ନୂଆଦିଲ୍ଲୀ: ପୃଥିବୀକୁ ଘେରି ରହିଥିବା ନୀଳ ଆକାଶ ଆଗଭଳି ଆଉ ନିର୍ମଳ ନାହିଁ । ବିଷାକ୍ତ ବାୟୁରେ ଏହା ଭରପୂର । ଶ୍ୱାସକି୍ରୟାରେ ବିଶ୍ୱବାସୀ ଅମ୍ଳଜାନ ସହିତ ପୁଳା ପୁଳା ବିଷ ଶୋଷି ଚାଲିଛନ୍ତି । ବିଶ୍ୱର ପ୍ରାୟ ୯୯ % ଲୋକ ବିଷାକ୍ତ ବାୟୁରେ ଶ୍ୱାସକ୍ରିୟା କରି ନିଜ ପାଇଁ ସାଙ୍ଘାତିକ ବିପଦ ସୃଷ୍ଟି କରୁଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁ୍ୟଏଚ୍ଓ)ର ଏକ ସଦ୍ୟ ରିପୋର୍ଟରୁ ଏହି ଚିତ୍ର ମିଳିଛି । ଭାରତର ପ୍ରାୟ ୯୦% ଲୋକ ବିଷାକ୍ତ ବାୟୁ ଘେରରେ ଥିବା ରିପୋର୍ଟ କହୁଛି ।
ଏଭଳି ଭୟାନକ ନିର୍ଯାସରେ ଉପନୀତ ହେବା ପୂର୍ବରୁ ଡବ୍ଲୁ୍ୟଏଚ୍ଓ ୧୧୭ ଦେଶର ୬,୦୦୦ରୁ ଅଧିକ ସହରର ବାୟୁ ମାନ ପରଖିଥିଲା । ପ୍ରାୟ ସବୁ ସହରରେ ବାୟୁର ମାନ ଦୟନୀୟ ଭାବେ ବିଗିଡ଼ିଥିବା ଜାଣିବାକୁ ପାଇଥିଲା । ବିଶ୍ୱର ୯୯% ବା ପାଖାପାଖି ୭୯୭ କୋଟି ଲୋକ ଶ୍ୱାସକ୍ରିୟା ସମୟରେ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ଏବଂ ଅତି ସୂକ୍ଷ୍ମ ଅନିଷ୍ଟକାରୀ କଣିକା ଶୋଷୁଛନ୍ତି । ବିଶେଷକରି ମଧ୍ୟମ ଆୟ ବର୍ଗ ଦେଶଗୁଡ଼ିକର ବାସିନ୍ଦା ଏହି ଅଦୃଶ୍ୟ ବିଷ ପାନ କରୁଛନ୍ତି ।
ଅନ୍ତର୍ଜାତୀୟ ସ୍ତରରେ ନିର୍ଦ୍ଧାରିତ ମାନଠାରୁ ଖରାପ ଥିବା ବାୟୁକୁ ଏଠାରେ ବିଷାକ୍ତ ବିବେଚନା କରାଯାଇଛି, ଯାହା କି ବିଭିନ୍ନ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି । ଜୀବାଶ୍ମ ଇନ୍ଧନ ଜଳିବା ଯୋଗୁ ଏଥିରୁ ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ (ଏନ୍ଓ୨) ନିର୍ଗତ ହେଉଛି । ଅର୍ଥାତ୍ ଯାନବାହନ, କଳକାରଖାନା, ପାୱାର ପ୍ଲାଣ୍ଟ ଓ ଚାଷକାର୍ଯ୍ୟରୁ ଏହା ବାହାରୁଛି । ଏନ୍ଓ୨ ଯୋଗୁ ଶ୍ୱାସକ୍ରିୟାଜନିତ ରୋଗ ସୃଷ୍ଟି ହେବା ଆଶଙ୍କା ବଢ଼ିଯାଉଛି । ଏହି କାରଣରୁ ଅଧିକାଂଶ ସମୟରେ କାଶ ଓ ଛିଙ୍କ ଭଳି ସମସ୍ୟା ଉପୁଜୁଛି ।
ଡବ୍ଲୁ୍ୟଏଚ୍ଓ ଦର୍ଶାଇଛି ଯେ ବାୟୁରେ ଥିବା ପାର୍ଟିକୁଲେଟ୍ ମ୍ୟାଟର ବା ପିଏମ୍ (ଅତି ସୂକ୍ଷ୍ମ କଠିନ କଣିକା ଓ ତରଳ ବୁନ୍ଦା ଯେଉଁଥିରେ ଧୂଳି, ମଇଳା, ଧୂଅାଁ ଆଦି ମିଶ୍ରିତ ହୋଇଥାଏ) ଫୁସ୍ଫୁସ୍ ପାଇଁ ବିଷଠାରୁ କିଛି କମ୍ ନୁହେଁ । ଏହି ଅଧ୍ୟୟନରେ ଡବ୍ଲୁ୍ୟଏଚ୍ଓ ପିଏମ୍୧୦ ଓ ପିଏମ୍୨.୫ ଉପରେ କାର୍ଯ୍ୟ କରିଥିଲା । ଏହା ବାୟୁରେ ଥିବା ଏଭଳି କଣିକା, ଯାହାର ଆକାର ୧୦ ମାଇକ୍ରୋମିଟର ବା ତାହାଠାରୁ କମ୍ (ପିଏମ୍୧୦) ଏବଂ ୨.୫ ମାଇକ୍ରୋମିଟର୍ ବା ତାହାଠାରୁ କମ୍ (ପିଏମ୍୨.୫) ।
ଡବ୍ଲୁ୍ୟଏଚ୍ଓ ମୁତାବକ ପିଏମ୍୨.୫ର କଣିକା ଫୁସ୍ଫୁସ୍ ମଧ୍ୟରେ ପ୍ରବେଶ କରି ରକ୍ତ ସହିତ ମିଶି ପ୍ରବାହିତ ହୋଇପାରିବ । ଏହାଦ୍ୱାରା ହୃଦ୍ରୋଗ ସମସ୍ୟା ସୃଷ୍ଟି ହୋଇପାରେ । ଆହୁରି ମଧ୍ୟ ମସ୍ତିଷ୍କାଘାତ, ଫୁସ୍ଫୁସ୍ ରୋଗ, କ୍ୟାନ୍ସର ଓ ନିମୋନିଆର କାରଣ ମଧ୍ୟ ସାଜିପାରେ । ଲାନ୍ସେଟ୍ ପତ୍ରିକାରେ ପ୍ରକାଶିତ ରିପୋର୍ଟ ଅନୁସାରେ ବାୟୁରେ ବଢୁଥିବା ନାଇଟ୍ରୋଜେନ୍ ଡାଇଅକ୍ସାଇଡ୍ ମାତ୍ରା ପିଲାମାନଙ୍କଠାରେ ଆଜ୍ମା ରୋଗ ବୃଦ୍ଧି କରିପାରେ । ଏହା ଯୋଗୁ ପ୍ରତିବର୍ଷ ୮.୫ ଧ ନୂଆ ଆଜ୍ମା ମାମଲା ସୃଷ୍ଟି ହେଉଛି । ଚଳିତମାସ ୭ ତାରିଖରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପୂର୍ବରୁ ଡବ୍ଲୁ୍ୟଏଚ୍ଓ ସଦ୍ୟ ରିପୋର୍ଟ ପ୍ରକାଶ କରି ଦେଶଗୁଡ଼ିକୁ ପୁଣି ବାୟୁ ପ୍ରଦୂଷଣ ସଂକ୍ରାନ୍ତରେ ଚେତାଇ ଦେଇଛି ।
ଡବ୍ଲୁ୍ୟଏଚ୍ଓ ଆହୁରି ଦର୍ଶାଇଛି ଯେ ପ୍ରତିବର୍ଷ ୪୨ ଲକ୍ଷ ଲୋକ ବାହ୍ୟ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସି ପ୍ରାଣ ହରାଉଛନ୍ତି । ସେହିଭଳି ୩୮ ଲକ୍ଷ ଘର ମଧ୍ୟରେ ସୃଷ୍ଟ ପ୍ରଦୂଷଣ ଯୋଗୁ ପ୍ରାଣ ହରାଉଛନ୍ତି । ମଇଳା ଚୁଲା ଏବଂ ବିଷାକ୍ତ ଇନ୍ଧନ ଯୋଗୁ ଘର ମଧ୍ୟରେ ପ୍ରଦୂଷଣ ବଢୁଛି । ଅର୍ଥାତ୍ ବର୍ଷକୁ ୮୦ ଲକ୍ଷ ଲୋକ ବାୟୁ ପ୍ରଦୂଷଣ ଯୋଗୁ ମରୁଛନ୍ତି । ବାୟୁ ପ୍ରଦୂଷଣର ପ୍ରତିକାର ପାଇଁ ଏବେ ଅଧିକାଂଶ ଦେଶ ନିଜ ଆଡୁ ଚେଷ୍ଟା କରୁଥିଲେ ହେଁ ତାହା ପର୍ଯ୍ୟାପ୍ତ ହେଉନାହିଁ । ଦଶନ୍ଧି ତଳେ ୯୧ ଦେଶର ୧,୧୦୦ ସହର ବାୟୁର ମାନ ତଦାରଖ କରୁଥିଲେ । ଏବେ ୧୧୭ ଦେଶର ପ୍ରାୟ ୬,୦୦୦ ସହର ଏହି କାର୍ଯ୍ୟ କରୁଛନ୍ତି । ପ୍ରଦୂଷଣ କମାଇବା ଉପରେ ଫୋକସ୍ କରୁଛନ୍ତି । ୧୭ଟି ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍ଡିଜି) ମଧ୍ୟରେ ସ୍ୱଚ୍ଛ ବାୟୁ ସାମିଲ ରହିଛି । ଏହାବ୍ୟତୀତ ଜାତିସଂଘ ଏଜେନ୍ସିଗୁଡ଼ିକ ମଧ୍ୟ ନୂଆ ନୂଆ ସଂକଳ୍ପ ପାରିତ କରାଇ ଏହାକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ କାର୍ଯ୍ୟକାରୀ କରାଉଛନ୍ତି ।
ଏପଟେ ଭାରତରେ ବାୟୁ ପ୍ରଦୂଷଣ କମାଇବା ପାଇଁ ଦେଶବ୍ୟାପୀ ଉଦ୍ୟମ ହେଉଥିବା ସତ୍ତେ୍ୱ ଏହା କମିବା ପରିବର୍ତ୍ତେ ବଢ଼ିଚାଲିଛି । ୨୦୨୪ ସୁଦ୍ଧା ଭାରତ ସରକାର ବାୟୁରେ ପାର୍ଟିକୁଲେଟ୍ ମ୍ୟାଟର (ପିଏମ୍) ନିର୍ଗମନ ମାତ୍ରା ୩୦ % ପର୍ଯ୍ୟନ୍ତ କମାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଏହି ଲକ୍ଷ୍ୟ ହାସଲ ପାଇଁ ସେଭଳି ପଦକ୍ଷେପ ନିଆଯାଉ ନ ଥିବା ଏକ ରିପୋର୍ଟରେ କୁହାଯାଇଛି ।
ଚଳିତବର୍ଷ ଜାନୁଆରୀରେ ବ୍ଲୁମ୍ବର୍ଗରେ ପ୍ରକାଶିତ ଏକ ରିପୋର୍ଟ ଦର୍ଶାଇଥିଲା ଯେ ଭାରତର ପ୍ରାୟ ୧୩୨ ସହରର ପ୍ରଦୂଷଣ ସ୍ତର ବଢ଼ିଯାଇଛି । ଜାତୀୟ ମାନ ତୁଳନାରେ ଏଠାରେ ପ୍ରଦୂଷଣ ବଢ଼ିଛି । ୨୦୧୯ରେ ଜାତୀୟ ସ୍ୱଚ୍ଛ ବାୟୁ କାର୍ଯ୍ୟକ୍ରମ ଆରମ୍ଭ ହେବା ସମୟରେ ପ୍ରଦୂଷିତ ସହର ସଂଖ୍ୟା ୧୦୨ ରହିଥିଲା । ଶିଳ୍ପସଂସ୍ଥାଙ୍କ ପାଇଁ ଅଙ୍ଗାରକ ନିର୍ଗମନ ନିୟମ କଡ଼ାକଡ଼ି କରା ନ ଯିବା କାରଣରୁ ଏହି ଲକ୍ଷ୍ୟ ପୂରଣ ହୋଇପାରୁ ନାହିଁ । ବିଶେଷକରି ମେଟାଲ ସ୍ମେଲ୍ଟର ଏବଂ ତୈଳ ବିଶୋଧନାଗାର ପାଇଁ ସୀମିତ ପାଣ୍ଠି ଏବଂ ଅଙ୍ଗାରକ ନିର୍ଗମନ ନିୟମ କଡ଼ାକଡ଼ି ନ ହେବା ଯୋଗୁ ବାୟୁ ମାନ ବୃଦ୍ଧି ପାଉନାହିଁ ବୋଲି ରିପୋର୍ଟ ଦର୍ଶାଇଛି ।
ବ୍ଲୁମ୍ବର୍ଗ ରିପୋର୍ଟ ଅନୁସାରେ ମୋଟାମୋଟି ଭାବେ ୯୦% ଭାରତୀୟ ଏଭଳି ଅଞ୍ଚଳରେ ରହୁଛନ୍ତି, ଯେଉଁଠାରେ ବାୟୁ ମାନ ଡବ୍ଲୁ୍ୟଏଚ୍ଓ ନିର୍ଦ୍ଧାରିତ ମାନ ତୁଳନାରେ ବେଶ୍ କମ୍ । ପୁରୁଣା କୋଇଲାଭିତ୍ତିକ ତାପଜ ବିଦୁ୍ୟତ୍ ପ୍ଲାଣ୍ଟ ଏବଂ ଯାନବାହନ ଚଳାଚଳ ବାୟୁ ମାନ ଖରାପ ହେବାର ଅନ୍ୟତମ ପ୍ରମୁଖ କାରଣ । ସେହିଭଳି ଶୀତଦିନେ ଚାଷଜମିରେ ନଡ଼ାକୁଟା ଜଳାଯିବା ଯୋଗୁ ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍ସିଆର୍)ରେ ପ୍ରଦୂଷଣ ବୃଦ୍ଧି ପାଉଛି ।
Comments are closed, but trackbacks and pingbacks are open.