମହିଳାଙ୍କ ସହ ଯୋଡ଼ି ହୋଇଥିବା ପ୍ରତ୍ୟେକ ପ୍ରସଙ୍ଗକୁ ନେଇ ରାଜନୀତି କରିବାକୁ ଚେଷ୍ଟା କରାଯାଉଛି ।
ଅନ୍ୟପକ୍ଷରେ ସାଂସଦ ରମା ଦେବୀ ଆଜମ୍ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ତାଙ୍କୁ ଗୃହରୁ ବାହାର କରିବା ପାଇଁ ଦାବି କରିଛନ୍ତି । ଆଜମ୍ କ୍ଷମା ମାଗିବା ଆବଶ୍ୟକ ବୋଲି ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ, ଗୁରୁବାର ତିନି ତଲାକ୍ ବିଲ୍ ଉପରେ ଲୋକସଭାରେ ଚର୍ଚ୍ଚା ହେଉଥିବା ବେଳେ ଆଜମ୍ ଏହା ଉପରେ କହିବା ପାଇଁ ଛିଡ଼ା ହୋଇଥିଲେ । ଛିଡ଼ା ହୋଇ ମୁଖ୍ତାର ଅବାସ୍ ନକ୍ଭି କାହାନ୍ତି ବୋଲି ସେ କହିଥିଲେ । ଏହି ସମୟରେ ବାଚସ୍ପତି ଦାୟିତ୍ୱ ତୁଲାଉଥିବା ରମା ଦେବୀ କହିଥିଲେ, ଏଣୁତେଣୁ କଥା କୁହନାହିଁ । ବରଂ ବାଚସ୍ପତିଙ୍କୁ ଚାହିଁ, ସମ୍ବୋଧନ କର । ଏହାପରେ ଆଜମ୍ ଅଶାଳୀନ ମନ୍ତବ୍ୟ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons